ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଅପେକ୍ଷାକୃତ ଶୁଖିଲା ରହିବ।
ଗତ କିଛି ଦିନ ତଳେ ମୌସୁମୀ ବାୟୁ ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଆଗାମୀ ୪୮ଘଣ୍ଟା ଓଡ଼ିଶାରେ ପାଗ ସାଧାରଣତଃ ଶୁଖିଲା ରହିବ। ଉତ୍ତର ପଶ୍ଚିମ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଥିବାରୁ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ସାଧାରଣତଃ ଶୁଖିଲା ରହିବ।
କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାଳିତ ହେବାକୁ ଯାଉଛି ପ୍ରମୁଖ କୃଷିଭିତ୍ତିକ ପର୍ବ ରଜ। ଆସନ୍ତାକାଲି ପହିଲି ରଜ। ଜୁନ୍ ୧୫ରେ ରଜ ସଂକ୍ରାନ୍ତି। ଆଜି ସଜବାଜ। ରଜ ପାଇଁ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ଉତ୍ସାହ ଆରମ୍ଭ ହୋଇଗଲାଣି। ଏଥର ରଜ ଅବସରରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ରଜ ମଉଜ ଜମିବାର ସମ୍ଭାବନା ରହିଛି।
ବୈଜ୍ଞାନିକମାନଙ୍କ ମତରେ ଏପର୍ଯ୍ୟନ୍ତ ରାଜ୍ୟରେ ଦକ୍ଷିଣା ପବନ ପ୍ରବାହିତ ହୋଇନାହିଁ। ପଶ୍ଚିମାପବନ ଚାଲୁ ରହିଛି। ସାଧାରଣତଃ ରାଜସ୍ଥାନରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସୃଷ୍ଟି ହେଉଥିବା ମୌସୁମୀ କାଳୀନ ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣର ମୌସୁମୀ ବାୟୁ ଓଡ଼ିଶାକୁ ଆସିଥାଏ। ଏହାଫଳରେ ଓଡ଼ିଶାରେ ବର୍ଷା ହୋଇଥାଏ। ତେବେ ଦେଶର ପଶ୍ଚିମ ଅଞ୍ଚଳରେ ଗରମ ହାୱା ପ୍ରଭାବିତ ହେଉଥିବାରୁ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ସେହିପରି ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ମୌସୁମୀ ଜନିତ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି।
















