ଓଡ଼ିଶାଲାଇଭ୍‍ ବ୍ୟୁରୋ

ଏକ ରିପୋର୍ଟ ଅନୁଯାୟୀ ଭାରତରେ ଦାରିଦ୍ର୍ୟ ହାର କମିବାରେ ଲାଗିଛି ଏବଂ ୨୦୩୦ ସୁଦ୍ଧା ଦେଶ ସଂପୂର୍ଣ୍ଣ ଦାରିଦ୍ର୍ୟମୁକ୍ତ ହେବ ବୋଲି ଆକଳନ କରାଯାଉଛି

ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଆଖିଦୃଶିଆ ସଫଳତା ପାଇଛି ଭାରତ। କିଛିମାସ ତଳେ ବିଶ୍ୱର ସଂଖ୍ୟାଧିକ ଦରିଦ୍ର ବ୍ୟକ୍ତିଙ୍କ ଦେଶ ରୂପେ ପରିଗଣିତ ହେଉଥିଲା ଭାରତ। ଏବେ ଏହି ପରିଚୟ ବଦଳିଛି। ୨୦୧୮ ମେ ମାସ ଶେଷରେ ଭାରତରେ ବସବାସ କରୁଥିବା ଅତି ଦରିଦ୍ର ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୭ କୋଟି ୩୦ ଲକ୍ଷ। ଅତ୍ୟନ୍ତ ଦରିଦ୍ରଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ଏବେ ଦ୍ୱିତୀୟ ସ୍ଥାନରେ।

ପ୍ରଥମ ସ୍ଥାନରେ ରହିଛି ନାଇଜେରିଆ। ନାଇଜେରିଆରେ ଅତି ଦରିଦ୍ର ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୮ କୋଟି ୭ ଲକ୍ଷ। ନାଇଜେରିଆରେ ପ୍ରତି ମିନିଟରେ ୬ ଜଣ ଅତି ଦରିଦ୍ର ବ୍ୟକ୍ତି ବର୍ଗରେ ସାମିଲ ହେଉଥିବା ବେଳେ ଭାରତରେ ଏହି ବର୍ଗଭୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପ୍ରତି ମିନିଟ୍‌ରେ ଅତ୍ୟନ୍ତ ଦାରିଦ୍ର୍ୟ ରୂପେ ଅଭିହିତ ବର୍ଗରୁ ମୁକ୍ତି ପାଉଛନ୍ତି ୪୪ ଜଣ ଭାରତୀୟ। ଏହି ରିପୋର୍ଟ ପ୍ରକାଶ ପାଇଛି ଆମେରିକୀୟ ସଂସ୍ଥା ବ୍ରୁକିଂସ୍‌ ଲିମିଟେଡ୍‌ର ‘ଫ୍ୟୁଚର ଡେଭଲପ୍‌ମେଣ୍ଟ’ ଶୀର୍ଷକ ବ୍ଲଗରେ।

ଦାରିଦ୍ର୍ୟ ମାନକରେ ତାରତମ୍ୟ ହେତୁ ହୁଏତ ଆମେରିକୀୟ ସଂସ୍ଥାର ଏହି ରିପୋର୍ଟ ଆମ ଦେଶର ବାସ୍ତବ ସ୍ଥିତି ସହିତ ମେଳ ଖାଇନପାରେ। ରିପୋର୍ଟରେ ଦିନକୁ ୧.୯ ଡଲାର ଖର୍ଚ୍ଚ କରିବାରେ ଅସମର୍ଥ ବ୍ୟକ୍ତିଙ୍କୁ ଅତି ଦରିଦ୍ର ବର୍ଗରେ ସ୍ଥାନିତ କରାଯାଇଛି।  ଅପରପକ୍ଷରେ ଗତ ୧୦ ବର୍ଷ ମଧ୍ୟରେ ଭାରତରେ ଦାରିଦ୍ର୍ୟ ଦୂରୀକରଣ ହାର ସର୍ବାଧିକ ବୋଲି କୁହାଯାଇଛି। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ୨୦୦୪ରୁ ୨୦୧୧ ମଧ୍ୟରେ ଭାରତରେ ଦରିଦ୍ରଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୩୮.୯ ପ୍ରତିଶତରୁ ୨୧.୨ ପ୍ରତିଶତକୁ ହ୍ରାସ ପାଇଥିଲା। ଏ କ୍ଷେତ୍ରରେ ମଧ୍ୟ ଦୈନିକ ୧.୯ ଡଲାର ଖର୍ଚ୍ଚ କରିବା ସାମର୍ଥ୍ୟକୁ ମାନକ ରୂପେ ନିଆଯାଇଥିଲା।

ଅର୍ଥନୀତି ବିଶାରଦମାନଙ୍କ ମତରେ ୧୯୯୧ ମସିହାରୁ ଭାରତରେ ଦାରିଦ୍ର୍ୟ ଦୂରୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା। ସେ ସମୟର ଆର୍ଥିକ ସଂସ୍କାର ନୀତି ବଳରେ ଏହା ସମ୍ଭବ ହୋଇପାରିଥିଲା। ଏହି ପ୍ରକ୍ରିୟା ଆଜି ଯାଏଁ ଜାରି ରହିଛି। ଗତ ଦଶବର୍ଷର ରେକର୍ଡକୁ ବିଚାର କଲେ ୨୦୩୦ ବେଳକୁ ଭାରତ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତି ପାଇବା ଏକ ବାସ୍ତବ ଆକଳନ ବୋଲି ମନେ ହେଉଛି। ୨୦୨୨ ବେଳକୁ ଭାରତରେ ମାତ୍ର ୩ ପ୍ରତିଶତ ଦରିଦ୍ର ଥିବେ ବୋଲି ଆକଳନ କରାଯାଇଛି।

ଅତ୍ୟନ୍ତ ଦାରିଦ୍ର୍ୟ ବହୁଳ ଦେଶ ତାଲିକାର ଶୀର୍ଷରେ ରହିଛି ନାଇଜେରିଆ। ନାଇଜେରିଆରେ ଅତି ଦରିଦ୍ରଙ୍କ ସଂଖ୍ୟା ଦେଶର ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ। ଆଫ୍ରିକୀୟ ଦେଶ ସମୂହରେ ବିଶ୍ୱର ସର୍ବାଧିକ ଦରିଦ୍ର ଲୋକ ବସବାସ କରୁଛନ୍ତି। ସାରା ବିଶ୍ୱରେ ୬୪ କୋଟି ୩୦ ଲକ୍ଷରୁ ଅଧିକ ଲୋକ ଅତି ଦରିଦ୍ର ଭାବେ କାଳ କାଟୁଛନ୍ତି। ଏହାର ଦୁଇ ତୃତୀୟାଂଶ କେବଳ ଆଫ୍ରିକୀୟ ଦେଶ ସମୂହରେ ଅଛନ୍ତି। ଆଫ୍ରିକାର ୧୮ଟି ଦେଶ ମଧ୍ୟରୁ ୧୪ଟିରେ ଦାରିଦ୍ର୍ୟ କାୟାବିସ୍ତାର କରିବାରେ ଲାଗିଛି।

ବିଶ୍ୱର ସର୍ବାଧିକ ଦାରିଦ୍ର୍ୟ ପ୍ରପୀଡ଼ିତ ଦେଶ ତାଲିକାରେ ରହିଛି ଆଫ୍ରିକୀୟ ଦେଶ କଙ୍ଗୋ ଗଣରାଜ୍ୟ, ଯେଉଁଠି ଅତି ଦରିଦ୍ର ପଦବାଚ୍ୟ ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୬ କୋଟି। ଇଥିଓପିଆରେ ୨ କୋଟି ୩୯ ଲକ୍ଷ, ତାଞ୍ଜାନିଆରେ ୧ କୋଟି ୯୯ ଲକ୍ଷ, ମୋଜାମ୍ବିକ୍‌ରେ ୧ କୋଟି ୭୮ ଲକ୍ଷ, କେନିଆରେ ୧ କୋଟି ୪୭ ଲକ୍ଷ ଏବଂ ଉଗାଣ୍ଡାରେ ୧ କୋଟି ୪୨ ଲକ୍ଷ ଲୋକ ଅତି ଦରିଦ୍ର ଅବସ୍ଥାରେ ରହିଛନ୍ତି।

ଦାରିଦ୍ର୍ୟ ତାଲିକାର ପ୍ରଥମ ଦଶଟି ସ୍ଥାନ ଭିତରେ ଏସିଆ ମହାଦେଶର ଅନ୍ୟ ଦୁଇଟି ଦେଶ ସ୍ଥାନ ପାଇଛନ୍ତି। ବାଂଲାଦେଶ ଏବଂ ଇଣ୍ଡୋନେସିଆ। ବାଂଲାଦେଶରେ ୧ କୋଟି ୭୦ ଲକ୍ଷ ଏବଂ ଇଣ୍ଡୋନେସିଆରେ ୧ କୋଟି ୪୨ ଲକ୍ଷ ଲୋକ ଅତି ଦରିଦ୍ର ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଦୈନିକ ୧.୯ ଡଲାର ଖର୍ଚ୍ଚ କରିବାରେ ଅସମର୍ଥ ବ୍ୟକ୍ତିଙ୍କୁ ଅତି ଦରିଦ୍ର ରୂପେ ଗଣନା କରାଯାଇ ପ୍ରସ୍ତୁତ ଏହି ରିପୋର୍ଟ ଆମ ଦେଶ ପାଇଁ କେତେ ଦୂର ଗ୍ରହଣୀୟ ଏବଂ ଏଥିରେ ଉପସ୍ଥାପିତ ତଥ୍ୟ ବାସ୍ତବ ସ୍ଥିତି ସହିତ କେତେ ଦୂର ପର୍ଯ୍ୟନ୍ତ ମେଳ ଖାଇବ ତାହା ତର୍କସାପେକ୍ଷ। କିନ୍ତୁ ଆଶ୍ୱାସନାର କଥା ଏତିକି ଯେ ଭାରତରେ ଦାରିଦ୍ର୍ୟ ହାର କମିବାରେ ଲାଗିଛି। ବିଶ୍ୱ ମାନଚିତ୍ରରେ ଭାରତର ସ୍ଥିତି ସୁଧୁରୁଛି।

LEAVE A REPLY

Please enter your comment!
Please enter your name here