ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାତାର ଅଷ୍ଟମ ଦିନ ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ମୂଲ୍ୟ ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବା ବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲାଗିଛି ଟଣାଓଟରା।

  • ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ
  • ପେଟ୍ରୋଲ ଲିଟରରେ ୩୩ ପଇସା ବୃଦ୍ଧି
  • ଢିଜେଲ ଲିଟରରେ ୨୫ ପଇସା ବୃଦ୍ଧି
  •  ଦିଲ୍ଲୀରେ ପେଟ୍ରୋଲ ଲିଟର ୭୬ ଟଙ୍କା ୬ ପଇସା
  • ଡିଜେଲ ଲିଟର ୬୭ ଟଙ୍କା ୮୨ ପଇସା

ତୈଳ ବଜାରରେ ଲାଗିଛି ନିଆଁ। ଦିନକୁ ଦନି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢ଼ୁଛି ପଛେ ଥମିବାର ନାଁ ଧରୁନି। ପେଟ୍ରୋଲ ଲିଟରରେ ଆଜି ୩୩ ପଇସା ଏବଂ ଡିଜେଲ ଲିଟରରେ ୨୫ ପଇସା ପୁଣି ବଢ଼ିଛି। ଫଳରେ ଗାଡ଼ି ଚାଳକ ଚିନ୍ତାରେ ପଡ଼ିଛନ୍ତି।

ବେଲଗାମ ହୋଇଯାଇଛି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ। ଲଗାତାର ଅଷ୍ଟମ ଦିନ ପାଇଁ ବଢ଼ିଛି ତେଲ ଦର। ରାଜଧାନୀ ଭୁବନେଶ୍ବରରେ ଆଜି ପେଟ୍ରୋଲ ଲିଟର ୭୫ ଟଙ୍କା ୩୪ ପଇସା ହୋଇଥିବା ବେଳେ ଡିଜେଲ ଲିଟର ହୋଇଛି ୭୨ ଟଙ୍କା ୬୫ ପଇସା। ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ।

ଦିଲ୍ଲୀରେ ପେଟ୍ରୋଲ ଲିଟର ୭୬ ଟଙ୍କା ୬ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ହୋଇଛି ୬୭ ଟଙ୍କା ୮୨ ପଇସା।

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ଏହାକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି।

ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “୨୦୧୭ ଅକ୍ଟୋବର ମାସରେ କେନ୍ଦ୍ର ସରକାର ୨ ଟଙ୍କା ଏକ୍ସଆଇଜ ଡ୍ୟୁଟି ହ୍ରାସ କରି ରାଜ୍ୟ ସରକାରଙ୍କୁ ଟ୍ୟାକ୍ସ କମାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟ ସରକାର ଟ୍ୟାକ୍ସ କମାଇ ନାହାନ୍ତି। ଟ୍ୟାକ୍ସ କମାଇବା ପାଇଁ ପୁଣି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ।”

ପେଟ୍ରୋଲିୟମ ମନ୍ତ୍ରୀ ଟିକସ ହ୍ରାସ କରିବା ମନ୍ତବ୍ୟର ଜବାବ ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।

ସେ କହିଛନ୍ତି, “ଓଡ଼ିଶାରେ ଭାଟ ବହୁତ କମ୍ ଅଛି। କେନ୍ଦ୍ର ଆହୁରି ଏକ୍ସଆଇଜି ଡ୍ୟୁଟି କମାଉ। କେନ୍ଦ୍ର ପେଟ୍ରୋଲିମ ମନ୍ତ୍ରୀ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରି ବିଭିନ୍ନ ବାହାନା ଦେଖାଉଛନ୍ତି।”

ଗତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରୁ ବ୍ୟାରେଲ ପିଛା ୭୬ଟଙ୍କା ୪୩ ପଇସା ଡଲାରରେ କିଣିଥିଲା ଅଶୋଧିତ ତୈଳ କିଣିଥିଲା ଭାରତ। ଏହା ୨୦୧୪ ପରେ ସର୍ବାଧିକ ବୋଲି କୁହାଯାଉଛି। ଅନ୍ୟ ଦେଶମାନେ ସମାନ ଦରରେ ଅନ୍ତର୍ଜାତୀୟ ବଜାରରୁ ତୈଳ କିଣୁଥିଲେ ମଧ୍ୟ ସେଠାରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବେଲଗାମ ହୋଇନି।

ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ୪୯ ଟଙ୍କା ୬ ପଇସା ଥିବା ବେଳେ ଡିଜେଲ ୪୦ ଟଙ୍କା ୩ ପଇସା ରହିଛି। ପାକିସ୍ତାନରେ ୫୦ ଟଙ୍କା ୬ ପଇସା ପେଟ୍ରୋଲ ଲିଟର ରହିଥିବା ବେଳେ ଡିଜେଲ ଲିଟର ରହିଛି ୫୭ ଟଙ୍କାରେ। ବାଂଲାଦେଶରେ ପେଟ୍ରୋଲ ୬୮ ଟଙ୍କା ଏବଂ ଡିଜେଲ ୫୧ ଟଙ୍କା ରହିଛି। ସେହିପରି ନେପାଳରେ ପେଟ୍ରୋଲ ୬୬ ଟଙ୍କା ଏବଂ ଡିଜେଲ ଲିଟର ରହିଛି ୫୪ ଟଙ୍କା।

Comment