ଓଡ଼ିଶାଲାଇଭ୍ ବ୍ୟୁରୋ
ବିସିସିଆଇ ବାର୍ଷିକ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ଭାରତୀୟ କ୍ରିକେଟଦଳର ଅଧିନାୟକ ବିରାଟ କୋହଲିଙ୍କୁ ‘ପଲି ଉମ୍ରିଗର ଟ୍ରଫି’ ମିଳିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କଠାରୁ କୋହଲି ଟ୍ରଫି ଗ୍ରହଣ କରିଛନ୍ତି।
ପୁରସ୍କାର ଗ୍ରହଣ ବେଳେ କୋହଲି କହିଛନ୍ତି, “ପତ୍ନୀ ଅନୁଷ୍କା ଶର୍ମା ଏଠାରେ ଉପସ୍ଥିତ ଥିବାରୁ ମୁଁ ଅଧିକ ଖୁସି ମନେ କରୁଛି। ଗତ ବର୍ଷ ମଧ୍ୟ ମୋତେ ଏହି ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଚଳିତବର୍ଷ ପୁଣିଥରେ ମିଳିଥିବାରୁ ମୁଁ ଅତ୍ୟନ୍ତ ଖୁସି”।
ଆଗାମୀ ଜୁନ ୧୪ରୁ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବାକୁ ଥିବା ଆଫଗାନିସ୍ତାନ ଟିମର ଖେଳାଳିମାନେ ମଧ୍ୟ ପୁରସ୍କାର ସମାରୋହରେ ଉପସ୍ଥିତ ଥିଲେ। ସେହିଭଳି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ମଧ୍ୟ ଉପସ୍ଥିତ ଥିଲେ। ପିଟରସନ ଏମ୍ଏକେ ପଟୌଦୀ ସ୍ମାରକୀ ଭାଷଣ ଦେଇଥିଲେ। ଭାରତୀୟ କ୍ରିକେଟର ଅନେକ ପୂର୍ବତନ କ୍ରିକେଟର ଏହି ସମାରୋହରେ ଉପସ୍ଥିତ ଥିଲେ।
ବିରାଟ ୨୦୧୬-୧୭ ଓ ୨୦୧୭-୧୮ରେ ଭଲ ପ୍ରଦର୍ଶନ କରିଛନ୍ତି। ବେକରେ ଆଘାତ କାରଣ ଯୋଗୁଁ କୋହଲି ଏବେ ପ୍ରାକ୍ଟିସ୍ ନକରି ବିଶ୍ରାମ ନେଉଛନ୍ତି ଓ ସେ ଇଂଲିଶ କାଉଣ୍ଟି ମଧ୍ୟ ଖେଳି ପାରିବେ ନାହିଁ। କୋହଲିଙ୍କୁ ଆଗାମୀ ଜୁନ ୧୫ରେ ଏନସିଏରେ ଫିଟନେସ ଟେଷ୍ଟ ଦେବାକୁ ପଡ଼ିବ।
କ୍ରିକେଟର ଅଂଶୁମାନ ଗାୟକଓ୍ଵାଡ ଓ ସୁଧା ଶାହଙ୍କ ନାଇଡୁ ଜୀବନବ୍ୟାପୀ ସାଧନା ପୁରସ୍କାର ଦିଆଯାଇଥିଲା। ଜଳଜ ସକସେନା, ପରଭେଜ ରସୁଲ ଓ କୃଣାଳ ପାଣ୍ଡ୍ୟାଙ୍କୁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିଛି।
















