ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଗୁଲ ଟ୍ରେଣ୍ଡ୍‍ ଅନୁସାରେ ଲୋକେ ଜେଡିଏସ୍‍ ନେତା ଏଚଡି କୁମାରସ୍ୱାମୀଙ୍କ ଅପେକ୍ଷା ତାଙ୍କ ଦ୍ୱିତୀୟ ପତ୍ନୀ ରାଧିକା କୁମାରସ୍ୱାମୀଙ୍କୁ ଅଧିକ ସର୍ଚ୍ଚ କରୁଛନ୍ତି।

କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଜେଡିଏସ୍‍ ନେତା ଏଚଡି କୁମାରସ୍ୱାମୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମାତ୍ର ୩୮ ଆସନ ଜିତି କୁମାରସ୍ୱାମୀ କଂଗ୍ରେସ ସମର୍ଥନରେ ସରକାର ଗଠନ କରିବାକୁ ଯାଉଛନ୍ତି। ପୁଣି ଥରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପୂର୍ବରୁ ଏଚଡି କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ଜୀବନଶୈଳୀ ଉପରେ ଲୋକେ ଅଧିକ ଜାଣିବାକୁ ଚାହୁଁଛନ୍ତି। ଗୁଗୁଲ ଟ୍ରେଣ୍ଡ୍‍ ଅନୁସାରେ ଲୋକେ କୁମାରସ୍ୱାମୀଙ୍କ ଅପେକ୍ଷା ତାଙ୍କ ଦ୍ୱିତୀୟ ପତ୍ନୀ ରାଧିକା କୁମାରସ୍ୱାମୀଙ୍କୁ ଅଧିକ ସର୍ଚ୍ଚ କରୁଛନ୍ତି।

ରାଧିକା କୁମାରସ୍ୱାମୀ କନ୍ନଡ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ଅଟନ୍ତି। ରାଧିକା ୨୦୦୨ରେ ନିଜ ଚଳଚ୍ଚିତ୍ର ଜୀବନର ଆରମ୍ଭ କରିଥିଲେ। ରାଧିକା କନ୍ନଡ ଓ ତାମିଲ ସିନେମା ଜଗତରେ ମଧ୍ୟ କାମ କରିଛନ୍ତି। ସେ ଏପର୍ଯ୍ୟନ୍ତ ୩୨ଟି ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ନିନାଗାଗୀ। ୧୯୮୬ରେ କୁମାରସ୍ୱାମୀ ଏବଂ ତାଙ୍କ ପ୍ରଥମ ପତ୍ନୀ ଅନୀତାଙ୍କ ବିବାହ ଦିନ ରାଧିକା ଜନ୍ମଗ୍ରହଣ କରିଥିଲେ।

୩୧ ବର୍ଷିୟା ରାଧିକା ଏବଂ ୫୮ ବର୍ଷିୟ କୁମାରସ୍ୱାମୀଙ୍କ ବିବାହ ୨୦୦୬ରେ ଗୁପ୍ତ ଭାବେ ହୋଇଥିଲା। ସେତେବେଳେ କୁମାରସ୍ୱାମୀ ପ୍ରଥମଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଧିକା ୨୦୧୦ରେ କୁମାରସ୍ୱାମୀଙ୍କ ସହ ତାଙ୍କ ବିବାହ ଉପରୁ ପରଦା ଉଠାଇଥିଲେ।

କୁମାରସ୍ୱାମୀ ଏବଂ ରାଧିକାଙ୍କ ମଧ୍ୟରେ ୨୭ ବର୍ଷ ବୟସର ବ୍ୟବଧାନ ରହିଛି। କୁମାରସ୍ୱାମୀ ରାଧିକାଙ୍କ ଦ୍ୱିତୀୟ ସ୍ୱାମୀ ଅଟନ୍ତି। ରାଧିକା ୧୪ ବର୍ଷ ବୟସରେ ରତନ କୁମାରଙ୍କୁ ମନ୍ଦିରରେ ବିବାହ କରିଥିଲେ। ତାଙ୍କ ପ୍ରଥମ ବାହାଘର ମାତ୍ର ୨ ବର୍ଷ ତିଷ୍ଟିଥିଲା। କାରଣ ୨୦୦୨ରେ ହୃଦ୍‍ଘାତରେ ରତନ ପ୍ରାଣ ହରାଇଥିଲେ।

୧୯୮୬ରେ କୁମାରସ୍ୱାମୀ ପ୍ରଥମେ ଅନୀତାଙ୍କୁ ପ୍ରଥମେ ବିବାହ କରିଥିଲେ। ଅନୀତା କୁମାରସ୍ୱାମୀଙ୍କ ଏକ ପୁଅ ରହିଛି ଓ ତାଙ୍କ ନାମ ନିଖିଲ ଗୌଡ଼ା। କୁମାରସ୍ୱାମୀ ନିଜ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହୋଇନାହାନ୍ତି। ନିର୍ବାଚନ ପ୍ରଚାରଠାରୁ ଆରମ୍ଭ କରି ଭୋଟଦାନ ପର୍ଯ୍ୟନ୍ତ ଅନୀତାଙ୍କୁ କୁମାରସ୍ୱାମୀଙ୍କ ସହ ଦେଖିବାକୁ ମିଳିଥିଲା।

Comment