ଓଡ଼ିଶାଲାଇଭ୍ ବ୍ୟୁରୋ
‘ରାଇଜିଂ କଶ୍ମୀର’ ସମ୍ପାଦକ ଶୁଜାତ୍ ବୁଖାରିଙ୍କ ହତ୍ୟା ଘଟଣାରେ ପାକିସ୍ତାନର ହାତ ଥିବା ଜାମ୍ମୁ ଓ କାଶ୍ମୀର ପୋଲିସ ସୁରାକ ପାଇଛି।
ଜାମ୍ମୁ ଓ କାଶ୍ମୀର ପୁଲିସ ଶୁଜାତ୍ ବୁଖାରିଙ୍କ ହତ୍ୟା ଘଟଣାରେ ପାକିସ୍ତାନର ହାତ ଥିବା ଜାମ୍ମୁ ଓ କାଶ୍ମୀର ପୋଲିସ ସୁରାକ ପାଇଛି। ଜୁନ୍ ଶେଷ ସୁଦ୍ଧା ସମସ୍ତ ପ୍ରମାଣ ସହ ଏହି ଘଟଣାର ଉପରୁ ରହସ୍ୟ ଉନ୍ମୋଚନ ହେବ ବୋଲି ପୋଲିସ କହିଛି।
‘ରାଇଜିଂ କଶ୍ମୀର’ ସମ୍ପାଦକ ଶୁଜାତ୍ ବୁଖାରିଙ୍କ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବରିଷ୍ଠ ଖବରଦାତା ତଥା ଶାନ୍ତି ପ୍ରତିଷ୍ଠା ପାଇଁ ସବୁବେଳେ ଉଦ୍ୟମ ଚଳାଇଥିବା ୫୦ ବର୍ଷୀୟ ଶୁଜାତ୍ ବୁଖାରିଙ୍କୁ ୧୪ଜୁନ ସନ୍ଧ୍ୟାରେ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ।
ସେ ଶ୍ରୀନଗରର ଲାଲ୍ଚୌକ୍ସ୍ଥିତ ପ୍ରେସ୍ ଏନ୍କ୍ଲେଭ୍ ଅଫିସରୁ ବାହାରି ଏକ ଇଫ୍ତାର ପାର୍ଟିକୁ ଯାଉଥିବାବେଳେ ବନ୍ଧୁକଧାରୀମାନେ ତାଙ୍କୁ ଖୁବ୍ ନିକଟରୁ ଗୁଳି କରିଥିଲେ। ଗୁଳିମାଡ଼ରେ ବୁଖାରି ଓ ତାଙ୍କର ୨ ଜଣ ପିଏସ୍ଓ ଟଳିପଡ଼ିଥିଲେ।
ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ହାତ ଥିବା ସନ୍ଦେହ କରାଯାଉଛି। ପାକିସ୍ତାନ ସରକାରଙ୍କ ଇସାରାରେ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ କହିଛି।
କିଛିଦିନ ତଳେ ସିସିଟିଭିରୁ ସଂଗୃହୀତ ଫୁଟେଜ୍ ଯାଞ୍ଚ କରି ୩ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି କରିଥିଲା ପୋଲିସ। ସୀମା ଆରପାରିରୁ ନିର୍ଦ୍ଦେଶ ପାଇ ଆତଙ୍କବାଦୀମାନେ ବୁଖାରିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ବୋଲି ତଦନ୍ତରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ଅଧିକାରୀମାନେ କହିଛନ୍ତି।
ବୁଖାରିଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ପାକିସ୍ତାନୀ ସାମ୍ବାଦିକ-ସାମାଜିକକର୍ମୀ ଏର୍ସାଦ୍ ମହମଦ୍ଙ୍କ ଉର୍ଦ୍ଦୁରେ ଜୁନ୍ ୧୬ ତାରିଖ ଦିନର ଫେସ୍ବୁକ୍ ପୋଷ୍ଟ୍କୁ ନୋଟ୍ କରିଛି ରାଜ୍ୟ ପୋଲିସ। ଦୁହେଁ ଦୁବାଇରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥିବାରୁ ବିଚ୍ଛିନ୍ନତାବାଦୀଙ୍କ ଶତ୍ରୁ ହୋଇପଡ଼ିଥିଲେ।
















