ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପତଞ୍ଜଳି ଯୋଗ ସମିତି ପକ୍ଷରୁ ଯୋଗ ଦିବସ
  • ଓଡ଼ିଶାର ୩୦ଟି ଜିଲ୍ଲାରେ ପାଳନ ହେଲା ଯୋଗ ଦିବସ
  • ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପଠାରେ ଯୋଗାଭ୍ୟାସ
  • ଯୋଗରେ ସାମିଲ ହେଲେ ବିଭିନ୍ନ ବର୍ଗର ଲୋକେ
  • ଶାନ୍ତି, ମୈତ୍ରୀ, ସଦଭାବନାର ବାର୍ତ୍ତା ଦେଉଛି ଯୋଗ ଦିବସ: ଗଜପତି ମହାରାଜ

ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗଦିବସ। ଖୋର୍ଦ୍ଧା ଜିଲ୍ଲା ପତଞ୍ଜଳି ଯୋଗ ସମିତି ପକ୍ଷରୁ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପଠାରେ ଯୋଗ ଦିବସ ପାଳନ କରାଯାଇଥିଲା।

ଏହି ଯୋଗ ଶିବିରରେ ଛାତ୍ରଛାତ୍ରୀ, ମହିଳା, ପୁରୁଷ, ବରିଷ୍ଠ ନାଗରିକମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଗଜପତି ମହାରାଜ ଦିବ୍ୟସିଂହ ଦେବ ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

“ଯୋଗ ଦିବସ ଆୟୋଜନ କରି ଭାରତ ସାରା ବିଶ୍ୱକୁ ଫିଟ୍‌ନେସ୍‌ ରହିବାର ବାର୍ତ୍ତା ଦେଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଅନ୍ତର୍ଜାତୀୟ ଯୋଗ ଦିବସ ସାରା ବିଶ୍ୱରେ ଶାନ୍ତି ଓ ଆନନ୍ଦର ସହ ପାଳନ କରାଯାଉଛି। ଶାନ୍ତି, ମୈତ୍ରୀ ଏବଂ ସଦ୍‌ଭାବନାର ବାର୍ତ୍ତା ଦେଉଛି ଯୋଗ ଦିବସ”, କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।

“ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ୩୬୫ ଦିନ ଯୋଗ କରିବାର ଆବଶ୍ୟକତା ରହିଛି। ଯୋଗ ଶରୀରକୁ ଫିଟ୍ ରଖିଥାଏ ଏବଂ ମନକୁ ଶାନ୍ତି ଦେଇଥାଏ। ସାରା ବିଶ୍ୱ ଯୋଗାଭ୍ୟାସକୁ ଆପଣାଇଥିବାରୁ ଆମ ସମସ୍ତଙ୍କ ପାଇଁ ଏହା ଖୁସିର କଥା। ସାରା ଦେଶର ୬୦୦ଟି ସ୍ଥାନ ଏବଂ ଓଡ଼ିଶାର ୩୦ଟି ଜିଲ୍ଲାରେ ଯୋଗ ଦିବସ ପାଳନ କରାଯାଇଛି”, କହିଛନ୍ତି ପତଞ୍ଜଳି ଯୋଗ ସମିତିର ଓଡ଼ିଶା ପ୍ରଭାରୀ ସୁଧାଂଶୁ ଅଧିକାରୀ।

ଭୁବନେଶ୍ୱରର ସିଆର୍‌ପିଏଫ୍ କ୍ୟାମ୍ପସ ଏବଂ ବିଭିନ୍ନ ସ୍କୁଲରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସିଆର୍‌ପିଏଫ୍ କ୍ୟାମ୍ପସରେ ଆୟୋଜିତ ଯୋଗ ଦିବସରେ ସିଆର୍‌ପିଏଫ୍, ବିଏସ୍‌ଏଫ୍, ସିଆଇଏସ୍‌ଏଫ୍, ଆଇଟିବିପିର ଯବାନମାନେ ଉପସ୍ଥିତ ରହି ଯୋଗ କରିଥିଲେ।

ସେହିପରି କଟକ, ରାଉରକେଲା, ବାଲେଶ୍ୱର, କୋଣାର୍କ, ବଲାଙ୍ଗିର, ଜୟପୁର ଏବଂ ଭଦ୍ରକରେ ଯୋଗ ଦିବସ ପାଳନ କରାଯାଇଛି।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ଯୋଗ ଶିବିରରେ ବହୁ ଛାତ୍ରଛାତ୍ରୀ,ମହିଳା, ପୁରୁଷମାନେ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ।

LEAVE A REPLY

Please enter your comment!
Please enter your name here