ଓଡ଼ିଶାଲାଇଭ୍‌ ପ୍ରମୁଖ ପ୍ରତିନିଧି

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି ହଜିବାକୁ ନେଇ ଚାଲିଛି ଚର୍ଚ୍ଚା ହେଲେ ପ୍ରଶାସନ ଚୁପ୍‌!

ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ଚାବିକୁ ନେଇ ପୁଣି ବିବାଦ। ବିବାଦରେ ଫସିଯାଇଛନ୍ତି ଖୋଦ୍‌ ଶ୍ରୀମନ୍ଦିର ପ୍ରଶାସନ। ତେଣୁ ଭିତର ରତ୍ନ ଭଣ୍ଡାରରେ ପଡ଼ିଥିବା ତିନୋଟି ତାଲାର ଚାବି ଏବେ କାହା ପାଖରେ ଅଛି, ତାହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ହିଁ ଜଣା।

ଗତ ଏପ୍ରିଲ ୪ ତାରିଖ ଦିନ ବହୁ ସଜବାଜ ହୋ‍ଇ ଏକ ୧୬-ଜଣିଆ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ବିଷୟରେ ଯାଞ୍ଚ କରିବାକୁ ଯାଇଥିଲେ। ଏହି ଦଳରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ, ମୁଖ୍ୟ ପରିଚାଳକ ଏବଂ ହାଇକୋର୍ଟଙ୍କ ପ୍ରତିନିଧି ରହିଥିଲେ। ତେବେ ଏତେ ଆଡ଼ମ୍ବର ସତ୍ତ୍ୱେ ଏହି ଦଳ କେବଳ ବାହାର ରତ୍ନ ଭଣ୍ଡାର ଭିତରକୁ ଯାଇ ସେଠାରୁ ଫେରି ଆସିଥିଲେ।

ସେତେବେଳେ ମୁଖ୍ୟ ପ୍ରଶାସକ ମନ୍ଦିର ବାହାରେ ଅପେକ୍ଷା କରିଥିବା ଗଣମାଧ୍ୟମକୁ ଅତି ସ୍ପଷ୍ଟ ଭାବରେ କହିଥିଲେ ଯେ ଭିତର ରତ୍ନ ଭଣ୍ଡାର ଚାବି ଖୋଲିବାର ଆବଶ୍ୟକତା ପଡ଼ିଲା ନାହିଁ। କାରଣ ରତ୍ନ ଭଣ୍ଡାର କାନ୍ଥରେ ଥିବା ଜାଲି ବାଟ ଦେଇ ସର୍ଚ୍ଚ ଲାଇଟ୍‌ ସାହାଯ୍ୟରେ ଭିତର ରତ୍ନ ଭଣ୍ଡାର ଅନୁଧ୍ୟାନ କରାଯାଇଥିଲା। ତେବେ ଏହି କଥା କହିବାର ମାତ୍ର ଗୋଟିଏ ଦିନ ମଧ୍ୟରେ ଅର୍ଥାତ ଏପ୍ରିଲ ୫ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ କେଉଁ ତାଲାର କେଉଁ ଚାବି ସେ ବାବଦରେ ପ୍ରଶାସନ ନିଶ୍ଚିତ ନୁହେଁ।

ଚାବି ହଜିବା କଥା କହିଥିଲା ଓଡ଼ିଶାଲାଇଭ୍‌

ଏପ୍ରିଲ ୫ରେ ପ୍ରକାଶିତ ସ୍ୱତନ୍ତ୍ର ରିପୋର୍ଟ ‘ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ରହସ୍ୟ, କାହା ପକେଟରେ ଅସଲ ଚାବି?’ ମାଧ୍ୟମରେ ଓଡ଼ିଶାଲାଇଭ୍‍ ଏହି ପ୍ରସଙ୍ଗକୁ ଅତି ସ୍ପଷ୍ଟ ଭାବରେ ଉଠାଇଥିଲା। ରତ୍ନ ଭଣ୍ଡାରର ଚାବି ପ୍ରଶାସନ ପାଖରେ ନାହିଁ – ଏହି କଥା ହିଁ କହିଥିଲା ଓଡ଼ିଶାଲାଇଭର ଏହି ରିପୋର୍ଟ। କେବଳ ସେତିକି ନୁହେଁ, ରତ୍ନ ଭଣ୍ଡାରର ଦୁଇଟି ଚାବି ମଧ୍ୟରୁ କେଉଁ ଚାବି କାହା ପାଖରେ ଥାଏ ଏବଂ ରତ୍ନ ଭଣ୍ଡାର ପରିଚାଳନା ବାବଦରେ କ’ଣ ନିୟମ ରହିଛି ସେ ସମ୍ପର୍କରେ ମଧ୍ୟ ଏହି ବିସ୍ତୃତ ରିପୋର୍ଟରେ ଆଲୋଚନା କରାଯାଇଥିଲା। ତେବେ ସେତେବେଳେ ମିଡିଆର କୌଣସି ରିପୋର୍ଟକୁ ସରକାର ଗୁରୁତ୍ୱ ଦେଇନଥିଲେ।

ଫିଟିଲା ଚାବିର ଗୁମର

ଏପ୍ରିଲ ୪ ତାରିଖ ସନ୍ଧ୍ୟାରେ ଭୁବନେଶର ସର୍କିଟ୍‍ ହାଉସଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀକାଳୀନ ବୈଠକ ବସିଥିଲା। ମିଳିଥିବା ସୂଚନା ଅନୁଯାୟୀ ଏହି ବୈଠକରେ ରତ୍ନ ଭଣ୍ଡାର ମିଳୁନଥିବା ସମ୍ପର୍କରେ ଆଲୋଚନା ହୋ‍ଇଥିଲା।

ବୈଠକରେ ଯୋଗ ଦେଇଥିବା କେତେକ ସଦସ୍ୟ ଭିତର ରତ୍ନ ଭଣ୍ଡାରର ଗୋଟିଏ ଲେଖାଁଏ ଚାବି ସୁରକ୍ଷିତ ଭାବେ ଜିଲ୍ଲା ଟ୍ରେଜେରିରେ ରଖାଯିବାର ପରମ୍ପରା କଥା ଉଠାଇଥିଲେ। ହେଲେ ପୁରୀ ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ ଟ୍ରେଜେରିରେ ଚାବି ନାହିଁ। କେବଳ ସେତିକି ନୁହେଁ, ଦୀର୍ଘ ବର୍ଷ ଧରି ଟ୍ରେଜେରିରୁ ଚାବି ନେବା ଆଣିବା କରିବା ସମ୍ପର୍କରେ ମଧ୍ୟ କୌଣସି ରେକର୍ଡ ମିଳୁନାହିଁ। ତେଣୁ କଥା ଉଠିଥିଲା ଯେ ଚାବି ଗଲା କୁଆଡେ? ତେବେ ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଜବାବ ଦେଇପାରିନଥିଲେ।

ସୂଚନା ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହିସବୁ କଥା ବିବରଣୀ ଆକାରରେ ଲିପିବଦ୍ଧ ହୋ‌ଇଛି। ଏହି ଆଲୋଚନା ବେଳେ କମିଟିର ଅଧ୍ୟକ୍ଷ ଦିବ୍ୟସିଂହ ଦେବ ଘଟଣା ଶୁଣି ଆଶ୍ଚର୍ଯ୍ୟ ହୋ‌ଇଥିଲେ। ଚାବି ନ ମିଳିବା କଥାକୁ ସେ ବିଶ୍ୱାସ କରିନଥିଲେ।

ଏପ୍ରିଲ ୪ ତାରିଖ ଏହି ବୈଠକରେ ଆହୁରି ମଧ୍ୟ ଆଲୋଚନା ହୋ‍ଇଥିଲା ଯେ ଯେହେତୁ ଭିତର ରତ୍ନଭଣ୍ଡାର ଚାବି ମିଳୁନାହିଁ, ଏହାର ତାଲା ଭାଙ୍ଗିବା ପାଇଁ ସରକାରଙ୍କଠାରୁ ଏହାର ଅନୁମତି ଲୋଡ଼ାଯାଉ। କେବଳ ସେତିକି ନୁହେଁ, ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ବିଭିନ୍ନ ଅଳଙ୍କାରର ଯାଞ୍ଚ ଓ ଆକଳନ କରିବାକୁ ମଧ୍ୟ ସଦସ୍ୟମାନେ ମତ ଦେଇଥିଲେ।

ପ୍ରଶାସନ ମିଛ କହିଥିଲା
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନ ଭଣ୍ଡାର ଭିତରକୁ ଏପ୍ରିଲ ୪ ତାରିଖରେ ପ୍ରବେଶ କରିଥିଲେ ସ୍ୱତନ୍ତ୍ର ଟିମ୍‌। ସେମାନେ ଭିତର ରତ୍ନ ଭଣ୍ଡାରକୁ ନଯାଇ ବାହାରୁ ଭିତର ରତ୍ନ ଭଣ୍ଡାରର ଯାଞ୍ଚ ବିଷୟରେ ଯେଉଁ କଥା ମିଡିଆରେ କହିଥିଲେ ତାହା ସତ୍ୟ ନଥିଲା। କାରଣ ଭିତର ରତ୍ନ ଭଣ୍ଡାରକୁ ନ ଯିବାର ଅସଲ କାରଣ ଥିଲା ଚାବି ନ ମିଳିବା।

ସେଦିନ ସମ୍ପୃକ୍ତ କମିଟି ଭିତର ରତ୍ନ ଭଣ୍ଡାର ଦୁଆରରେ ତିନୋଟି ତାଲା ଦେଖିଥିଲେ। ତା’ ଭିତରୁ ଗୋଟିଏ ତାଲାରେ ଜଉ ମୁଦ ଦିଆଯାଇଥିବା ବେଳେ ଅନ୍ୟ ଦୁଇଟି ଜ‌ଉ ମୁଦ ନଥିଲା। ଜ‍ଉ ମୁଦ ଦିଆଯାଇନଥିବା ତାଲା ଦୁଇଟିକୁ ପ୍ରଥମେ ଖୋଲିବା ଲାଗି ଉଦ୍ୟମ କରାଯାଇଥିଲା। ହେଲେ କମିଟି ସାଙ୍ଗରେ ନେଇଯାଇଥିବା ଚାବି ପେନ୍ଥା ଭିତରୁ କୌଣସି ଚାବିରେ ଏହି ତାଲାଗୁଡ଼ିକ ଖୋଲି ନଥିଲା। ଫଳରେ କମିଟିର ସଦସ୍ୟମାନେ ଚିନ୍ତାରେ ପଡ଼ିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟିର ବିନା ଅନୁମତିରେ ରତ୍ନ ଭଣ୍ଡାର ତାଲା ଭାଙ୍ଗିବା ସମ୍ଭବ ନୁହେଁ ଜାଣି ସେମାନେ କାମଚଳା ଯାଞ୍ଚ କରି ମାତ୍ର ୪୫ ମିନିଟ ସମୟ ମଧ୍ୟରେ ରତ୍ନ ଭଣ୍ଡାରରୁ ବାହାରି ଆସିଥିଲେ।

ସିଂହ ଦୁଆର ବାହାରେ ଅପେକ୍ଷା କରିଥିବା ମିଡିଆକୁ ମିଛ କାହାଣୀ କହି ପ୍ରଶାସନ ସେଦିନ ଫସି ଯାଇଥିଲା। ତେବେ ସେଦିନ ସନ୍ଧ୍ୟାରେ ସର୍କିଟ୍‌ ହାଉସରେ ହୋ‍ଇଥିବା ପରିଚାଳନା କମିଟି ବୈଠକରେ ଅସଲ କଥା ଚର୍ଚ୍ଚା ହୋ‌ଇଥିଲା।

ରତ୍ନ ଭଣ୍ଡାର ଚାବି ଗଲା କୁଆଡେ

ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ପର୍ଶକାତର ବିଷୟ ହେଉଛି ଏହି ରତ୍ନଭଣ୍ଡାର। ଏଠାରେ ବହୁ ମୂଲ୍ୟବାନ ସୁନା ଓ ରତ୍ନ ଅଳଙ୍କାର ରଖାଯାଇଛି। ଶ୍ରୀଜୀଉମାନଙ୍କ ନିୟମିତ ବ୍ୟବହାର ଏବଂ ସୁନାବେଶ ଭଳି ସ୍ୱତନ୍ତ୍ର ଦିନଗୁଡ଼ିକରେ ଆବଶ୍ୟକ ହେଉଥିବା ଅଳଙ୍କାର ବାହାର ରତ୍ନ ଭଣ୍ଡାରରେ ରଖାଯାଇଥାଏ। ତେବେ ନିୟମିତ ବ୍ୟବହାର ହେଉନଥିବା ବହୁ ପରିମାଣର ତଥା ମୂଲ୍ୟବାନ ରତ୍ନ ଭିତର ରତ୍ନ ଭଣ୍ଡାରରେ ରଖାଯାଇଛି। ତେଣୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟର ସୁରକ୍ଷା ବାବଦରେ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ତଥା ରାଜ୍ୟ ସରକାର କିଭଳି ଆଖି ବୁଜି ଦେଇଛନ୍ତି, ତାହା ଏକ ବଡ଼ ପ୍ରଶ୍ନ ହୋ‍ଇଛି।

ସେହିଭଳି ଆଉ ଏକ ଚିନ୍ତାର ବିଷୟ ହେଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କରେ ଗଣମାଧ୍ୟମକୁ ଭୁଲ୍‌ ତଥ୍ୟ ଦେବା ଏବଂ ଜନସାଧାରଣଙ୍କୁ ଅନ୍ଧାରରେ ରଖିବା। ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସମାଧାନ ପାଇଁ ଏ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେଇ ସରକାର ନିରବତା ଅବଲମ୍ବନ କରିବା ଘଟଣାକୁ ଅଧିକ ଜଟିଳ କରିଛି।

ଆକଳନ ହେବ ଅଳଙ୍କାର

ରତ୍ନ ଭଣ୍ଡାରରେ ଥିବା ବିଭିନ୍ନ ଅଳଙ୍କାରର ଯାଞ୍ଚ ଓ ଆକଳନ କରାଯିବ। ଏ ସମ୍ପର୍କରେ ଏପ୍ରିଲ ୪ ତାରିଖ ପରିଚାଳନା କମିଟି ବୈଠକରେ ଆଲୋଚନା ହୋ‍ଇଛି। ତେବେ କେଉଁ ଆଇନ୍‌ ଆଧାରରେ ରତ୍ନ ଓ ଅଳଙ୍କାରର ଅନୁଧ୍ୟାନ କରାଯିବ ବୋଲି ପ୍ରଥମେ ପ୍ରଶ୍ନ ଉଠିଥିଲା। ୧୯୦୫ ମସିହାରେ ଗଜପତି ମୁକୁନ୍ଦଦେବ ଓ ୧୯୨୬ ମସିହାରେ ଗଜପତି ରାମଚନ୍ଦ୍ର ଦେବଙ୍କ ସମୟରେ ରତ୍ନ ଭଣ୍ଡାରର ରତ୍ନ ତାଲିକା ହୋ‌ଇଥିବା ଏବଂ ପ୍ରତି ତିନି ବର୍ଷରେ ଥରେ ରତ୍ନ ଭଣ୍ଡାରର ଆକଳନ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏହି ବୈଠକରେ ଆଲୋଚନା ହୋ‍ଇଥିଲା।

ରତ୍ନ ତାଲିକା କାହା ପାଖରେ?

ଶ୍ରୀ ଜଗନ୍ନାଥ ମନ୍ଦିରର ବାହାର ଏବଂ ଭିତର ରତ୍ନ ଭଣ୍ଡାରରେ କି କି ପ୍ରକାରର ରତ୍ନ ରହିଛି? ସେଗୁଡ଼ିକର ଓଜନ ଓ ପରିମାଣ କେତେ? ଏହି ପ୍ରଶ୍ନର ଉତ୍ତର ରହିଛି ୧୯୭୮ ମସିହାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶିତ ରତ୍ନ ତାଲିକା ପୁସ୍ତିକାରେ। ସେହି ବର୍ଷ ମେ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ରତ୍ନ ଭଣ୍ଡାରର ଟିକିନିଖି ଅନୁଧ୍ୟାନ ସହ ବିଭିନ୍ନ ଅଳଙ୍କାରର ଆକାର, ପ୍ରକାର ଏବଂ ଓଜନ କରାଯାଇ ରତ୍ନ ତାଲିକା ପ୍ରସ୍ତୁତ ହୋ‍ଇଥିଲା। ଏହି ତାଲିକା ମନ୍ଦିର ପ୍ରଶାସନ ପାଖରେ ରହିଛି।

୧୯୭୮ ମସିହାରେ ମୁଦ୍ରିତ ୧୨୪ ପୃଷ୍ଠାବିଶିଷ୍ଟ ଏହି ପୁସ୍ତିକାର ଏକ କପି ଓଡ଼ିଶାଲାଇଭ୍‌ ପାଖରେ ରହିଛି। ଏହାକୁ ଆଧାରକରି ଗତ ଏପ୍ରିଲ ୩ ତାରିଖରେ ଓଡ଼ିଶାଲାଇଭ୍‌ ପୋର୍ଟାଲରେ ଏକ ସ୍ୱତନ୍ତ୍ର ରିପୋର୍ଟ (ଖୋଲିଲା ରହସ୍ୟ: କେତେ ରତ୍ନ ରହିଛି ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ) ପ୍ରକାଶ ପାଇଥିଲା।

୧୯୨୬ ମସିହାରେ ତତ୍କାଳୀନ ଗଜପତିଙ୍କ ସ୍ୱୀକୃତି କ୍ରମେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଗଚ୍ଛିତ ସୁନା, ରୁପା ଓ ମଣିମୁକ୍ତା ଖଚିତ ଅଳଙ୍କାର ଆଦିର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେହି ତାଲିକାକୁ ଜ‌ଉ ମୁଦ ଦେଇ ପୁରୀ ଜିଲ୍ଲାପାଳଙ୍କ ରେକର୍ଡ ରୁମରେ ରଖାଯାଇଥିଲା। ୧୯୨୬ ପରଠାରୁ ୧୯୭୮ ମସିହା ପର୍ଯ୍ୟନ୍ତ ମଝିରେ ପ୍ରଶାସନ ପକ୍ଷରୁ କେବେ ବିସ୍ତୃତ ଭାବେ ରତ୍ନ ଅଳଙ୍କାର ଯାଞ୍ଚ ବା ତାଲିକା ପ୍ରସ୍ତୁତ କରାଯାଇନଥିବାର ସୂଚନା ମିଳେ।

Comment