ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଥର ପୁରୀ ବିଧାନସଭା ବାଜି ବିଜେପି ହାତକୁ ଯିବ ନା ଗଡ଼ ଫେରିପାଇବ ବିଜେଡି, ଜିତିବା ଲକ୍ଷ୍ୟରେ ବି ରହିଛି କଂଗ୍ରେସ।

ପୁରୀ ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍କର। ଏହି ଆସନରେ ସୁନୀଲ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ ବିଜେପି ପୁଣି ଥରେ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଉପରେ ଭରସା କରିଛି। ସେହିପରି ଉମାବଲ୍ଲଭ ରଥଙ୍କୁ ମଇଦାନକୁ ଆଣିଛି କଂଗ୍ରେସ।

ପୁରୀରେ ପୁଣି ଜୟନ୍ତ ବାଜି ମାରିବେ ନା ବାପାଙ୍କ ଗଡ଼ ଦଖଲ କରିବାକୁ ସମର୍ଥ ହେବେ ସୁନିଲ। ନା ଦୁଇ ଦଳର ସ୍ଵପ୍ନ ଭାଙ୍ଗିବାରେ ସଫଳ ହେବେ ଉମାବଲ୍ଲଭ, ଏହି ଉତ୍ତର ପାଖରେ ଅଟକିଛି ସାରା ରାଜ୍ୟର ନଜର।

ବାପାଙ୍କ ଗଡ଼ ଦଖଲ ଲକ୍ଷ୍ୟରେ ସୁନୀଲ

୧୯୯୫ରୁ ମହେଶ୍ଵର ମହାନ୍ତିଙ୍କ ଦଖଲରେ ଥିଲା ପୁରୀ ବିଧାନସଭା ଆସନ। ପ୍ରଥମ ପାଳି ଜନତା ଦଳ ଓ ପର ପାଳି ବିଜେଡି ଟିକେଟରେ ବିଜୟ ହାସଲ କରିଥିଲେ ମହେଶ୍ଵର ମହାନ୍ତି। କିନ୍ତୁ ରାଜନୈତିକ ଲମ୍ବା କ୍ୟାରିୟର ଭିତରେ ପ୍ରଥମ ଥର ପାଇଁ ୨୦୧୯ରେ ତାଙ୍କୁ ଜୋରଦାର ଝଟକା ଲାଗିଥିଲା। ନିଜର ରାଜନୈତିକ ଶିଷ୍ୟ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ମହେଶ୍ଵର ମହାନ୍ତି।

ମହେଶ୍ଵର ମହାନ୍ତିଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ପୁରୀ ବିଧାନସଭା ଆସନରେ ପ୍ରାର୍ଥୀ କରିଛି ବିଜେଡି। ଅନୁକମ୍ପା ଭୋଟ, ବିଜେଡିର ସଂଗଠନ, ବାପାଙ୍କ ବ୍ୟକ୍ତିଗତ ଭୋଟ ଏବଂ ପୁରୀରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ନେଇ ଏଥର ଭୋଟରଙ୍କ ପାଖକୁ ଯିବେ ସୁନୀଲ।

ରାଜନୀତି ସମୀକ୍ଷକଙ୍କ କହିବା କଥା, ମହେଶ୍ଵର ମହାନ୍ତିଙ୍କ ଅବର୍ତ୍ତମାନ ସୁନୀଲଙ୍କୁ କିଛି ମାତ୍ରାରେ ଅଡ଼ୁଆରେ ପକାଇପାରେ। କିନ୍ତୁ ବିଜେଡିର ସଂଗଠନ ଏଠାରେ ମଜଭୁତ ଥିବାରୁ ସୁନୀଲଙ୍କ ପାଇଁ ନିର୍ବାଚନ ପରିଚାଳନା ଏତେ କଷ୍ଟକର ହେବ ନାହିଁ।

ପୂର୍ବରୁ ମଧ୍ୟ ସୁନୀଲ ବିଜେଡି ସଂଗଠନରେ କାମ କରିଛନ୍ତି। ବାପାଙ୍କ ସହ ନିର୍ବାଚନ ପରିଚାଳନାରେ ମଧ୍ୟ ସାମିଲ ହୋଇଛନ୍ତି। ଚଳିତ ନିର୍ବାଚନ ସୁନୀଲଙ୍କ ପାଇଁ ପରୀକ୍ଷାର ସମୟ ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି।

ଜୟନ୍ତଙ୍କ ଉପରେ ପୁଣି ବିଜେପିର ଭରସା

୨୦୧୯ ନିର୍ବାଚନରେ ମହେଶ୍ଵର ମହାନ୍ତିଙ୍କ ବିପକ୍ଷରେ ଲଢ଼ି ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଉପରେ ଏଥର ପୁଣି ଭରସା କରିଛି ବିଜେପି। ନିଜର ରାଜନୈତିକ ଗୁରୁଙ୍କୁ ହରାଇବା ପରେ ଏବେ ଗୁରୁଭାଇ ସୁନୀଲ ମହାନ୍ତିଙ୍କ ସହ ରାଜନୈତିକ ମଇଦାନରେ ଲଢ଼ିବେ ଜୟନ୍ତ।

ଜୟନ୍ତ ଷଡ଼ଙ୍ଗୀ ମହେଶ୍ଵର ମହାନ୍ତିଙ୍କର ଅତ୍ୟନ୍ତ ନିକଟତର ଥିଲେ। ତେଣୁ ବିଜେଡିର କିଛି ସମର୍ଥକଙ୍କ ସହ ତାଙ୍କର ବେଶ ଘନିଷ୍ଠତା ରହିଛି। ସେ ପୁରୀ ମ୍ୟୁନିସିପାଲ୍ଟିର ଅଧ୍ୟକ୍ଷ ମଧ୍ୟ ଥିଲେ। ବିଧାୟକ ନିର୍ବାଚିତ ହେବା ପରେ ଏବେ ତାଙ୍କର ରାଜନୈତିକ ଅଭିଜ୍ଞତା ମଧ୍ୟ ବଢ଼ିଛି। ତେଣୁ ଏଥର ବି ସେ ରାଜନୈତିକ ଫାଇଟିରେ ବିଜୟୀ ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

ଜୟନ୍ତ କୁମାର ଷଡ଼ଙ୍ଗୀ ବିଜେଡିରେ ଥିଲା ବେଳେ ମହେଶ୍ଵର ମହାନ୍ତିଙ୍କର ଏକାନ୍ତ ଅନୁଗତ ଥିଲେ। ତେଣୁ ସଂଗଠନରେ ତାଙ୍କର ବେଶ ପ୍ରଭାବ ରହିଥିଲା। ତେବେ ପୁଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ମହେଶ୍ଵର ମହାନ୍ତି ଚାହୁଁନଥିଲେ ଜୟନ୍ତଙ୍କୁ ଟିକେଟ ମିଳୁବୋଲି। ଗତ ନିର୍ବାଚନ ପୂର୍ବରୁ ଜୟନ୍ତଙ୍କୁ ସତ୍ୟବାଦୀରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେବା ପରେ ସେ ସେଠାକୁ ଯାଇ ନିଜର ସମର୍ଥନ ବଢ଼ାଇବାରେ ଲାଗି ପଡ଼ିଥିଲେ। କିନ୍ତୁ ଟିକେଟ ମିଳିବା ଆଶା କ୍ଷୀଣ ହୋଇଯିବାରୁ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେପିରୁ ଟିକେଟ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ବିଜୟ ପାଇଁ କଂଗ୍ରେସର କସରତ

ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ଵାଧୀନ, ଜନତା ଦଳ, କଂଗ୍ରେସ ଓ ବିଜେପି ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଆସିଛନ୍ତି ୨୦୨୪ର କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ।

୧୯୯୧ରେ ଲୋକସଭା ନିର୍ବାଚନରେ ଜିତି ବ୍ରଜକିଶୋର ତ୍ରିପାଠୀ ବିଧାୟକ ପଦରୁ ଇସ୍ତଫା ଦେବା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଉମାବଲ୍ଲଭ ରଥ। ମାତ୍ର ଥରୁଟିଏ ହିଁ ସେ ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ। ଏଥର କଂଗ୍ରେସ ପ୍ରଥମେ ସୁଜିତ ମହାପାତ୍ରଙ୍କୁ ଟିକଟ ଦେଇଥିଲା। କିନ୍ତୁ ପରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି ଦଳ। ଏହାକୁ ନେଇ କଂଗ୍ରେସର ଗୋଟିଏ ଗୋଷ୍ଠୀ ଉମାବଲ୍ଲଭଙ୍କ ପ୍ରାର୍ଥୀତ୍ଵକୁ ତୀବ୍ର ବିରୋଧ କରିଥିଲେ। ଏହାକୁ ନେଇ ଦଳ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ତେବେ ଉମାବଲ୍ଲଭ ରଥଙ୍କର ବ୍ୟକ୍ତିଗତ ଭୋଟ ବ୍ୟାଙ୍କ ରହିଥିବାରୁ ପୁରୀରେ କଂଗ୍ରେସ ଦୁର୍ବଳ ଥିଲେ ମଧ୍ୟ ନିଜ ଦମରେ ସେ ଜିତିବା ଆଶାରେ ଅଛନ୍ତି।

ବାଜି ପଲଟାଇପାରନ୍ତି କଂଗ୍ରେସ ପ୍ରାର୍ଥୀ

ଗତ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵିତା ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ୩ ହଜାରରୁ କମ ଭୋଟ ପାଇଥିଲେ। ଗତ ଥରର କଂଗ୍ରେସ ପ୍ରାର୍ଥୀ ନବାଗତ ଥିବାରୁ ତାଙ୍କର ରାଜନୈତିକ ଅଭିଜ୍ଞତା ବେଶୀ ନଥିଲା। କିନ୍ତୁ ଚଳିତ ଥର କଂଗ୍ରେସ ଜଣେ ପ୍ରଭାବଶାଳୀ ତଥା ଅଭିଜ୍ଞ ନେତାଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏଥର କଂଗ୍ରେସ ଖାତାକୁ ଅଧିକ ଭୋଟ ଆସିବାର ସମ୍ଭାବନା ରହିଛି।

ତେବେ ଦେଖିବାକୁ ବାକି ରହିଲା ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରୁ କାହା ଉପରେ ଭରସା କରୁଛନ୍ତି ପୁରୀ ଭୋଟର।

Tags: #Politics #OdishaPolitics #OdishaAssemblyElections2024 #PuriAssemblyElection2024 #Odisha #BJD #BJP #Congress

LEAVE A REPLY

Please enter your comment!
Please enter your name here