ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦିଗପହଣ୍ଡି ବିଧାନସଭା ଆସନ ପାଇଁ ବିପ୍ଲବ, ସିଦ୍ଧାନ୍ତ ଏବଂ ସୁଜିତଙ୍କ ମଧ୍ୟରେ ହେବ କଡ଼ା ଟକ୍କର, କାହାକୁ ମିଳିବ ଭୋଟରଙ୍କ ସମର୍ଥନ?

ଦିଗପହଣ୍ଡି ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍କର। ଏଥର ବିଜେଡି ଟିକେଟରେ ଲଢୁଛନ୍ତି ବିଜେଡିର ବରିଷ୍ଠ ନେତା ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର। ତାଙ୍କ ବିପକ୍ଷରେ ଅଛନ୍ତି ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଅନ୍ୟପଟେ ସାକା ସୁଜିତ କୁମାରଙ୍କୁ ପୁଣି ପ୍ରାର୍ଥୀ କରିଛି କଂଗ୍ରେସ। ତେଣୁ ଦିଗପହଣ୍ଡିରେ ଏଥର ନିର୍ବାଚନ ବେଶ୍ ରୋଚକ ହେବ ବୋଲି କୁହାଯାଉଛି।

ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଏକ ପ୍ରମୁଖ ବିଧାନସଭା ଆସନ ହେଉଛି ଦିଗପହଣ୍ଡି। ଚଳିତ ନିର୍ବାଚନରେ ଏହି ଆସନରେ ଦେଖିବାକୁ ମିଳିବ ଜୋରଦାର ନିର୍ବାଚନୀ ଲଢ଼େଇ। ତେବେ ଉପରେ ଆସ୍ଥା ଦେଖାଇବେ ଦିଗପହଣ୍ଡି ଭୋଟର ଏବଂ ଆଗାମୀ ୫ ବର୍ଷ ପାଇଁ ଦିଗପହଣ୍ଡିରୁ କିଏ ହେବ ବିଧାୟକ, ତା’ ଉପରେ ଏବେ ରହିଛି ସମସ୍ତଙ୍କ ନଜର।

ବାପାଙ୍କ ପରେ ପୁଅ

ଦିଗପହଣ୍ଡି ବିଜେଡିର ଗଡ଼ ଭାବେ ପରିଚିତ। ୨୦୦୯ ନିର୍ବାଚନରୁ ସୂର୍ଯ୍ୟ ନାରାୟଣ ପାତ୍ର ଏଠାରୁ ଲଗାତର ଜିତି ଆସୁଥିଲେ। ତାଙ୍କ ବିୟୋଗ ପରେ ବିଜେଡି ଏଥର ତାଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ନିର୍ବାଚନୀ ରଣାଙ୍ଗନାରେ ବିପ୍ଲବ ସମ୍ପୂର୍ଣ୍ଣ ନୂଆ। କିନ୍ତୁ ବାପାଙ୍କ ପାଇଁ ଆଗରୁ ସେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ତେଣୁ ତାଙ୍କର ସାଂଗଠନିକ ଦକ୍ଷତା ରହିଛି।

ଅନ୍ୟପଟେ ଦିଗପହଣ୍ଡିରେ ସୂର୍ଯ୍ୟ ନାରାୟଣଙ୍କର ଅପରାଜେୟ ରେକର୍ଡ ରହିଛି, ଯାହା ବିପ୍ଲବଙ୍କ ପାଇଁ ଏଥର ନିର୍ବାଚନରେ ବେଶ୍ ସହାୟ ହେବ ବୋଲି କୁହାଯାଉଛି। ତେଣୁ ଦିଗପହଣ୍ଡି ଆସନରେ ବିଜେଡିର ଦୃଢ଼ ସଂଗଠନ ଓ ବାପାଙ୍କ ଦେହାନ୍ତ ପରେ ଅନୁକମ୍ପାକୁ ଅସ୍ତ୍ର କରି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବିପ୍ଲବ।

ପରିବର୍ତ୍ତନ ଆଶାରେ ସିଦ୍ଧାନ୍ତ

୨୦୧୯ ବିଧାନସଭା ନିର୍ବାଚନରେ ଦିଗପହଣ୍ଡି ଆସନ ଲାଗି ବିଜେପି ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା। ରାଜନୀତିରେ ନବାଗତ ହୋଇଥିଲେ ମଧ୍ୟ ସେ ଭଲ ଲଢ଼େଇ କରିଥିଲେ। ବିଜେପି ସପକ୍ଷରେ ୨୫ ପ୍ରତିଶତ ଭୋଟ୍ ପଡ଼ିଥିଲା। ଏଥର ମଧ୍ୟ ଜଣେ ସିନେ ତାରକାଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି। ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇଛି ଦଳ।

୨୦୦୯ ଏବଂ ୨୦୧୪ରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ବିଜେଡି ଟିକେଟରେ ଜିତି ସାଂସଦ ହୋଇଥିଲେ ସିଦ୍ଧାନ୍ତ। ହେଲେ ୨୦୧୯ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା। ବିଭିନ୍ନ ଅସନ୍ତୋଷ କାରଣରୁ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ ସିଦ୍ଧାନ୍ତ। ତେବେ ସିଦ୍ଧାନ୍ତଙ୍କ ପାଇଁ ଦିଗପହଣ୍ଡି ରାଜନୀତି କିଛି ନୂଆ ନୁହଁ। ଏଠାକାର ଭୋଟରଙ୍କ ସହ ସେ ବେଶ୍ ପରିଚିତ। ତେଣୁ ଦିଗପହଣ୍ଡିରେ ବିଜେପି ସପକ୍ଷରେ ଏଥର ଭୋଟ ହାୱା ବହିବ ବୋଲି ଆଶାବାଦୀ ଅଛନ୍ତି ସିଦ୍ଧାନ୍ତ।

କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି

ଦିଗପହଣ୍ଡିରେ ଉଭୟ ବିଜେଡି ଓ ବିଜେପିର ପ୍ରାର୍ଥୀମାନେ ଜୋରଦାର୍ ପ୍ରଚାର ଆରମ୍ଭ କରିସାରିଲେଣି। ମାତ୍ର କଂଗ୍ରେସ ଏଠାରେ ହଠାତ୍ ପ୍ରାର୍ଥୀ ପରିବର୍ତ୍ତନ କରି ଉଭୟ ନେତା ଓ କର୍ମୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଆରମ୍ଭରୁ ଏହି ଆସନ ପାଇଁ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଶ୍ରୀଧର ଦେବଙ୍କୁ ପ୍ରାର୍ଥୀ କରିଥିଲା ଦଳ, ହେଲେ ଏବେ ପୁଣି ପୁରୁଣା ନେତା ତଥା କଂଗ୍ରେସ ଟିକେଟରୁ ପୂର୍ବରୁ ନିର୍ବାଚନ ଲଢ଼ିଥିବା ସାକା ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି ଦଳ।

ଦିଗପହଣ୍ଡି ଆସନରେ କଂଗ୍ରେସର ପାରମ୍ପରିକ ଭୋଟ୍ ବ୍ୟାଙ୍କ ଗତ ୨୦୧୯ ନିର୍ବାଚନରେ ଦୁର୍ବଳ ହୋଇ ଯାଇଥିଲା। ସେଥର କଂଗ୍ରେସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଥିଲା ବିଜେପି। କିନ୍ତୁ ଏହାପରେ ଦିଗପହଣ୍ଡିରେ ନିଜର ସଂଗଠନକୁ ମଜଭୂତ କରିଛି କଂଗ୍ରେସ। ୨୦୨୨ ପୌର ନିର୍ବାଚନରେ ଦିଗପହଣ୍ଡି ଏନ୍‌ଏସ୍‌ସି ଦଖଲ କରିଛି ଦଳ। ତେଣୁ ଏଥର ନିର୍ବାଚନରେ କଂଗ୍ରେସ ବିଜେଡି ଏବଂ ବିଜେପିକୁ କଡ଼ା ଟକ୍କର ଦେଇପାରେ ବୋଲି କୁହାଯାଉଛି।

ଦିଗପହଣ୍ଡିର ଭୋଟବ୍ୟାଙ୍କ

୨୦୦୯ ନିର୍ବାଚନରୁ ଦିଗପହଣ୍ଡି ଆସନରୁ ଜିତି ଆସୁଛି ବିଜେଡି। ୨୦୦୯ରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର ୬୫ ହଜାର ୨୧୯ ଖଣ୍ଡ ଭୋଟ ପାଇ ବିଜୟଲାଭ କରିଥିଲେ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଭି ରାବିନାରାୟଣ ରାଜୁ ୩୨ ହଜାର ୪୫୬ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ବିଜେପି ପ୍ରାର୍ଥୀ ଶ୍ରୀଧର ଦେବ ୪ ହଜାର ୧୧୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ଏହାପରେ ୨୦୧୪ରେ ପୁଣି ଜିତାପଟ୍ ହାସଲ କରିଥିଲା ବିଜେଡି। ସେଥର ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ମିଳିଥିଲା ୭୮ ହଜାର ୯୪୯ ଖଣ୍ଡ ଭୋଟ୍। କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର ୩୩,୦୫୨ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଏବଂ ବିଜେପି ପ୍ରାର୍ଥୀ ବିଜୟ ସ୍ୱାଇଁଙ୍କୁ ମିଳିଥିଲା ୭,୭୭୧ ଭୋଟ୍। ପୁନର୍ବାର ତୃତୀୟରେ ରହିଥିଲା ବିଜେପି।

୨୦୧୯ ସାଧାରଣ ନିର୍ବାଚନରେ କିନ୍ତୁ ଦିଗପହଣ୍ଡିର ଅଙ୍କ ବଦଳିଥିଲା। ସବୁଥର ଭଳି ଏଥର ବି ବିଜେଡି ଖାତାକୁ ଯାଇଥିଲା ଦିଗପହଣ୍ଡି। ସୂର୍ଯ୍ୟନାରାୟଣ ପାତ୍ର ୭୫ ହଜାର ୧୬ ଖଣ୍ଡ ଭୋଟ୍ ପାଇ ବିଜୟଲାଭ କରିଥିଲେ। ମାତ୍ର ବିଜେପି ଏବଂ କଂଗ୍ରେସର ଭୋଟ୍ ଅଙ୍କ ଏଠି ବଦଳିଥିଲା। ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନଙ୍କୁ ମିଳିଥିଲା ୩୪ ହଜାର ୫୬୪ ଭୋଟ। ଏହାସହ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଥିଲା ବିଜେପି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ୧୭ ହଜାର ୮୧୫ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନକୁ ଖସିଯାଇଥିଲେ।

ବିଜେଡି ସପକ୍ଷରେ ପୁରୁଣା ପରିସଂଖ୍ୟାନ

ଦିଗପହଣ୍ଡି ଆସନର ପୁରୁଣା ପରିସଂଖ୍ୟାନକୁ ଯଦି ବିଶ୍ଳେଷଣ କରଯାଏ, ତେବେ ବିଜେଡି ସପକ୍ଷରେ ଭୋଟରଙ୍କ ମତ ରହିଥିବା କୁହାଯାଇ ପାରିବ। କିନ୍ତୁ ଗତ ନିର୍ବାଚନରେ ବିଜେପି ଏଠାରେ ବହୁତ ଭଲ ପ୍ରଦର୍ଶନ କରିଥିଲା। ତେଣୁ ଏଥର ମଧ୍ୟ ବିଜେଡି ଆଉ ବିଜେପି ମଧ୍ୟରେ ଜୋରଦାର୍ ଲଢ଼େଇ ହେବ ବୋଲି କୁହାଯାଉଛି।

ଅନ୍ୟପଟେ ଦିଗପହଣ୍ଡି ଆସନରେ ଏଥର ଉଭୟ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଅନୁଭବୀ ଏବଂ ଅଭିଜ୍ଞ ଅଛନ୍ତି। ବିଜେପି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ପୂର୍ବରୁ ବ୍ରହ୍ମପୁର ଲୋକସଭା ଆସନରୁ ଦୁଇ ଦୁଇ ଥର ସାଂସଦ ରହିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର ଏକାଧିକ ଥର ନିର୍ବାଚନ ଲଢ଼ିଛନ୍ତି।

ହେଲେ ଏ ଦୃଷ୍ଟିରୁ ଦେଖିଲେ ବିଜେଡି ପ୍ରାର୍ଥୀ ବିପ୍ଲବ ନିର୍ବାଚନ ରାଜନୀତିରେ ପୂରା ନୂଆ। ଦୁଇ ପୁରୁଣା ନେତାଙ୍କୁ ଟକ୍କର ଦେବା ତାଙ୍କ ପାଇଁ ବଡ଼ ଆହ୍ୱାନ ହୋଇପାରେ। ମାତ୍ର ବାପାଙ୍କ ସଙ୍ଗଠନ ଏବଂ ବିଜେଡିର ବିକାଶ ବାର୍ତ୍ତାକୁ ଆଧାର କରି ବିପ୍ଲବ ଏଥର ଭୋଟରଙ୍କ ପାଖରେ ପହଞ୍ଚିବେ ବୋଲି କୁହାଯାଉଛି।

ମେ’ ୧୩ ତାରିଖରେ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ୫ ବର୍ଷ ପାଇଁ ବିଧାୟକ ବାଛିବେ ଭୋଟର। ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ।

Tags: #Politics #OdishaPolitics #AssemblyElections2024 #Odisha #BJD #BJP #Congress #DigapahandiAssemblyElection

Comment