ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ଏବି ଡିଭିଲିୟର୍ସ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ନେଇଛନ୍ତି।
କୋଟି କୋଟି କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ଏବି ଡିଭିଲିୟର୍ସ କ୍ରିକେଟକୁ ଅଲବିଦା କହିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୧ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ତରଫରୁ ଖେଳିଥିବା ୩୪ବର୍ଷିୟ ଡିଭିଲିୟର୍ସ ଆଗାମୀ ଜୁଲାଇରେ ଶ୍ରୀଲଙ୍କା ସହିତ ଦକ୍ଷିଣ ଆଫ୍ରିକାର ଦ୍ୱିପାକ୍ଷିକ ଶୃଙ୍ଖଳାରେ ଖେଳିବେନି।
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିଭିଲିୟର୍ସଙ୍କୁ ୧୧୪ଟି ଟେଷ୍ଟ ମ୍ୟାଚ୍ରୁ ୯୧ଟି ଇନିଂସରେ ୫୦.୬୬ ହାରରେ ୮୭୬୫ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨୨ ଟି ଶତକ ଓ ୪୬ ଟି ଅର୍ଦ୍ଧଶତକ ସାମିଲ ଅଛି। ଟେଷ୍ଟ ମ୍ୟାଚ୍ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୭୮ ରନ୍।
ଡିଭିଲିୟର୍ସ ୨୨୮ ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ୫୩.୫୦ ହାରରେ ୯,୫୭୭ ରନ୍ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ୨୫ଟି ଶତକ ଓ ୫୩ ଟି ଅର୍ଦ୍ଧଶତକ ସାମିଲ ଅଛି। ଦିନିକିଆରେ ତାଙ୍କ ସର୍ବାଧିକ ସ୍କୋର ହେଉଛି ୧୭୬ ରନ୍।
ସେହିଭଳି ଟି-୨୦ରେ ୭୮ ଟି ମ୍ୟାଚ୍ ଖେଳି ୨୬.୧୨ ହାରରେ ୧୬୭୨ ରନ୍ ଯୋଡ଼ିଛନ୍ତି।
୧୪ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ଼ ହାସଲ କରିଛନ୍ତି ଡିଭିଲିୟର୍ସ। କ୍ରିକେଟ ଦୁନିଆର ସୁପରମ୍ୟାନ କୁହାଯାଉଥିବା ଡିଭିଲିୟର୍ସ ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକ (୧୬ଟି ବଲରେ ୫୦ରନ), ଦ୍ରୁତତମ ଶତକ (୩୧ବଲରେ ୧୦୦) ଓ ଦ୍ରୁତତମ ୧୫୦ (୬୪ଟି ବଲରେ ୧୫୦) ରେକର୍ଡ଼ ନିଜ ନାଁରେ କରିଛନ୍ତି ।
I’ve made a big decision today pic.twitter.com/In0jyquPOK
— AB de Villiers (@ABdeVilliers17) May 23, 2018
ଡିଭିଲିୟର୍ସ ନିଜର ଟୁଇଟରରେ ଏକ ଭିଡିଓ ଅପଲୋଡ କରି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
ଯେଉଁ ଷ୍ଟାଡିୟମକୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଆଜି ସେହି ଷ୍ଟାଡିୟମରେ ଛିଡ଼ା ହୋଇ କ୍ରିକେଟକୁ ଅଲବିଦା କହିଛନ୍ତି ଡିଭିଲିୟର୍ସ।
“୧୪ ବର୍ଷ ପୂର୍ବେ ଯେତେବେଳେ ଦକ୍ଷିଣ ଆଫ୍ରିକା ଟିମରେ ଖେଳିବାର ସୁଯୋଗ ମିଳିଥିଲା ସେତେବେଳେ ମୁଁ ନର୍ଭସ ଥିଲି। କିନ୍ତୁ ପରେ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ଟି ଟି-୨୦ ଅର୍ନ୍ତଜାତୀୟ ମ୍ୟାଚ ଖେଳିବା ପରେ ସନ୍ନ୍ୟାସ ନେଉଛି। ମୁଁ ବହୁତ ଥକିଗଲିଣି। କ୍ରିକେଟକୁ ଅଲବିଦା କହିବା ମୋତେ କଷ୍ଟ ଦେଉଛି। କିନ୍ତୁ ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତିବା ପରେ ଅବସର ନେବାର ଏହା ହେଉଛି ପ୍ରକୃଷ୍ଟ ସମୟ। ଯୁବଗୋଷ୍ଠୀଙ୍କୁ ସୁଯୋଗ ଦେବା ପାଇଁ ସେ ଏପରି ନିଷ୍ପତି ନେଇଛି। ଏବେ ବାହାର ଦେଶରେ ଖେଳିବା ନେଇ କୌଣସି ଯୋଜନା ନାହିଁ କିନ୍ତୁ ଘରୋଇ କ୍ରିକେଟ ଖେଳିବା ଜାରି ରଖିବି”, ଅବସର ନେବା ପରେ ଏହା କହିଛନ୍ତି ଡିଭିଲିୟର୍ସ।
ଏହାସହ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ଼ ଓ ନିଜ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଡିଭିଲିୟର୍ସ।
















