ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଉ ଜୁସ ପିଇବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ପୁନେର ଏହି ମହିଳାଙ୍କୁ ଏଥିପାଇଁ ଜୀବନ ଦେବାକୁ ପଡ଼ିଛି। ୪୨ ବର୍ଷୀୟା ଏହି ମହିଳା ଜଣକ ଲାଉ ଜୁସ ପିଉପିଉ ହିଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ଆରମ୍ଭ କଲା ଓ ତାଙ୍କୁ ହସ୍ପିଟାଲ ନିଆଗଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଦୈନନ୍ଦିନ ମର୍ନିଂ ୱାକ ପରେ ମହିଳା ଜଣକ ଘରକୁ ଫେରି ଆଗରୁ ଥିବା ଲାଉ ଜୁସ ତ ପିଇଲେ, କିନ୍ତୁ ସେ ଜାଣିନଥିଲେ ଯେ ଏଇଟା ତାଙ୍କର ଶେଷ ଗ୍ଲାସ ହେବ।

ଜୁନ ୧୨ ତାରିଖର ଘଟଣା। ସକାଳ ୫ଟାରେ ୫ କିମି ଚାଲିଲା ପରେ ସେ ଘରକୁ ଫେରି ଆସିଲେ। ପ୍ରାୟ ୯ଟା ବେଳକୁ ବୋତଳରେ ଥିବା ଲାଉ ରସ ପିଇଲେ। ଏହାର ଅଳ୍ପ କିଛି ସମୟ ମଧ୍ୟରେ ତାଙ୍କ ତଣ୍ଟି ଶୁଖିବା ଆରମ୍ଭ ହେଲା। ପରେ ପରେ ବାନ୍ତି ହେଲା। ଏଣୁ ସେ ଅଫିସ ନ ଯିବା ପାଇଁ ସ୍ଥିର କଲେ। କିଛି ସମୟ ଆରାମ କରିବା ପରେ ବି ସ୍ୱାସ୍ଥ୍ୟ ଅବସ୍ଥା ନ ସୁଧୁରିବାରୁ ତାଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନା ନିଆଗଲା।

ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ସେ ବେହୋସ ହୋଇପଡିଥିଲେ। ତାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଗଲା। ପ୍ରଥମେ ତାଙ୍କ ଅବସ୍ଥାରେ ଅଳ୍ପ ଉନ୍ନତି ଦେଖାଗଲା। କିନ୍ତୁ ଚାରି ଦିନ ପରେ ତାଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ଆରମ୍ଭ ହେଲା ଓ ଆସ୍ତେ ଆସ୍ତେ ଅଙ୍ଗପ୍ରତ୍ୟଙ୍ଗ ସବୁ ଅଚଳ ହେବାକୁ ଲାଗିଲା। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ସେ ପ୍ରାଣ ହରାଇଥିଲେ।

ଲାଉ ରସ ପିଇ ମୃତ୍ୟୁବରଣ କରିବା ପ୍ରଥମ ଘଟଣା ନୁହେଁ।ଏମିତି ଅନେକ କେସ୍ ରହିଛି। ଡାକ୍ତରଙ୍କ କହିବା କଥା ଯଦି କୌଣସି ଜୁସ କଷା କି ପିତା ଲାଗିଲା ତାହାକୁ ସେବନ କରିବା ଉଚିତ ନୁହେଁ। ରଖା ହୋଇଥବା ଜୁସ ବିଷାକ୍ତ ହେବାର ଆଶଙ୍କା ଥାଏ। ଏଣୁ ଏ ଦିଗରେ ସଚେତନତା ସୃଷ୍ଟି କରିବା ଦରକାର।

୨୦୧୧ରେ ଭାରତୀୟ ଭେଷଜ ପରିଷଦ ବା ଇଣ୍ଡିଆନ ମେଡିକଲ କାଉନ୍ସିଲ ତାର ଏକ ଅନୁଧ୍ୟାନ କରି ସତର୍କ କରିଥିଲା ଯେ ଯଦି ଲାଉ ଜୁସ କଷା ଲାଗେ ତାହା ସେବନୀୟ ନୁହେଁ ଓ ଏହା ମାରାତ୍ମକ ହୋଇପାରେ।

Comment