ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଂଗ୍ରେସ ଦଳରେ ପୁଣି ଆରମ୍ଭ ହେଲା କନ୍ଦଳ
  • ରାହୁଲଙ୍କୁ ଟାର୍ଗେଟ କରି ଟୁଇଟ କଲେ କପିଲ୍ ସିବଲ
  • କଂଗ୍ରେସରେ ଖୁବଶୀଘ୍ର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା

ରାହୁଲଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି ଦଳର ବରିଷ୍ଠ ନେତା। ଏପରିକି ରାହୁଲଙ୍କୁ ଟାର୍ଗେଟ କରି ଦଳର ନେତାମାନେ ଟୁଇଟରେ ଘମାସନ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି।

ଅସଲ କଥା ହେଉଛି, ଆଜି ଭର୍ଚୁଆଲ୍ ମାଧ୍ୟମରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା। ଏଥିରେ ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିବା ଚିଠିକୁ ନେଇ ନିଜର ମତ ରଖିଥିଲେ। କଂଗ୍ରେସ ଦଳର ଏଭଳି ସମୟରେ ଦଳର ନେତାମାନେ କିଭଳି ଭାବେ ଏପରି ଚିଠି ଲେଖିପାରିଲେ ତାକୁ ନେଇ ରାହୁଲ୍ ପ୍ରଶ୍ନ ଉଠାଇଥିଲେ। ଏପରିକି ଦଳର ନେତାମାନେ ବିଜେପି ସହ ମିଶିଛନ୍ତି ବୋଲି ରାହୁଲ୍ କହିଥିଲେ।

ରାହୁଲଙ୍କ ଏପରି ଆକ୍ଷେପ ପରେ ଦଳର କିଛି ବରିଷ୍ଠ ନେତାମାନେ ଟୁଇଟରରେ ଲଗାତାର ଟୁଇଟ୍ କରିବା ଆରମ୍ଭ କରିଦେଇଛନ୍ତି। ଦଳର ବରିଷ୍ଠ ନେତା କପିଲ୍ ସିବଲ କହିଛନ୍ତି ଯେ, ରାଜସ୍ଥାନ ହାଇକୋର୍ଟରେ ସେ କଂଗ୍ରେସ ପାର୍ଟିର ପକ୍ଷ ରଖିଥିଲେ। ମଣିପୁରରେ ମଧ୍ୟ ସେ ଦଳକୁ ବଞ୍ଚାଇଛନ୍ତି। ଗତ ୩୦ ବର୍ଷ ଭିତରେ ସେ ଏପରି କିଛି ଟିପ୍ପଣୀ ଦେଇନାହାନ୍ତି ଯାହା ବିଜେପିକୁ ଫାଇଦା ଦେଇଛି। ଏହାପରେ ମଧ୍ୟ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ସେ ନାପସନ୍ଦ କରିଛନ୍ତି। ତେବେ ଏହାର କିଛି ସମୟ ପରେ ସେ ତାଙ୍କର ଟୁଇଟକୁ କାଟି ଦେଇଛନ୍ତି।BGU

ସେହିପରି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ମଧ୍ୟ ରାହୁଲଙ୍କ ଟୁଇଟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯଦି ରାହୁଲଙ୍କ କଥା ସତ ହେଲା ତେବେ ସେ ଦଳରୁ ଇସ୍ତଫା ଦେବେ ବୋଲି ସେ କହିଛନ୍ତି।

କିଛି ଦିନ ତଳେ କଂଗ୍ରେସ ଦଳର ୨୩ ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ କଂଗ୍ରେସ ନେତୃତ୍ୱରେ ପରିବର୍ତ୍ତନକୁ ନେଇ ଆଲୋଚନା କରାଯାଇଥିଲା। ଯାହାକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ହେବା ସହିତ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଥିଲା। ଯାହାକୁ ରାହୁଲ ଗାନ୍ଧୀ ନାପସନ୍ଦ କରିଛନ୍ତି।

Comment