ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ଦିନ ଦ୍ୱିପ୍ରହରରେ ଜଣେ ମେଜରଙ୍କ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଭାରତୀୟ ସେନାର ଜଣେ ମେଜରଙ୍କ ପତ୍ନୀଙ୍କୁ ଆଉ ଜଣେ ମେଜର ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରି ପୁଲିସ୍‌ ହାତରେ ଗିରଫ ହେବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।

ଏ ମାମଲାରେ ପୁଲିସ୍‌ର ତଦନ୍ତ ଯେତେ ଆଗଉଛି, ସେତେ ନୂଆ ତଥ୍ୟ ସାମନାକୁ ଆସୁଛି।

ମେଜର ଅମିତ୍‌ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କ ସହ ପରକୀୟା ପ୍ରେମରେ ଲିପ୍ତ ଥିଲେ ମେଜର ନିଖିଲ ହାଣ୍ଡା। ଉଭୟ ନିଖିଲ ଏବଂ ଅମିତ ପୂର୍ବରୁ ୨୦୧୫ରେ ନାଗାଲ୍ୟାଣ୍ଡର ଦିମାପୁରରେ ପୋଷ୍ଟିଂ ହୋଇଥିଲେ। ସେହି ସମୟରେ ଶୈଳଜା ଓ ନିଖିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

୪୦ ବର୍ଷ ବୟସ୍କ ନିଖିଲ ମଧ୍ୟ ବିବାହିତ ଏବଂ ତାଙ୍କର ଦୁଇଜଣ ସନ୍ତାନ ମଧ୍ୟ ଅଛନ୍ତି। ଏହା ସତ୍ତ୍ୱେ ଶୈଳଜାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ନିଖିଲ।

ଅମିତଙ୍କର ଦିଲ୍ଲୀ ବଦଳି ହୋଇଯିବା ପରେ ଶୈଳଜା ସ୍ୱାମୀ ଅମିତଙ୍କ ସହିତ ଦିଲ୍ଲୀ ଚାଲି ଆସିଥିଲେ। ଏହାପରେ ମଧ୍ୟ ଶୈଲଜା ଓ ନିଖିଲଙ୍କ ମଧ୍ୟରେ ପ୍ରେମ ଅବ୍ୟାହତ ରହିଥିଲା।

ନିଖିଲ ଶୈଳଜାଙ୍କୁ ଏକ ଦାମୀ ମୋବାଇଲ୍‌ ଫୋନ୍‌ ଉପହାର ଦେଇଥିଲେ ଏବଂ ସେଇ ଫୋନ୍‌ରେ ଶୈଳଜାଙ୍କୁ ସବୁବେଳେ ଭିଡିଓ କଲ୍‌ କରୁଥିଲେ। ବର୍ଷକ ମଧ୍ୟରେ ନିଖିଳ ଶୈଲଜାଙ୍କୁ ୩୦୦୦ରୁ ଅଧିକ ମୋବାଇଲ୍‌ କଲ୍‌ କରିଥିବା ପୁଲିସ୍‌ ନିଖିଲଙ୍କ ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ କଲାପରେ ଜାଣିବାକୁ ପାଇଛି।

ଶୈଳଜା ଥରେ ଭିଡିଓ କଲ୍‌ରେ ନିଖିଲଙ୍କ ସହ କଥା ହେଉଥିବା ବେଳେ ଅମିତଙ୍କ ହାତରେ ଧରାପଡ଼ିଥିଲେ। ଏହାପରେ ଶୈଳଜା ନିଖିଲଙ୍କୁ ଅଣଦେଖା କରିବାକୁ ଆରମ୍ଭ କରିବା ସହ ତାଙ୍କ ଫୋନ୍‌ କଲ୍‌କୁ ଆଉ ଧରୁ ନଥିଲେ।

ତେବେ କେମିତି ଘଟିଥିଲା ହତ୍ୟାକାଣ୍ଡ ?

ଘଟଣାଦିନ ସକାଳ ପ୍ରାୟ ୮ଟା। ଆର୍ମି ବେସ୍ ହସ୍ପିଟାଲ୍‌କୁ ଫିଜିଓଥେରାପି ପାଇଁ ଯାଇଥିବାବେଳେ ଦିଲ୍ଲୀରେ ଶୈଳଜାଙ୍କ ସହ ଦେଖାହେଲେ ନିଖିଲ। ଏହାପରେ ନିଜର ହୋଣ୍ଡାସିଟିରେ ଶୈଳଜାଙ୍କୁ ଧରି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଭିମୁଖେ ବାହାରିଥିଲେ।

ଅପରାହ୍ନ ପ୍ରାୟ ଗୋଟାଏ। କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଏକ ରାସ୍ତାକଡ଼ରେ କାର୍ ରଖି ଛୁରୀରେ ଶୈଳଜାଙ୍କ ବେକକୁ କାଟିଦେଇଥିଲେ ନିଖିଲ୍। ପରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ କାର୍ ଚଢ଼ାଇଦେଇଥିଲେ ସେ।

ଅପରାହ୍ନ ପର୍ଯ୍ୟନ୍ତ ସେ ନ ଫେରିବାରୁ ମେଜର ପୋଲିସରେ ଅଭିଯୋଗ କରିଥିଲେ। ମହିଳାଙ୍କ ଡାକ୍ତରଙ୍କୁ ପଚାରିବାରୁ ସେ ଫିଜିଓଥେରାପି ପାଇଁ ଆସି ନ ଥିବା ଡାକ୍ତର କହିଥିଲେ। ପରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ କ୍ୟାଣ୍ଟନମେଣ୍ଟ ମେଟ୍ରୋ ଷ୍ଟେଶନ ନିକଟରୁ ମିଳିଥିଲା।

କିନ୍ତୁ ଘଟଣାର କୌଣସି ସାକ୍ଷୀ କିମ୍ବା ପ୍ରମାଣ ନଥିବାରୁ ନିଖିଲଙ୍କୁ ତୁରନ୍ତ ଧରିପାରିନଥିଲା ପୋଲିସ। ଶେଷରେ ଶୈଳଜାଙ୍କ ସ୍ୱାମୀଙ୍କଠାରୁ ପୋଲିସ୍ ତଥ୍ୟ ସଂଗ୍ରହ କରିଥିଲା। ନିଖିଲଙ୍କ କଲ୍ ରେକର୍ଡ ଏବଂ ବିଭିନ୍ନ ସିସିଟିଭିକୁ ଯାଞ୍ଚ କରିବା ସହ ଏକାଧିକ ଗେଷ୍ଟ ହାଉସରେ ଚଢ଼ଉ କରିଥିଲା। ପରେ ମିରଟ୍ କ୍ୟାଣ୍ଟନମେଣ୍ଟରୁ ଗତକାଲି ସକାଳେ ନିଖିଲକୁ ପୋଲିସ ଗିରଫ କରିଥିଲା ।

ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କାହାର ହାତ ଅଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଜଣେ ସେନା ଅଧିକାରୀଙ୍କ ଦ୍ୱାରା ସଂଘଟିତ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ନେଇ ଦେଶବ୍ୟାପି ଚାଞ୍ଚଲ୍ୟ ଖେଳିଯାଇଛି।

ପରକୀୟା ପ୍ରେମକୁ ନେଇ ବଲିଉଡ୍ ଫିଲ୍ମ ‘ରୁସ୍ତମ’ର କାହାଣୀ ଥିଲା। ଯେଉଁଠି ନିଜ ପତ୍ନୀଙ୍କ ସହ ପରକୀୟା ସନ୍ଦେହ କରି କେମିତି ଅନ୍ୟ ଜଣଙ୍କ ଜୀବନ ନେଉଛନ୍ତି ଜଣେ ସେନା ଅଧିକାରୀ। ଦିଲ୍ଲୀର ରିୟଲ୍ ଷ୍ଟୋରୀରେ ବି ରହିଛି ସେମିତି ଜଣେ ସେନା ଅଧିକାରୀଙ୍କ କାହାଣୀ। ହେଲେ ଏଠି କିନ୍ତୁ ଚିତ୍ର ଅଲଗା।

Comment