ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜନଜାଗରଣ ଯାତ୍ରାର ଆଜି ଥିଲା ନବମ ଦିନ। ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ଦକ୍ଷିଣ ପାର୍ଶ୍ୱ ଟିମ୍‍ କାକଟପୁରରୁ ବାହାରି ଶିଖରଘାଟ, ଗରେଇ ଓ ମାଛଗାଁ ଦେଇ ବାଲିକୁଦାରେ ପହଞ୍ଚିବା ପରେ ସେଠାରେ ସାଧାରଣ ସଭା କରାଯାଇଥିଲା।

ଜଗତସିଂହପୁର ଏବଂ ତିର୍ତ୍ତୋଲରେ ମଧ୍ୟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଶିଖରଘାଟ, ଗରେଇ, ମାଛଗାଁ, ଗାନ୍ଧିଛକ ଓ ରଘୁନାଥପୁରରେ ପଥପ୍ରାନ୍ତ ସଭା କରାଯାଇଥିଲା। ତିର୍ତ୍ତୋଲରୁ ଜନଜାଗରଣ ଟିମ୍‍ ଶୁକ୍ରବାର ପାରାଦୀପ ଅଭିମୁଖେ ଯାତ୍ରା କରିବ।

ପ୍ରସନ୍ନ ଆଚର୍ଯ୍ୟ କହିଛନ୍ତି, “ଆଗେ ମାଟି ଓ ପରେ ପାର୍ଟି। ମହାନଦୀ ସୁରକ୍ଷା ପାଇଁ ବିଜୁ ଜନତା ଦଳ ଯେଉଁ ମହାସଂଗ୍ରାମ ଆରମ୍ଭ କରିଛି ତାହା ଓଡ଼ିଶାବାସୀଙ୍କ ମହାସଂଗ୍ରାମ। ଏହାକୁ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବାକୁ ଦଳର ସମସ୍ତ ସଦସ୍ୟ ସଂକଳ୍ପବଦ୍ଧ।”

ଆୟୋଜିତ ସଭାରେ ବିଧାୟକ ସୁରେନ୍ଦ୍ର ସେଠୀ, ପ୍ରଶାନ୍ତ ମୁଦୁଲି, ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ସାଂସଦ କୁଳମଣି ସାମଲ, ଜିଲ୍ଲା ସଭାପତି ବିଷ୍ଣୁଚରଣ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ରହି ମହାନଦୀ ଲଢେ଼ଇକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ।

ଅନ୍ୟପକ୍ଷରେ ମହାନଦୀ ବାମ ପାଶ୍ୱର୍ରୁ ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବାହାରିଥିବା ଟିମ୍‍ ଆଜି କେନ୍ଦ୍ରାପଡ଼ାରୁ ଇଚ୍ଛାପୁର ଯାଇଥିଲା। ସେଠାରେ ବଳଦେବ ଜୀଉଙ୍କ ପୀଠରେ ସମୂହ ଦୀପଦାନ କରିବା ପରେ ଅଙ୍ଗୁଳେଇ, ଛଘରିଆ, କାନପୁର ଦେଇ ମହାକାଳପଡ଼ା ଅଭିମୁଖେ ଯାତ୍ରା କରିଥିଲା। ଜୁଣା ବଜାରସ୍ଥିତ ମହାନଦୀ କୂଳରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏହି ସାଧାରଣ ସଭାରେ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା। ଏହାକୁ ଶୁଖିଲା ହେବାକୁ ଦିଆଯିବ ନାହିଁ। ଆମର ନେତା ନବୀନ ପଟ୍ଟନାୟକ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମହାନଦୀ ପାଇଁ ଲଢେ଼ଇ ଜାରି ରଖିବାକୁ ଯେଉଁ ଆହ୍ୱାନ ଦେଇଛନ୍ତି, ତାହା ପାଳନ କରିବାକୁ ବିଜୁ ଜନତା ଦଳର ସମସ୍ତେ ସଂକଳ୍ପବଦ୍ଧ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, କିଶୋର ତରାଇ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ପାରାଦୀପରେ ଶୁକ୍ରବାର ମହାନଦୀ ମହାସଂଗ୍ରାମର ଦ୍ବିତୀୟ ପର୍ଯ୍ୟାୟ ଆନ୍ଦୋଳନ ଉଦଯାପିତ ହେବ। ଏଥିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ମହାନଦୀ ସୁରକ୍ଷା ଅଭିଯାନ ପ୍ରଥମେ ମଇ ୧୬ ତାରିଖ ଦିନ ଦକ୍ଷିଣ ପାଶ୍ୱର୍ସ୍ଥିତ ଚିଖିଲି ଓ ବାମପାଶ୍ୱର୍ସ୍ଥିତ ସୁଖାଶୋଡ଼ାରୁ ବାହାରିଥିଲା। ଏହାର ଶୁଭାରମ୍ଭ ଦଳର ସଭାପତି ନବୀନ ପଟ୍ଟନାୟକ କରିଥିଲେ।

Comment