ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମ୍ମୁ-କାଶ୍ମୀରରେ ଭାଜପା-ପିଡ଼ିପି ମେଣ୍ଟ ଭାଙ୍ଗିଯିବା ପରେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି।

ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ଗତକାଲି ମେଣ୍ଟ ସରକାରରୁ ବିଜେପି ଓହରିଯିବାର ଗୋଟିଏ ଦିନ ପରେ ବୁଧବାରଦିନ ରାଜ୍ୟପାଳ ଶାସନ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଫଳରେ ଜାମ୍ମୁ ଓ କାଶ୍ମୀରରେ ଆଜିଠୁ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଛି।

ଗତକାଲି ଆଶ୍ଚର୍ଯ୍ୟଜନକ ଭାବେ ଜାମ୍ମୁ ଓ କାଶ୍ମୀରରେ ଗତ ତିନି ବର୍ଷ ଧରି ଚାଲିଥିବା ବିଜେପି-ପିଡିପି ମେଣ୍ଟ ସରକାରରୁ ବିଜେପି ଓହରି ଯିବା ନେଇ ଘୋଷଣା କରିଥିଲା। ରାଜ୍ୟରେ ଆତଙ୍କବାଦ ଓ ବିଶୃଙ୍ଖଳା ଘଟଣାକୁ ଦାୟି କରି ସରକାରରୁ ଓହରି ଯାଇଥିବା ବିଜେପି କହିଥିଲା।

ମିଳିତ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର ଘୋଷଣା ପରେ ରାଜ୍ୟରେ ଗତ ୩ ବର୍ଷ ୩ ମାସ ୧୮ ଦିନ ମେଣ୍ଟ ସରକାରର ପୂର୍ଣ୍ଣଛେଦ ପଡ଼ିଥିଲା। ମେଣ୍ଟରୁ ବିଜେପି ଓହରି ଯାଇଥିବା ନେଇ ଦଳର ସାଧାରଣ ସମ୍ପାଦକ ରାମ ମାଧବଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମେହବୁବା ମୁଫ୍‌ତି।

ଇସ୍ତଫା ଦେବା ପରେ ମେହବୁବା କହିଛନ୍ତି, “ଦୁଇ ରାଜନୈତିକ ଦଳରେ ନୀତିଗତ ପାର୍ଥକ୍ୟ ରହିଛି। ତେଣୁ ମେଣ୍ଟ ଭାଙ୍ଗିଯିବାର ଆବଶ୍ୟକତା ଥିଲା”।

ମୁଫତିଙ୍କ ଇସ୍ତଫା ପରେ ରାଜ୍ୟପାଳ ଏନ ଏନ ଭୋରା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ଲୋଡ଼ିଥିଲେ।

Comment