ଭାସ୍କର ପରିଛା

ବନ୍ଧୁ କପିଳାସ ଭୂୟାଁ – ବରିଷ୍ଠ ସାମ୍ବାଦିକ ଓ ଚିତ୍ର ନିର୍ମାତା-ଏବେ ଭିଏନା ଗସ୍ତରେ ଅଛନ୍ତି। ସେଠୁ ସେ ଏକ ମ୍ୟୁଜିକାଲ ବ୍ୟାଣ୍ଡର ଭିଡ଼ିଓ ପଠେଇଛନ୍ତି। ଭିଏନାର ମୁଖ୍ୟ ରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗ୍ୟାରେଜରେ ଚାଲିଥିବା ସଙ୍ଗୀତ ଆସରର ଭିଡିଓ।

ସ୍ଥାନୀୟ ଅର୍କେଷ୍ଟ୍ରାର ସହାୟତାରେ ସେନେଗାଲର ଜଣେ ଗାୟକ ଗାଉଛନ୍ତି ଓ ଗ୍ୟାରେଜ ବାହାରେ ଲୋକେ ଛିଡ଼ା ହୋଇ ହାତରେ କଫି ମଗ ଓ ବିୟର ଧରି ଆସରକୁ ଉପଭୋଗ କରୁଛନ୍ତି। ସଙ୍ଗୀତ, ସ୍ଥାପତ୍ୟ ଓ କବିତାର ଏକ ଅପୂର୍ବ ମିଳନ ଭିଏନା – ଯାହାକୁ କୁହାଯାଏ ‘ସିଟି ଅଫ୍ ମ୍ୟୁଜିକ’।

ଭିଏନା ଏଥିପାଇଁ ମଧ୍ୟ ପ୍ରସିଦ୍ଧ ଯେ ଏଠି ବିଶ୍ୱର ପ୍ରଥମ ମନସ୍ତତ୍ତ୍ୱବିତ ସିଗମଣ୍ଡ ଫ୍ରଏଡ଼ ଜନ୍ମ ଗ୍ରହଣ କରିଥିଲେ। ସଙ୍ଗୀତରୁ କବିତା ଅବା ଆଉ କେତେ ବ୍ୟବଧାନ? ‘ଆଉ ମୁଁ ଉଡ଼ିଯାଏ ଶବ୍ଦପକ୍ଷୀଙ୍କ ସହ’ ସମକାଳୀନ ଅଷ୍ଟ୍ରୀୟ କବିତାର ଏକ ଚମତ୍କାର (ଓଡ଼ିଆ) ଅନୁବାଦ ସଂକଳନ।

ସରିତା ଜେନାମଣି କବିତା ଗୁଡ଼ିକୁ ଚୟନ କରିବା ସହ ସେଗୁଡ଼ିକୁ ଅନୁବାଦ ମଧ୍ୟ କରିଛନ୍ତି । ବହୁବର୍ଷ ଧରି ଭିଏନାରେ ରହୁଥିବା କବୟିତ୍ରୀ ସରିତା ଅସ୍ୱାଭାବିକ ପ୍ରତିଭାର ଅଧିକାରିଣୀ। କଟକରେ ଜନ୍ମ, ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକ, ଅର୍ଥନୀତି ଓ ପରିଚାଳନାରେ ଉଚ୍ଚଶିକ୍ଷା ଲାଭ, ଓଡ଼ିଆ-ହିନ୍ଦୀ-ଇଂରାଜୀ- ଜର୍ମାନ ଭାଷାରେ ସମାନ ଦକ୍ଷତା ଲାଭ ଓ ଅଷ୍ଟ୍ରୀୟ ଭାଷାରେ ପତ୍ରିକା ସମ୍ପାଦନା ଏହିଭଳି ଯାବତୀୟ କାମ କରିବା ଭିତରେ ସେ ନିଜକୁ ଜଣେ ବହୁରୂପୀ ଭାବରେ ପ୍ରତିଷ୍ଠା କରିପାରିଛନ୍ତି।

କବିତା ସଙ୍କଳନର ଭୂମିକାରେ ସରିତା ଅଷ୍ଟ୍ରୀୟ ସାହିତ୍ୟର ଏକ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଛନ୍ତି। ଏମିତି ଦେଖିବାକୁ ଗଲେ ଅଷ୍ଟ୍ରୀୟ ସାହିତ୍ୟ ଓ ଜର୍ମାନ ସାହିତ୍ୟ ଭିତରେ ବିଶେଷ ଫରକ ନାହିଁ। ଅଷ୍ଟ୍ରୀୟ ସାହିତ୍ୟ ଜର୍ମାନ ଭାଷାରେ ରଚିତ ହେବା ପ୍ରାୟତଃ ଏକ ପରମ୍ପରା ହୋଇ ଆସିଛି।

ଇତିହାସ କହୁଛି ଅଷ୍ଟ୍ରୀୟ ସାହିତ୍ୟର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୁଏ ରୋମାନ ସାମ୍ରାଜ୍ୟର ବିଲୋପ ଓ ଅଷ୍ଟ୍ରୀୟ ସାମ୍ରାଜ୍ୟର ସ୍ଥାପନା ପରେ। ଆନୁମାନିକ ୧୮୦୬ ବେଳକୁ। ଉଭୟ ଜର୍ମାନୀ ଓ ଅଷ୍ଟ୍ରିଆ ମଧ୍ୟରେ ଗଭୀର ସାଂସ୍କୃତିକ ବିନିମୟ ଫଳରେ ସମୟ କ୍ରମେ ଏହି ଦୁଇ ଦେଶର ସାହିତ୍ୟ ଓ ସଂସ୍କୃତି ଭିତରେ ଏକ ବିରାଟ ସାମଞ୍ଜସ୍ୟ ଗଢ଼ି ଉଠେ।

ସରିତା ତାଙ୍କ ମୁଖବନ୍ଧରେ ଲେଖିଛନ୍ତି,”ବିଂଶ ଶତାବ୍ଦୀର ଅନେକ ବିଶ୍ୱ ପରିଚିତ ଲେଖକ ଯାହାଙ୍କୁ ଆମେ ସେମାନଙ୍କର ଜର୍ମାନ ଲେଖା ନିମନ୍ତେ ଜର୍ମାନ ବୋଲି ଭାବୁ, ବାସ୍ତବରେ ସେମାନେ ଅଷ୍ଟ୍ରିଆର ଲେଖକ। ଏହି ପରିପ୍ରେକ୍ଷୀରେ ଫ୍ରାନ୍ସ କାଫ୍କା, ଆର୍ଥର ସ୍ନିଟ୍‌ସଲାର, ଷ୍ଟିଫେନ୍ ସ୍ପାଇଗ, ରବର୍ଟ ମୁସଲି,ଏଲିଆସ କାନେଟି, ବିଖ୍ୟାତ କବି ରିଲକେ ଓ ପଲ ସେଲନଙ୍କ ନାମ ଉଲ୍ଲେଖଯୋଗ୍ୟ।”

ସଂକଳିକା ବିଂଶ ଶତାବ୍ଦୀରୁ ବର୍ତ୍ତମାନ ଯାଏଁ ପ୍ରସିଦ୍ଧ ଓ ଅଧୁନାତନ କବିଙ୍କ କବିତାକୁ ସ୍ଥାନିତ କରିଛନ୍ତି। କିନ୍ତୁ ସଂକଳନ ପଛରେ ଥିବା ଅସଲ ଉଦ୍ଦେଶ୍ୟକୁ ଆମକୁ ବୁଝିବାକୁ ହେବ। ସେ ମୁଖବନ୍ଧରେ ଆଶା କରିଛନ୍ତି ଯେ ଏହିଭଳି ଉଦ୍ୟମ ଦ୍ୱାରା ‘ବିଶ୍ୱ ସାହିତ୍ୟ ମୂଳ ଭାଷାରୁ ଅନୁବାଦ ହୋଇ ବିଶ୍ୱର ସମ୍ପୂର୍ଣ୍ଣ ସାହିତ୍ୟିକ ପରିଦୃଶ୍ୟକୁ ଓଡ଼ିଆ ଅନୁବାଦ ସାହିତ୍ୟରେ ପ୍ରତିଫଳିତ କରିବ।’

ନୂଆ ପୁରୁଣା ପ୍ରାୟ ପଚିଶ ଜଣ ଅଷ୍ଟ୍ରିଆନ କବିଙ୍କ କବିତାରେ ସମୃଦ୍ଧ ଏହି ସଂକଳନ ଏକ ଚମତ୍କାର ପଠାନାନୁଭୂତି। ପ୍ରତିଟି କବିତାର ଆଙ୍ଗିକତା ଓ ଆତ୍ମା ଭିନ୍ନଭିନ୍ନ। କବିତା ସଂକଳନର ମହନୀୟତା ଯଦି କବିତା ଚୟନରେ ଥାଏ ସେହି ଦୃଷ୍ଟିରୁ ‘ ଆଉ ମୁଁ ଉଡ଼ିଯାଏ ଶବ୍ଦ ପକ୍ଷୀଙ୍କ ସହ’ରେ ସଂଯୋଜିତ କବିତା ଗୁଡ଼ିକର ଆବେଦନ ସାର୍ବଜନୀନ।

ଉଦାହରଣ ସ୍ୱରୂପ, ମାରିଆନେ ଗ୍ରୁବେରଙ୍କ ଏକ କବିତା: “କୌଣସି ଶବ୍ଦ ପର୍ଯ୍ୟାପ୍ତ ନୁହେଁ/ଶୁଖିଲା ଭୂଇଁ ଲିଭିଯାଇଥିବା ପାଦଚିହ୍ନ ଆଉ ମୃତ୍ୟୁର ପୂତିଗନ୍ଧ/ଖାଲି ଏକ ପ୍ରତିଶୋଧର ଯୋଜନା ଆଉ ପର୍ଯ୍ୟାପ୍ତ ପାଗଳପଣ/ବିଶ୍ୱାସ କର ଇଏ ଆଉ କିଛି ନୁହେଁ; କେବଳ ଯୁଦ୍ଧର ବୀଭତ୍ସତା।”

(କୌଣସି ଶବ୍ଦ ପର୍ଯ୍ୟାପ୍ତ ନୁହେଁ) ପେଟ୍ରା ଗାଙ୍ଗଲବାଉଆଙ୍କ ଏକ କବିତା ସମାନ ଭାବେ ଆକର୍ଷଣୀୟ: ଏ ଶୂନ୍ୟତା କ’ଣ? ଏକ ବିନଷ୍ଟ ସଙ୍ଗୀତ ଏକ ଅନୁପସ୍ଥିତ ଦୃଶ୍ୟ? ଏକ ଶୂନ୍ୟଗାଥାର ପୁନରାବୃତ୍ତି? ଏକ ଭିନ୍ନ ସ୍ୱରହୀନତା? ଏକ କ୍ଷମାହୀନ ଆତ୍ମୀୟତା? କେଉଁଥିରେ ଗଢ଼ା ଏ ଶୂନ୍ୟତା? (ଶୂନ୍ୟସ୍ଥାନ ବିଷୟରେ ବାର୍ତ୍ତାଳାପ) ‘ଭିଏନାରେ ପ୍ରଥମ ବର୍ଷା’ ସ୍ୱୟଂ ସଂକଳିକାଙ୍କ ଏକ କବିତା: “ଏଠି କେବେ କେମିତି/ମାଟିରୁ ଉଠେ ଭିଜାଭିଜା ବାସ୍ନା/ମାତ୍ର ଯେତେବେଳେ ମହକି ଉଠେ ସହର ସେତେବେଳେ ଅଙ୍କୁରିତ ହୁଏ ସ୍ମୃତିର ପଲ୍ଲବ/ଆଉ ଭିତରେ ଗଭୀର ଭାବେ ସଂଚରିଯାଏ ଗୋଟିଏ ନାହିଁନାହିଁ ଭାବ।”

ପ୍ରକାଶ ମହାପାତ୍ରଙ୍କ ପ୍ରଚ୍ଛଦ ସହ ସଂକଳନରେ ସ୍ଥାନିତ ପ୍ରତିଟି କବିତାରେ ଶବ୍ଦର ସାବଲୀଳତା ଓ ଭାବର ପରିପ୍ରକାଶ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏଥିରେ ଏଭଳି କୌଣସି କବିତା ନାହିଁ ଯେଉଁଥିରେ ବୋଧଗମ୍ୟତାର ଅଭାବ ରହିଛି। ନିୟମିତ କବିତା ଲେଖୁଥିବା ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଜଣେ ସାଧାରଣ ପାଠକ ପର୍ଯ୍ୟନ୍ତ ସମସ୍ତେ ସ୍ଥାନିତ କବିତା ଗୁଡ଼ିକୁ ଭଲ ପାଇ ବସିବେ।

ଧଉଳି ବୁକ୍‌ସର ଏହି ଉଦ୍ୟମଟି ଖାସ୍ ଏଥିପାଇଁ ପ୍ରଶଂସନୀୟ କାରଣ ବିଶ୍ୱ ସାହିତ୍ୟକୁ ଓଡ଼ିଆ ପାଠକଙ୍କ ସହିତ ଯୋଡ଼ିବାର ଏକ ନୂଆ ପ୍ରୟାସ ଏଠି ଆରମ୍ଭ କରାଯାଇଛି।

ଆଉ ମୁଁ ଉଡ଼ିଯାଏ ଶବ୍ଦପକ୍ଷୀଙ୍କ ସହ(ସମକାଳୀନ ଅଷ୍ଟ୍ରିଆନ କବିତା) ଧଉଳି ବୁକ୍ସ,୮୧୮/୨୫୦୨, ଗୋବିନ୍ଦେଶ୍ୱର ରୋଡ଼, ପୁରୁଣା ସହର, ଭୁବନେଶ୍ୱର- ୭୫୧୦୦୨୨୦୧୮, ମୂଲ୍ୟ :୨୫୦ ଟଙ୍କା

Comment