ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ବୈଠକରେ ଚିଠିକୁ ନେଇ ଝଡ଼, ଏହାପରେ ସିବଲଙ୍କୁ ରାହୁଲଙ୍କ ଟାର୍ଗେଟ। ତା’ପରେ ସିବଲଙ୍କ ପାଲଟା ଆକ୍ରମଣ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

  • ସୋନିଆ ଓ ରାହୁଲଙ୍କ ସପକ୍ଷରେ ବହୁମତ
  • ବିଜେପି ସହ ସମ୍ପର୍କକୁ ଗୁଲାମନବୀଙ୍କ ଖଣ୍ଡନ
  • ନରମିଗଲା ସିବଲଙ୍କ ଟ୍ୱିଟ୍ ଆକ୍ରମଣ

କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ନେଇ ଆରମ୍ଭ ହୋଇଥିବା ବୈଠକରେ ଝଡ଼। ଚିଠିକୁ ନେଇ ଆଲୋଚନାର ମୋଡ ପ୍ରଥମରୁ ହିଁ ବଦଳିଯାଇଛି। କିଏ ହେବ ପରବର୍ତ୍ତୀ ସଭାପତି ସେ ନେଇ କିଛି ନିଷ୍କର୍ଷ ବାହାରିନାହିଁ। ଭର୍ଚୁଆଲ ବୈଠକ ଏବେ ବି ଜାରି  ରହିଛି। କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ନେଇ ସୋନିଆଙ୍କୁ ଅଗଷ୍ଟ ୭ରେ ଲେଖାଯାଇଥିବା ଚିଠି କିଏ ଲେଖିଲା ତାକୁ ଟାର୍ଗେଟ କରାଯାଇଛି। ହେଲେ ଚିଠି ଲେଖିବାର ଉଦ୍ଦେଶ୍ୟକୁ ନେଇ କ’ଣ ଆଲୋଚନା ହୋଇଛି, ନେତୃତ୍ୱକୁ ନେଇ କଣ ଚର୍ଚ୍ଚା ହୋଇଛି ତାହା ସ୍ପଷ୍ଟ ହୋଇପାରିନି।ପ୍ରଥମେ ସୋନିଆ ଗାନ୍ଧୀ ନେତୃତ୍ୱ କାହାକୁ ଦିଆଯିବ ସେ ନେଇ ଆଲୋଚନା ଆରମ୍ଭ କରିଥିଲେ। ହେଲେ ଯେତେବେଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଯେତେବେଳେ ସେ ଅସନ୍ତୁଷ୍ଟଙ୍କ ଚିଠି ପଢ଼ିବା ଆରମ୍ଭ କରିଥିଲେ, ସେତେବେଳେ ରାହୁଲ ଗାନ୍ଧୀ  ହସ୍ତକ୍ଷେପ କରିଥିଲେ। ରାହୁଲ ଓ କପିଲ ସିବଲଙ୍କ ଭଳି ନେତାଙ୍କୁ ଆକ୍ଷେପ କରି କହିଥିଲେ, ଯେ ସେମାନେ ହିଁ ସେ ଚିଠି ଲେଖା କରାଇଛନ୍ତି। ବିଜେପି ଦ୍ୱାରା ପରିଚାଳିତ ହୋଇ ଚିଠି ଲେଖାଯାଇଛି ବୋଲି ରାହୁଲ ଆକ୍ଷେପ କରିଥିଲେ।

ଏଥିରେ କ୍ଷୁବ୍ଧ ହୋଇ ଗୁଲାମ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ବୋଲି ସୂତ୍ରରୁ ସୂଚନା ମିଳିଛି। ଗୁଲାମ ଚ୍ୟାଲେଞ୍ଜ କରିଛନ୍ତି ଯେ, ତାଙ୍କର ବିଜେପି ସହ ଯଦି ସମ୍ପର୍କ ପ୍ରମାଣିତ ହୋଇଯିବ ତେବେ ସେ ଇସ୍ତଫା ଦେଇଦେବେ। କଂଗ୍ରେସ ସହ ସେ ଦୀର୍ଘ ବର୍ଷ ହେଲା ଅଛନ୍ତି, କୌଣସି ପରିସ୍ଥିତିରେ ତାଙ୍କର ବିଜେପି ସହ ସମ୍ପର୍କ ନାହିଁ। ତେବେ ରାହୁଲ ପ୍ରଶ୍ନ କରିଥିଲେ ଯେ, ଯେତେବେଳେ ସୋନିଆ ଡାକ୍ତରଖାନାରେ ଥିଲେ ସେତେବେଳେ କାହିଁକି ଚିଠି ଲେଖାଗଲା।ରାହୁଲଙ୍କ ଆକ୍ଷେପ ପରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ କପିଲ ସିବଲ ମଧ୍ୟ ମୁହଁ ଖୋଲିଛନ୍ତି। କହିଛନ୍ତି ସେ ସବୁବେଳେ କଂଗ୍ରେସ ସହ ଅଛନ୍ତି। ରାଜସ୍ଥାନରେ କଂଗ୍ରେସ ସରକାର ଟଳମଳ ହେଉଥିବା ବେଳେ ସେ ହିଁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଏହା ସହ ମଣିପୁରରେ କଂଗ୍ରେସର ଇଜ୍ଜତ ସେ ବଞ୍ଚାଇଥିଲେ। ଗତ ୩୦ ବର୍ଷ ହେଲା ସେ ବିଜେପି ସପକ୍ଷରେ କେବେ ବି ମନ୍ତବ୍ୟ ଦେଇନାହାନ୍ତି  ବୋଲି ସେ କହିଛନ୍ତି। କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ବୈଠକ ଚାଲିଥିବା ବେଳେ କପିଲଙ୍କ ଏ ଟ୍ୱିଟ୍ ଝଡ଼ ସୃଷ୍ଟି କରିଛି। ଅବଶ୍ୟ କିଛି ସମୟ ପରେ ସେ ଏହି ଟ୍ୱିଟକୁ ପ୍ରତ୍ୟାହାର କରି ନେଇଥିଲେ।

ତେବେ ଗୁଲାମନବୀ ଆଜାଦ, କପିଲ ସିବଲ, ଆନନ୍ଦ ଶର୍ମା, ଶଶୀ ଥରୁରଙ୍କ ଭଳି ବରିଷ୍ଠ ନେତାଙ୍କ ଦସ୍ତଖତ ସମ୍ବଳିତ ଏ ଚିଠି ବିରୋଧରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନୀ। ସେମାନେ ରାହୁଲଙ୍କୁ ସମର୍ଥନ କରିଛନ୍ତି। ଯେତେବେଳେ କଂଗ୍ରେସ ଦୁର୍ବଳ ସ୍ଥିତିରେ ରହିଛି ସେତେବେଳେ ଏ ବରିଷ୍ଠ ନେତାମାନେ କଂଗ୍ରେସ ବିରୋଧରେ ମନ୍ତବ୍ୟ ରଖିବା ତୃଣମୂଳସ୍ତରର କର୍ମୀଙ୍କ ମନୋବଳ ଦୁର୍ବଳ ହେଉଛି ବୋଲି ସେମାନେ କହିଥିଲେ।ବୈଠକ ଆରମ୍ଭ ହେବା ମାତ୍ରେ, ରାହୁଲ ଓ ସୋନିଆଙ୍କ ସପକ୍ଷରେ କଂଗ୍ରେସ ମୁଖ୍ୟାଳୟ ସମ୍ମୁଖରେ ନାରାବାଜି ହୋଇଥିଲା। ସୋନିଆ ଗାନ୍ଧୀ କଂଗ୍ରେସର ନେତୃତ୍ୱ ନିଅନ୍ତୁ କିମ୍ବା ରାହୁଲ ପୁଣି ସଭାପତି ହୁଅନ୍ତୁ ବୋଲି ସମର୍ଥକମାନେ ଦାବି କରିଛନ୍ତି। ବୈଠକରେ ମଧ୍ୟ ଏହି ଦୁଇଜଣଙ୍କ ସପକ୍ଷରେ ବହୁମତ ଥିବା ସୂଚନା ମିଳିଛି। ସେପଟେ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ, ସଚିନ ପାଇଲଟ, ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟ ରାହୁଲ ଓ ସୋନିଆଙ୍କ ସପକ୍ଷରେ ବାହାରିଛନ୍ତି। ସଚିନ ଟୁଇଟ କରି କହିଛନ୍ତି ଯେ, ତ୍ୟାଗ ଓ ବଳୀଦାନ ଗାନ୍ଧୀ ପରିବାରରୁ ଶିଖିବା ଦରକାର। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ରାହୁଲଙ୍କ ସପକ୍ଷରେ ବାହାରିଛନ୍ତି। ସେ କହିଛନ୍ତି ରାହୁଲ ସଭାପତି ହେବା ଦରକାର।BGUକଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ବିଜେପି ମଧ୍ୟ ପ୍ରତିକ୍ରିୟା ରଖିଛି। ବରିଷ୍ଠ ନେତ୍ରୀ ଉମା ଭାରତୀ କହିଛନ୍ତି ଯେ, ଏବେ ସ୍ୱେଦେଶୀ ଗାନ୍ଧୀ ଆଦର୍ଶରେ କଂଗ୍ରେସ ପରିଚାଳିତ ହେବା ଦରକାର। ସେପଟେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନରୋତ୍ତମ ମିଶ୍ର କହିଛନ୍ତି ଯେ, କଂଗ୍ରେସ ଏମିତି ଏକ ସ୍କୁଲ ଯେଉଁଥିରେ, ହେଡମାଷ୍ଟରଙ୍କ ପିଲା ଫାଷ୍ଟ ହେବ।

Comment