ଓଡ଼ିଶାଲାଇଭ୍ ବ୍ୟୁରୋ

  • ଖୁବଶୀଘ୍ର ବଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ
  • ୧୪ଟି ଜିଲ୍ଲାକୁ ଏଲପିଜି ଯୋଗାଣ ସହଜ ହେବ
  • ବଲାଙ୍ଗିର ଜିଲ୍ଲାର ୨.୩୧ ଲକ୍ଷ ଲୋକଙ୍କୁ ଏଲପିଜି ସଂଯୋଗ

ବଲାଙ୍ଗିରଠାରେ ଏଲପିଜି ବଟଲିଂ ପ୍ଲାଣ୍ଟର ଶୁଭ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତ ପେଟ୍ରୋଲିୟମ୍ ପକ୍ଷରୁ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି। ଏତିରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟ ଯୋଗଦେଇଥିଲେ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଏହି ବଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୧୪ଟି ଜିଲ୍ଲାକୁ ଏଲପିଜି ଯୋଗାଣ ଆହୁରି ସହଜ ହେବ। ଏହି ପ୍ରକଳ୍ପରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଥିବା ବେଳେ ସ୍ଥାନୀୟ ଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।”

୨୦୧୪ ମସିହାରେ ରାଜ୍ୟର ୨୦ ଲକ୍ଷ ପରିବାରରେ ଏଲପିଜି ସଂଯୋଗ ହୋଇଥିଲା। ହେଲେ  ଆଜି ତାହା ୬୦ ଲକ୍ଷରୁ ଅଧିକ ହୋଇସାରିଲାଣି। ବଲାଙ୍ଗିର ଜିଲ୍ଲାରେ ୨୦୧୪ ସୁଦ୍ଧା ମୋଟ ୪୦ ହଜାର ଘରେ ଏଲପିଜି ଥିବା ବେଳେ ଏବେ ୨.୩୧ ଲକ୍ଷ ଲୋକଙ୍କ ଘରେ ପହଞ୍ଚିଛି। ୬୦ ବର୍ଷରେ ୪୦ ହଜାର ଓ ୪ ବର୍ଷରେ ୧.୯୧ ଲକ୍ଷ ଏଲପିଜି ଯୋଗାଣ ମୋଦି ସରକାରଙ୍କ କାର୍ଯ୍ୟଦକ୍ଷତାର ପ୍ରମାଣ ବୋଲି  ଧର୍ମେନ୍ଦ୍ର କହିଛନ୍ତି।

ବରଗଡ଼ ଜିଲ୍ଲାରେ ଇନ୍ଧନ କାରଖାନା ଭାରତ ସରକାର ଆରମ୍ଭ କରିବାକୁ ଯାଉଥିବା ବେଳେ ବଲାଙ୍ଗିରରେ ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ସେପରି ଏକ ପ୍ରକଳ୍ପ ଶୁଭାରମ୍ଭ କରାଯିବ। ଫଳରେ ଜିଲ୍ଲା ଓ ଆଖପାଖ ଜିଲ୍ଲାର ଅର୍ଥନୀତି ସୁଦୃଢ଼ ହୋଇପାରିବ।

ଏହି ଅବସରରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଲାଙ୍ଗିର ଜିଲ୍ଲାର ୬୬,୯୮୫ ଘର ପାଇଁ ଭାରତ ସରକାର ଅର୍ଥ ଯୋଗାଇଥିଲେ। ମାତ୍ର ୨୯.୭୧୮ ଘର ବର୍ତ୍ତମାନ ସୁଦ୍ଧା ପୂରଣ ହୋଇପାରିଛି। ସବୁ ଘରେ ବିଜୁଳି ଲଗାଇବା ପାଇଁ କେନ୍ଦ୍ର ଅର୍ଥ ଦେଇଛି। ହେଲେ ବିଜୁଳି ଯୋଗାଣ ମନ୍ଥର ରହିଛି। ସେହିପରି ପାଇଖାନା ନିର୍ମାଣରେ ବଲାଙ୍ଗିର ଜିଲ୍ଲା ରାଷ୍ଟ୍ରୀୟ ହାରଠାରୁ ବହୁ ପଛରେ ରହିଛି।

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ଭୂମି ଯୋଗାଇ ଦେଉ ନଥିବାରୁ କାମ ଆଗେଇ ପାରୁନାହିଁ। ଯେତେ ଶୀଘ୍ର ଜମି ମିଳିବ ସେତେ ଶୀଘ୍ର କାମ ଆଗେଇବ।

Comment