ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଳାତ୍କାର କେସ୍‌ରେ ଫସିଥିବା ଦାତି ମହାରାଜ ନିଜ ବୈବାହିକ ଜୀବନ ବିଷୟରେ ଖୋଲି କହିଛନ୍ତି।

ବଳାତ୍କାର ମାମଲାରେ ଆତ୍ମଘୋଷିତ ବାବା ଦାତି ମହାରାଜଙ୍କୁ ଶୁକ୍ରବାରଦିନ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ଥର ଲାଗି ପଚରାଉଚରା କରିଛି।

ଜେରା ସମୟରେ ଦାତି ମହାରାଜଙ୍କୁ ତାଙ୍କ ବୈବାହିକ ଜୀବନ ବିଷୟରେ ପଚରାଯାଇଥିଲା। “ମୁଁ ପିଲାଦିନେ ବିବାହ କରିଥିଲି। ମୋ ପତ୍ନୀ ବଡ଼ ହେବା ପରେ ତାଙ୍କ କନ୍ୟାଦାନ ମୁଁ ନିଜ ହାତରେ କରିଥିଲି। ମୁଁ ଜଣେ ନାଗା ସାଧୁ। ମୁଁ କୌଣସି ମହିଳା ସହ ସମ୍ପର୍କ ରଖିପାରିବି ନାହିଁ”, କ୍ରାଇମବ୍ରାଞ୍ଚ ଟିମ୍ ସାମ୍ନାରେ କାନ୍ଦିକାନ୍ଦି ଏହା କହିଥିଲେ ଦାତି ମହାରାଜ।

ଦୀର୍ଘ ୫ ଘଣ୍ଟାର ଏହି ଜେରା ସମୟରେ ଦାତି ମହାରାଜଙ୍କୁ ୮୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା। ଏହି ସମୟରେ ମଧ୍ୟରେ ଦାତି ମହାରାଜ ନିଜକୁ ବାରମ୍ବାର ନିର୍ଦ୍ଦୋଷ କହିଛନ୍ତି।

ଏଥିମଧ୍ୟରୁ ମଙ୍ଗଳବାର ପଚରାଯାଇଥିବା ୩୦ଟି ପ୍ରଶ୍ନର ପୁନରାବୃତ୍ତି ମଧ୍ୟ କରାଯାଇଛି। ଅନ୍ୟ ୨୦ଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ମିଳି ନଥିବା ଜଏଣ୍ଟ କମିଶନର ଆଲୋକ କୁମାର କହିଛନ୍ତି।

ବାବା କେତେ ସତ ଆଉ କେତେ ମିଛ କହୁଛନ୍ତି ତାହା ପୋଟେନ୍ସି ଟେଷ୍ଟ ପରେ ଜଣାପଡ଼ିବ ବୋଲି କ୍ରାଇମବ୍ରାଞ୍ଛ ଟିମ୍ କହିଛି। ମଙ୍ଗଳବାର ବାବାଙ୍କର ପୋଟେନ୍ସି ଟେଷ୍ଟ କରାଯିବ ବୋଲି ଜଣାପଡିଛି। ତେବେ ଶୁକ୍ରବାର ଜେରା ବେଳେ ଦାତି ମହାରାଜ ନିଜକୁ ନିର୍ଦ୍ଦୋଷ କହିବା ସହ କାନ୍ଦି ପକାଇଛନ୍ତି।

ଦାତି ମହାରାଜଙ୍କର ବିରୋଧରେ ଜଣେ ଶିଷ୍ୟା ବଳାତ୍କାର ଅଭିଯୋଗ ଆଣିବା ପରେ ଦିଲ୍ଲୀ ପୋଲିସ୍‍ ଦିଲ୍ଲୀ ପୋଲିସ୍‍ ଦାତି ମହାରାଜଙ୍କ ବିରୋଧରେ ଆଇପିସି ଧାରାରେ ୩୭୬(ବଳାତ୍କାର), ୩୭୭ (ଅପ୍ରାକୃତିକ ଯୌନକ୍ରିୟା) ଏବଂ ୩୫୪ (ଅସଦାଚରଣ)ରେ ମାମଲା ଋଜୁ କରି ଏହାର ତଦନ୍ତ କରିଥିଲା।

ଦିଲ୍ଲୀର ଫତେହପୁରସ୍ଥିତ ଶନିଧାମ ମନ୍ଦିରର ସଂସ୍ଥାପକ ଦାତି ମହାରାଜ ଅନେକ ଟିଭି ଚ୍ୟାନେଲରେ ଜ୍ୟୋତିଷ ସମ୍ପର୍କିତ କାର୍ଯ୍ୟକ୍ରମ ଉପସ୍ଥାପନା କରିଆସୁଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ। ତାଙ୍କ ଫେସ୍‍ବୁକ୍‍ ପେଜ୍‍କୁ ୩୪ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି।

ପ୍ରତିଦିନ ରାଶିଫଳ ସମ୍ପର୍କିତ ଭିଡିଓ ଓ ଶୁଭଅଶୁଭର ବାର୍ତ୍ତା ଦେଇଥାନ୍ତି ଦାତି ମହାରାଜ। ପୂର୍ବରୁ ଯୌନ କେଳେଙ୍କାରୀ ମାମଲାରେ ସ୍ୱାମୀ ଶ୍ରୀହରି, ଆଶାରାମ ବାପୁ, ନାରାୟଣ ସାଇ, ସନ୍ଥ ରାମପାଲ, ସ୍ୱାମୀ ନିତ୍ୟାନନ୍ଦ, ସ୍ୱାମୀ ପ୍ରେମାନନ୍ଦ, ମହର୍ଷି ମହେଶ ଯୋଗୀ, ସ୍ୱାମୀ ସଦାଚାରୀ, ଡେରା ମୁଖ୍ୟ ରାମ ରହିମ ପ୍ରମୁଖ ବନ୍ଧା ହୋଇ ଜେଲ ଯାଇଥିବା ବେଳେ ଅନ୍ୟାନ୍ୟ ଅପରାଧିକ ମାମଲାରେ ଅନେକ ବାବାଙ୍କୁ ଜେଲ ଯିବାକୁ ପଡ଼ିଛି।

Comment