ଓଡ଼ିଶାଲାଇଭ୍ ବ୍ୟୁରୋ 
୧୦ ଶ୍ରେଣୀ ସିବିଏସ୍ଇ ବୋର୍ଡ ପରୀକ୍ଷାର ଭିନ୍ନକ୍ଷମ ବର୍ଗରେ ଅନୁଷ୍କା ପ୍ରଥମ ସ୍ଥାନ ହାସଲ କରିଛନ୍ତି ଗୁରୁଗ୍ରାମର ଅନୁଷ୍କା ପଣ୍ଡା।
ମନରେ କିଛି କରିବାର ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ। ଏହି ଉକ୍ତିଟିକୁ ବାସ୍ତବତାରେ ପରିଣତ କରିଛନ୍ତି ଗୁରୁଗ୍ରାମର ଅନୁଷ୍କା ପଣ୍ଡା। ୧୦ ଶ୍ରେଣୀ ସିବିଏସ୍ଇ ବୋର୍ଡ ପରୀକ୍ଷାର ଭିନ୍ନକ୍ଷମ ବର୍ଗରେ ଅନୁଷ୍କା ପ୍ରଥମ ସ୍ଥାନ ହାସଲ କରିଛନ୍ତି ଅନୁଷ୍କା। ବୋର୍ଡ ପରୀକ୍ଷାରେ ୯୭. ୮ପ୍ରତିଶତ ନମ୍ବର ରଖି ଶୀର୍ଷସ୍ଥାନ ହାସଲ କରିଛନ୍ତି। ସେ ଗଣିତ ଓ ହିନ୍ଦୀ ବିଷୟରେ ୯୯, ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ୯୮ ଏବଂ ଇଂରାଜୀରେ ୯୫ ନମ୍ବର ରଖିଛନ୍ତି।
ସେ ମସ୍କ୍ୟୁଲାର୍ ସ୍ପାଇନାଲ୍ ଏଟ୍ରୋଫି ରୋଗରେ ଆକ୍ରାନ୍ତ ହୋଇଥିବାରୁ ହୁଇଲ୍ଚେୟାର୍ରେ ବସି ରହୁଛନ୍ତି। ଦୀର୍ଘ ସମୟ ଧରି ମଧ୍ୟ ପଢ଼ାପଢ଼ି କରି ପାରୁନାହାନ୍ତି। ଏହାସତ୍ତ୍ୱେ ବି ସେ ଏହି ସଫଳତା ପାଇପାରିଛନ୍ତି।
ଗୁରୁଗ୍ରାମର ସନ୍ସିଟି ସ୍କୁଲ୍ର ଛାତ୍ରୀ ଅନୁଷ୍କା ମଧ୍ୟ ଜଣେ ତାଲିମପ୍ରାପ୍ତ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା। ଗାୟକ ମହମ୍ମଦ ରଫି ଏବଂ କିଶୋର କୁମାରଙ୍କ ବଡ଼ ଫ୍ୟାନ୍ ସେ।
ଅଧିକ ସମୟ ଧରି ପାଠପଢିଲେ ତାଙ୍କ ଶରୀର ଯନ୍ତ୍ରଣା ହୋଇଥାଏ। ଫଳରେ ଘଣ୍ଟାଏ ପଢ଼ିଲା ପରେ ଶୋଇ ଯାଆନ୍ତି ଅନୁଷ୍କା। ସେ ପାଠପଢ଼ାରେ ବହୁ ନିଷ୍ଠାପର।
“ସ୍ପାଇନାଲ୍ ବ୍ରେସ୍ ପିନ୍ଧୁଥିବାରୁ ଅନୁଷ୍କା ଦୀର୍ଘ ସମୟ ବସି ପାରୁ ନାହାନ୍ତି। ଏସବୁ ସତ୍ତ୍ୱେ ଅନୁଷ୍କା ଚାହେଁ ତାଙ୍କୁ କଦାପି ଜଣେ ଦିବ୍ୟାଙ୍ଗ ଦୃଷ୍ଟିରେ ଦେଖା ନ ଯାଉ ବୋଲି ଅନୁଷ୍କା ଚାହେଁ”, କହିଛନ୍ତି ତାଙ୍କ ବାପା ଅନୁପ ପଣ୍ଡା।
ପରୀକ୍ଷାବେଳେ ସ୍କୁଲ୍ ତରଫରୁ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ବେଞ୍ଚ୍ ଯୋଗାଇ ଦିଆଯାଇଥିଲା। ପରୀକ୍ଷାରେ ଉତ୍ତର ଲେଖିବା ପାଇଁ ତାଙ୍କୁ ମିଳିଥିବା ବଳକା ସମୟକୁ ସେ କେବେ ବିନିଯୋଗ କରିବାକୁ ଚାହିଁ ନଥିଲେ। ଅଢ଼େଇ ଘଣ୍ଟା ମଧ୍ୟରେ ହିଁ ସେ ସବୁ ଉତ୍ତର ସାରି ଦେଉଥିଲେ।
ଅନୁଷ୍କାଙ୍କ ବାପା କହନ୍ତି, ପରୀକ୍ଷା ପ୍ରସ୍ତୁତିରେ ସେ କେବେ ଜଣେ ସ୍ୱତନ୍ତ୍ର ବର୍ଗର ପିଲା ଭାବେ ପରିଚିତ ହେବାକୁ ଚାହୁଁ ନ ଥିଲେ। ଅଢ଼େଇ ଘଣ୍ଟାରେ ହିଁ ସେ ସବୁ ପ୍ରଶ୍ନପତ୍ରର ସମାଧାନ କରୁଥିପିଲା।
“ପରୀକ୍ଷାରେ ସଫଳତା ହାସଲ କରିବେ ବୋଲି ଜାଣିଥିଲେ କିନ୍ତୁ ଶୀର୍ଷସ୍ଥାନ ହାସଲ କରିବେ ବୋଲି କେବେ ବି ଭାବିନଥିଲେ। ଫଳାଫଳ ବାହାରିବା ପରେ ମୁଁ ବହୁତ ଖୁସି। ପ୍ରଥମ ଦିନରୁ ହିଁ ମୁଁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲି। ପ୍ରତି ବିଷୟ ପାଇଁ ମୁଁ ଦୈନିକ ଅନ୍ୟୂନ ଅଧଘଣ୍ଟାଏ ସମୟ ଦେଉଥିଲି”,କହିଛନ୍ତି ଅନୁଷ୍କା।
ପରୀକ୍ଷାରେ ସଫଳତା ପାଇବା ପରେ ପିଜ୍ଜା ମଗାଇ ସେଲିବ୍ରେସନ କରିଛନ୍ତି ଅନୁଷ୍କା। ସଫଳତା ପାଇଁ ପିତାମାତା ଏବଂ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ସେ।
ଅନୁଷ୍କା ହେଉଛନ୍ତି ନିଜ ବାପାମା’ଙ୍କର ଏକମାତ୍ର ସନ୍ତାନ। ବାପା ତାଙ୍କର ଭିଓ୍ଵାଡ଼ିସ୍ଥିତ ଏମ୍ଏନ୍ସିରେ ଯୋଗାଣ ବିଭାଗର ମୁଖ୍ୟ ଭାବେ କାମ କରନ୍ତି। ମାଆ ଗୁରୁଗ୍ରାମସ୍ଥିତ ଏମ୍ଏନ୍ସିରେ କାମ କରନ୍ତି।
ପାଠପଢ଼ା ବ୍ୟତୀତ ଅନୁଷ୍କା ଗୀତ ଶୁଣନ୍ତି ଏବଂ ଚିତ୍ର ମଧ୍ୟ ଆଙ୍କନ୍ତି। ଭବିଷ୍ୟତରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ହେବାକୁ ଲକ୍ଷ୍ୟ ରଖିଛନ୍ତି ଅନୁଷ୍କା।