ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ଭାରତ। ଥମସନ୍‌ ରଏଟର୍ସ ଫାଉଣ୍ଡେସନର ସର୍ଭେ ରିପୋର୍ଟରେ ଏହା କୁହାଯାଇଛି।

ମହିଳାମାନଙ୍କ ପାଇଁ ସବୁଠାରୁ ବିପଜ୍ଜନକ ଦେଶ  ତାଲିକାର ଶୀର୍ଷରେ ରହିଛି ଭାରତ। ଆମେରିକା ଓ ଇଂଲଣ୍ଡରେ ଅବସ୍ଥାପିତ ଥମସନ୍‌ ରଏଟର୍ସ ଫାଉଣ୍ଡେସନର ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ମହିଳାମାନଙ୍କ ସାମାଜିକ ସ୍ଥିତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଅନୁଧ୍ୟାନ କରୁଥିବା ବିଶ୍ଵର ୫୫୦ ଜଣ ବିଶେଷଜ୍ଞଙ୍କ ଆକଳନ ଭିତ୍ତିରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ମହିଳା ବିରୋଧୀ ହିଂସାର ମାତ୍ରା ସର୍ବାଧିକ।

ଗତ କିଛି ବର୍ଷ ମଧ୍ୟରେ ଭାରତରେ ବଳାତ୍କାର, ଯୌନ ଉତ୍ପୀଡ଼ନ, ଘରୋଇ ହିଂସା ଏବଂ ନିର୍ଯାତନା ସାଙ୍ଗକୁ ବେଶ୍ୟାବୃତ୍ତି ପାଇଁ ଯୁବତୀ ଚାଲାଣ ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ୨୦୧୧ ମସିହାରେ ଏହି ସଂସ୍ଥା ଦ୍ଵାରା କରାଯାଇଥିବା ସର୍ଭେରେ ଭାରତ ଚତୁର୍ଥ ସ୍ଥାନରେ ଥିଲା। ସେତେବେଳେ ଆଫଗାନିସ୍ଥାନ, କଙ୍ଗୋ ଗଣରାଜ୍ୟ ଏବଂ ପାକିସ୍ତାନ ପଛକୁ ରହିଥିଲା ଭାରତ।

ଏହି ଅନୁଧ୍ୟାନ ପାଇଁ ପ୍ରଶ୍ନ ଥିଲା ମିଳିତ ଜାତିସଂଘର ୧୯୩ଟି ସଦସ୍ୟ ରାଷ୍ଟ୍ର ମଧ୍ୟରୁ କେଉଁ ପାଞ୍ଚଟି ରାଷ୍ଟ୍ର ମହିଳାମାନଙ୍କ ପାଇଁ ସବୁଠାରୁ ବିପଜ୍ଜନକ ଏବଂ ସ୍ଵାସ୍ଥ୍ୟସେବା, ଆର୍ଥିକ ସମ୍ବଳ, ପାରମ୍ପରିକ ପ୍ରଥା, ଯୌନ ଉତ୍ପୀଡ଼ନ ଏବଂ ମାନବ ଚାଲାଣ କ୍ଷେତ୍ରରେ ସବୁଠାରୁ ଖରାପ।  ବିଶ୍ଵର ବିଭିନ୍ନ ଦେଶରୁ ଯେଉଁ ବିଶେଷଜ୍ଞମାନେ ଏହାର ଉତ୍ତର ଦେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ  ନୀତି ପ୍ରଣେତା, ଶିକ୍ଷାବିତ୍‌, ସ୍ଵାସ୍ଥ୍ୟକର୍ମୀ, ସ୍ଵେଚ୍ଛାସେବୀ ଏବଂ ବିଭିନ୍ନ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ।

ଏ ବର୍ଷ ମାର୍ଚ୍ଚ ୨୬ରୁ ମେ ୪ ମଧ୍ୟରେ କରାଯାଇଥିବା ଏହି ଅନୁଧ୍ୟାନର ନିଷ୍କର୍ଷରୁ ପ୍ରତିପାଦିତ ହୋଇଥିଲା ଯେ ଭାରତ ହିଁ ନାରୀମାନଙ୍କ ପାଇଁ ସବୁଠାରୁ ବିପଜ୍ଜନକ ଦେଶ। ମହିଳାମାନଙ୍କ ବିରୋଧରେ ହିଂସା ଏବଂ ଯୌନ ନିର୍ଯାତନା, ସାଂସ୍କୃତିକ ଏବଂ ପାରମ୍ପରିକ କାରଣରୁ ନାରୀ ଉତ୍ପୀଡ଼ନ ଏବଂ ମାନବ ଚାଲାଣ କ୍ଷେତ୍ରରେ ଭାରତକୁ ଶୀର୍ଷରେ ରଖିଥିଲେ ବିଶେଷଜ୍ଞମାନେ। ସେମାନଙ୍କ ମତରେ ଗତ କିଛି ବର୍ଷ ମଧ୍ୟରେ ଭାରତରେ ନାରୀମାନଙ୍କର ସାମାଜିକ ସ୍ଥିତି ଅଧୋମୁଖୀ ହୋଇଛି। ନାରୀ ବିରୋଧୀ ହିଂସା ବଢ଼ିବା ସହିତ କର୍ମକ୍ଷେତ୍ରରେ ନାରୀର ଆଶଙ୍କିତ ମନୋଭାବ ମଧ୍ୟ ବଢ଼ିବାରେ ଲାଗିଛି।

ଥମସନ୍‌ ରଏଟର୍ସ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ତାଲିକାରେ ଭାରତ ପଛକୁ ରହିଛି ଆଫଗାନିସ୍ତାନ। ସିରିଆ, ସୋମାଲିଆ ଓ ସାଉଦି ଆରବ ଯଥାକ୍ରମେ ତୃତୀୟ, ଚରୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ତାଲିକାର ଦଶମ ସ୍ଥାନରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ପାକିସ୍ତାନ ରହିଛି ଷଷ୍ଠ ସ୍ଥାନରେ। କଙ୍ଗୋ ଗଣରାଜ୍ୟ, ୟେମେନ ଏବଂ ନାଇଜେରିଆ ଯଥାକ୍ରମେ ସପ୍ତମ, ଅଷ୍ଟମ ଏବଂ ନବମ ସ୍ଥାନରେ ଅଛନ୍ତି।

୨୦୧୧ ମସିହାରେ ପାକିସ୍ତାନ ତୃତୀୟ ଏବଂ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା। ରିପୋର୍ଟ ଅନୁସାରେ ଏବେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ସ୍ଥିତି ସୁଧୁରିଛି। ପାକିସ୍ତାନ ତୃତୀୟରୁ ଷଷ୍ଠ ସ୍ଥାନକୁ ଖସିଯାଇଛି ଏବଂ ଆଫଗାନିସ୍ତାନ ପ୍ରଥମରୁ ଖସି ଦ୍ଵିତୀୟ ସ୍ଥାନରେ ରହିଛି। କିନ୍ତୁ ଭାରତରେ ସ୍ଥିତି ସଂପୂର୍ଣ୍ଣ ବିପରୀତ।

ବିଦେଶୀ ସଂସ୍ଥା ଦ୍ଵାରା ପ୍ରସ୍ତୁତ ଏହି ସର୍ଭେ ରିପୋର୍ଟର ଗ୍ରହଣୀୟତା ତର୍କ ସାପେକ୍ଷ। ଏହାର ବୈଧତା ଏବଂ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଲାଗିବା ସ୍ଵାଭାବିକ। ତଥାପି ରାଜନୈତିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଏହାର ଉପଯୁକ୍ତ ସମୀକ୍ଷା ଆବଶ୍ୟକ ମନେହୁଏ।

Comment