ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜାତୀୟ କ୍ରିକେଟ ଏକାଡେମି (ଏନ୍‌ସିଏ)ରେ ଝାଳବୁହା ଅଭ୍ୟାସ କରିଛନ୍ତି।

ଭାରତୀୟ କ୍ରିକେଟ ଦଳର ବରିଷ୍ଠ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଇଂଲଣ୍ଡ ଟୁର ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି। ସେ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ଠାରେ ଅଭ୍ୟାସ କରୁଛନ୍ତି।

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ନିଜ କ୍ୟାରିୟରର ଅନ୍ତିମ ଭାଗରେ ବମ୍ବେସ୍ଥିତ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସଠାରେ ଅଭ୍ୟାସ କରୁଥିଲେ। ତାଙ୍କ ଭଳି ଧୋନି ଏବେ ନିଜ ଅଭ୍ୟାସ କରୁଛନ୍ତି।

ଧୋନି ସୋମବାର ସିଧା ଏନ୍‌ସିଏରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଥିଲେ। ୧୦୦ରୁ ଊର୍ଦ୍ଧ୍ୱ ବଲର ସାମ୍ନା କରିଥିଲେ। ତାଙ୍କୁ ନେଟ୍ସରେ ସ୍ଵତନ୍ତ୍ର ବଲ ଫିଙ୍ଗାଳି ରଘୁ ଓ ସ୍ପିଡଷ୍ଟାର ଶାର୍ଦ୍ଦୁଲ ଠାକୁର ବୋଲିଂ କରିଥିଲେ। ବଲ ଫିଙ୍ଗାଳି ରଘୁ ଓ ଶାର୍ଦ୍ଦୁଳ ୧୮ ୟାର୍ଡରୁ ବୋଲିଂ କରୁଥିଲେ।

ଗତ ୧୫ ତାରିଖରେ ଧୋନି ଏଠାରେ ଶାରୀରିକ ପରୀକ୍ଷା ଦେଇଥିଲେ। ଶାରୀରିକ ପରୀକ୍ଷା ଦେଇଥିବା ଅନ୍ୟ ସାଥୀମାନେ ଫେରି ଯାଇଥିଲେ। ହେଲେ ଧୋନି ବେଙ୍ଗାଳୁରୁରେ ରହି ଅଭ୍ୟାସ କରିବାକୁ ପସନ୍ଦ କରିଥିଲେ। ବିଶେଷ କରି ସେ ଥ୍ରୋ ଡାଉନ୍‌ରେ ବେଶି ଅଭ୍ୟାସ କରିଥିଲେ। ୧୦୦ରୁ ଅଧିକ ବଲ୍‌ ଖେଳିଥିଲେ ମଧ୍ୟ ୭୦ ପ୍ରତିଶତ ଥ୍ରୋ ଡାଉନ୍‌ ରହିଥିଲା।

ଏହି ସେସନ ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ପରେ ସେ ବିଶ୍ରାମ ନେବା ପରେ ପୁଣି ନେଟ୍ସକୁ ଓହ୍ଲାଇଥିଲେ। ଏଥର ତାଙ୍କୁ ବୋଲିଂ କରିଥିଲେ ସିଦ୍ଧାର୍ଥ କାଉଲ। ନେଟ୍ସରେ ଧୋନିଙ୍କ ଅଭ୍ୟାସ ଦେଖିବା ପାଇଁ ବହୁ ପ୍ରଶଂସକ ଉପସ୍ଥିତ ଥିଲେ। ନିକଟରେ ଧୋନି ସୀମିତ ଓଭର କ୍ରିକେଟ ଦଳର ଅନ୍ୟ ସଦସ୍ୟଙ୍କ ସହ ୟୋ ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Comment