ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପାଳୁଛି ବିଶ୍ଵାସଘାତ ଦିବସ। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଥିବାବେଳେ ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ମଧ୍ୟ ଓଡ଼ିଶାରେ ପହଞ୍ଚିଛନ୍ତି।

ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ଓ ବିଜେପିର ଦୁଇ ହେଭିୱେଟ୍ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସି ତାଙ୍କ ୪ବର୍ଷ ଶାସନର ପୂର୍ତ୍ତି ଅବସରରେ ଲୋକଙ୍କୁ ଉଦବୋଧନ ଦେବେ।

ମୋଦି ଆସିବା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଓଡ଼ିଶା ଆସି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଦିନ ୧୧ଟାରେ ଭୁବନେଶ୍ୱର ବିମାନନ୍ଦରରେ ପହଞ୍ଚିବା ପରେ ସିଧା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ ଯାଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ।

“ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏପର୍ଯ୍ୟନ୍ତ ପୂରଣ କରି ନାହାନ୍ତି।ବିଦେଶରେ ରହିଥିବା କଳାଧନ ଦେଶକୁ ଫେରାଇ ଆଣିବା ପାଇଁ ମୋଦି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଚାରି ବର୍ଷ ଭିତରେ ମୋଦି ତାହା କରିବାରେ ସମର୍ଥ ହୋଇ ନାହାନ୍ତି। କଳାଧନ ଠାବ କରିବା ପାଇଁ ମୋଦି ବିମୁଦ୍ରାକରଣ କଲେ। ହେଲେ ସେଥିରେ ବି ଫେଲ୍ ମାରିଲେ ମୋଦି। ଦେଶବାସୀଙ୍କ ସହ ବିଶ୍ଵାସଘାତ କରିଛନ୍ତି ମୋଦି ସରକାର। କେବଳ ଫେସବୁକ୍‍ ଓ ହ୍ୱାଟ୍ସଆପ୍‍ ମାଧ୍ୟମରେ ମୋଦି ସରକାର ଚଲାଉଛନ୍ତି। ମୋଦି ଦେଶର ବିକାଶ ନୁହେଁ ବିନାଶ କରିବାକୁ ଚାହୁଁଛନ୍ତି”, କହିଛନ୍ତି କପିଲ ସିବଲ।

ଏହାସହ କପିଲ ସିବଲ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।

“ଓଡ଼ିଶାରେ କଂଗ୍ରେସ ଅମଳରେ ରାଉରକେଲା ଇସ୍ପାତ କାରଖାନା, ପାରାଦ୍ୱୀପ ବନ୍ଦର ପରି ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇଛି। ରାଜ୍ୟରେ ବେକାର ସମସ୍ୟା ବୃଦ୍ଧି ପାଉଥିବାବେଳେସର୍ବଭାରତୀୟ ସ୍ତରରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ନିମ୍ନସ୍ତରକୁ ଯାଇଛି। ପାରାଦ୍ୱୀପ ତୈଳ ବିଶୋଧନାଗାର ନିର୍ମାଣ ହୋଇଛି। ହେଲେ ସେଠାରେ ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦିଆଯାଉନାହିଁ। ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି”, କହିଛନ୍ତି ସିବଲ।

Comment