ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

“ଓଡ଼ିଶାରେ ଷଷ୍ଠ ଥର ପାଇଁ ସରକାର ଗଢ଼ିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ଜୁନ ୪ ତାରିଖରେ ବିରୋଧୀଙ୍କ ଚକ୍ରାନ୍ତର କଡ଼ା ଜବାବ ଦେବେ ରାଜବାସୀ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢ଼ିବା ବିଜେପିର ଦିବା ସ୍ଵପ୍ନ ମାତ୍ର”, ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ।

ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ଦଳୀୟ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏପରିକି ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆଜି ଏହାର କଡ଼ା ଜବାବ ରଖିଛନ୍ତି ଭିକେ ପାଣ୍ଡିଆନ।

ସେ କହିଛନ୍ତି, “୨୦୧୯ରେ ନିର୍ବାଚନ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ାଠାରେ କହିଥିଲେ, ଏଥର ନବୀନ ବାବୁଙ୍କର ଫେୟାରଓ୍ଵେଲ ହେଉଛି। ଓଡ଼ିଶାରେ ଆଉ ବିଜେଡି ସରକାର ଆସିବ ନାହିଁ। ସେହିବର୍ଷ କେନ୍ଦ୍ରାପଡ଼ାବାସୀ ଏବଂ ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେଲେ ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ସରକାର ଗଢ଼ିଲେ। ଏଥର ବି ଓଡ଼ିଶାବାସୀ ବିରୋଧୀଙ୍କ ଚକ୍ରାନ୍ତର ଉଚିତ ଜବାବ ଦେବେ।”

ଭିକେ ପାଣ୍ଡିଆନ ଆହୁରି କହିଛନ୍ତି ଯେ, ୨୦୧୯ରେ ବିଜେପିର ୮ ଜଣ ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ। ସେମାନେ ଥରେ ହେଲେ ରାଜ୍ୟର ସ୍ୱାର୍ଥ ପାଇଁ ପାଟି ଫିଟେଇ ନାହାନ୍ତି। ଗତ ୫ ବର୍ଷ ମଧ୍ୟରେ ସେମାନେ ଓଡ଼ିଶା ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।

“ଜାତୀୟ ଦଳର ସାଂସଦମାନେ କେବଳ ନିଜ କଥା ଚିନ୍ତା କରନ୍ତି, ମନ୍ତ୍ରୀ ହେବା ପାଇଁ ଲବି କରନ୍ତି। ସାରା ଦେଶ ପାଇଁ ଯେଉଁ ଯୋଜନା ହେଉଛି, ଓଡ଼ିଶାରେ ମଧ୍ୟ ତାହା ଲାଗୁ ହେଉଛି। କିନ୍ତୁ ସ୍ଵତନ୍ତ୍ର ଭାବେ ଓଡ଼ିଶା ପାଇଁ କୌଣସି ଯୋଜନା ଆଣିନାହିଁ ବିଜେପି”, ଭିକେ ପାଣ୍ଡିଆନ କହିଛନ୍ତି।

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବା ଲାଗି ବିରୋଧୀ ହୀନ ଚକ୍ରାନ୍ତ କରୁଛନ୍ତି। ଆସନ୍ତା ଜୁନ ୪ ତାରିଖରେ ଓଡ଼ିଶାବାସୀ ଏହାର କଡ଼ା ଜବାବ ଦେବେ। ଚଳିତ ନିର୍ବାଚନରେ ତିନି ଚତୁର୍ଥାଂଶ ବିଧାନସଭା ଆସନ ଏବଂ ଗତ ଥର ତୁଳନାରେ ଅଧିକ ସଂସଦୀୟ କ୍ଷେତ୍ର ବିଜେଡି ଦଖଲ କରିବ ବୋଲି ପାଣ୍ଡିଆନ କହିଛନ୍ତି।

ସେ କହିଛନ୍ତି ସାରା ଭାରତ ବର୍ଷ ପାଇଁ ଆୟୁଷ୍ମାନ ଭାରତର ବଜେଟ ୭ ହଜାର କୋଟି ଟଙ୍କା ରହିଥିବାବେଳେ ଓଡ଼ିଶା ଭାଗରେ ପଡ଼ିବ ମାତ୍ର ୩୦୦ କୋଟି। କିନ୍ତୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଗୋଟେ ମାସର ବଜେଟ ୩୦୦ କୋଟି ଟଙ୍କା ରହିଛି।

ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶାରେ ମାତ୍ର ୫୦ ଲକ୍ଷ ପରିବାର ଲାଭବାନ ହେବାକୁ ଥିବାବେଳେ ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନାରେ ୯୫ କୋଟି ଲୋକ ଉପକୃତ ହେଉଛନ୍ତି।

ବିଜେପିକୁ ଟାର୍ଗେଟ କରି ଭିକେ ପାଣ୍ଡିଆନ କହିଛନ୍ତି, ନିର୍ବାଚନ ସମୟ ଆସିଲେ ବିଜେପି ନେତାମାନଙ୍କର ଓଡ଼ିଶା ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ ହୁଏ। ନିର୍ବାଚନ ପରେ ସବୁ ଭୁଲିଯାଆନ୍ତି। ଆଜି ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ନେତାମାନେ ଓଡ଼ିଆ ଭାଷା ପାଇଁ କ’ଣ କରିଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ଦେଇନାହାନ୍ତି ବୋଲି କହିଛନ୍ତି ଭିକେ ପାଣ୍ଡିଆନ।

ଭିକେ ପାଣ୍ଡିଆନ ଆହୁରି କହିଥିଲେ, ୨୦୧୪ ଓ ୨୦୧୯ ବିଜେପି ପ୍ରକାଶ କରିଥିବା ଇସ୍ତାରହାରରେ ରାଜ୍ୟରୁ ବେକାରୀ ସମସ୍ୟା ଦୂର କରିବା ପାଇଁ ୨ କୋଟି ରୋଜଗାର ଦିଆଯିବ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୦ ପ୍ରତିଶତ ବି ରୋଜଗାର ଦିଆଯାଇନାହିଁ ବୋଲି ସେ କହିଛନ୍ତି।

ଓଡ଼ିଶାରେ ବିଜେଡି ସରକାର ଗଢ଼ିବା ଦିନଠାରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ବିକାଶ ଉପରେ ଗୁରୁତ୍ଵ ଦେଇଆସୁଛନ୍ତି। ଓଡ଼ିଶାକୁ ସ୍ପୋର୍ଟ୍ସ କ୍ୟାପିଟାଲରେ ପରିଣତ କରିବାଠାରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସାରା ବିଶ୍ଵର ଧ୍ୟାନ ଆକର୍ଷଣ କରିଛନ୍ତି ବିଜେଡି ସରକାର। ଶିକ୍ଷାଠାରୁ ସ୍ଵାସ୍ଥ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିକାଶ ହୋଇଛି।

ବିଜେପି ସରକାରଙ୍କୁ ସମାଲୋଚନା କରି ଭିକେ ପାଣ୍ଡିଆନ କହିଛନ୍ତି, “ଇଣ୍ଡୋନେସିଆ ସରକାର ବିଜୁବାବୁଙ୍କୁ ‘ଭୂମିପୁତ୍ର ସମ୍ମାନରେ ସମ୍ମାନିତ କଲେ, କିନ୍ତୁ ଓଡ଼ିଶା ତଥା ଭାରତ ପାଇଁ ବିପୁଳ ଅବଦାନ ଥାଇ ମଧ୍ୟ କେନ୍ଦ୍ର ସରକାର ବିଜୁବାବୁଙ୍କ ଏଯାଏଁ ଭାରତରତ୍ନ ସମ୍ମାନ ଦେଇନାହାନ୍ତି।”

ଭିକେ ପାଣ୍ଡିଆନ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଥିଲେ, ୧୦ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ରହିଲେ, ଓଡ଼ିଶା ପାଇଁ କ’ଣ କରିଛନ୍ତି, ନିଜ ଜନ୍ମମାଟି ଢେଙ୍କାନାଳା ପାଇଁ କ’ଣ କରିଛନ୍ତି?

ବିଜେପିର ଇସ୍ତାହାର ସମ୍ପର୍କରେ କହିବାକୁ ଯାଇ ଭିକେ ପାଣ୍ଡିଆନ କହିଥିଲେ, “ଭାରତୀୟ ଜନତା ପାର୍ଟିର ଇସ୍ତାହାର ଓଡ଼ିଶାକୁ ୨୫ ବର୍ଷ ପଛକୁ ନେଇଯିବ।”

ଆଉ ଦିନେ ଦୁଇଦିନ ଭିତରେ ବିଜେଡିର ଇସ୍ତାହାର ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଜେଡିର ଇସ୍ତାହାରରେ ରାଜ୍ୟବାସୀଙ୍କ ପାଇଁ ଅନେକ ସରପ୍ରାଇଜ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ବିକାଶ ଉପରେ ସବୁବେଳେ ଗୁରୁତ୍ଵ ଦେଇଆସିଛନ୍ତି। ଷଷ୍ଠ ପାଳିର ସରକାରରେ ମଧ୍ୟ ତାଙ୍କର ଭିଜନ ସମାନ ରହିବ ବୋଲି ସେ କହିଛନ୍ତି।

Tags: #Politics #OdishaPolitics #VKPandian #PressMeet #AssemblyElections2024 #Odisha #BJD #BJP

Comment