ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶ ମନ୍ଦସୁରରେ ନିର୍ଭୟା କାଣ୍ଡ ଭଳି ଏକ ଅମାନବୀୟ ଘଟଣା। ଜଣେ ୭ ବର୍ଷର ନାବାଳିକାକୁ ନୃଶଂସ ଭାବେ ବଳାତ୍କାର କରାଯାଇଛି।
ମଧ୍ୟପ୍ରଦେଶ ନିମଚ୍ ଜିଲ୍ଲା ଅନ୍ତର୍ଗତ ମନ୍ଦସୁରରେ ଜଣେ ୮ ବର୍ଷର ବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ପରେ ବର୍ବର ଅତ୍ୟାଚାର କରାଯାଇଛି। ନାବାଳିକାଙ୍କ ତଣ୍ଟି କାଟି ଓ ଗୁପ୍ତାଙ୍ଗରେ କାଠ ପୂରାଇ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି।
ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ୨୦୧୨ରେ ଦିଲ୍ଲୀରେ ଘଟିଥିବା ନିର୍ଭୟା କାଣ୍ଡର ପୁନରାବୃତ୍ତି ଏଠାରେ ହୋଇଥିବା ବେଳେ ଏହି ଘଟଣାର ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।
ଏବେ ପୀଡ଼ିତା ଶିଶୁ ଇନ୍ଦୋର ଏମ୍ଓ୍ଵାଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି ଏବଂ ଅବସ୍ଥା ଅତି ଉଦବେଗଜନକ ରହିଛି।
ସହରରେ ଲୋକେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦାବି କରିଛନ୍ତି। ବଳାତ୍କାର ମଙ୍ଗଳବାର ଘଟିଥିଲାବେଳେ ବୁଧବାର ରାତିରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।
ଗତ ୨୬ ତାରିଖଦିନ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପୀଡ଼ିତାର ଜଣେ ପଡୋଶୀ ତାକୁ ଚକୋଲେଟ୍ ଦେବାକୁ ଡାକି ନେଇ ବଳାତ୍କାର କରିଥିଲା। ପରେ ମନ୍ଦସୁର ବସଷ୍ଟାଣ୍ଡ ନିକଟରୁ ନାବାଳିକାକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବାଳିକାକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ୍ ସିସିଟିଭି ଯାଞ୍ଚରୁ ଅଭିଯୁକ୍ତକୁ ଚିହ୍ନଟ କରି ବୁଧବାର ରାତିରେ ଗିରଫ କରିଛି। ଅଭିଯୁକ୍ତର ନାମ ଇମରାନ ଏବଂ ସେ ନିଶାଶକ୍ତ ଅବସ୍ଥାରେ ଏପରି କରିଥିବା କୁହାଯାଉଛି।
ଏହି ଘଟଣାକୁ କଂଗ୍ରେସ କଡ଼ା ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସର ରାଷ୍ଟ୍ରୀୟ ସଚିବ ସଜନ ସିଂହ ବର୍ମା ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧୀକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ପୀଡ଼ିତାର ଶରୀରର ବିଭିନ୍ନ ଅଂଶରେ ଦାନ୍ତ ଦାଗ ରହିଛି। କ୍ଷତ ବହୁ ଗଭୀର ଥିବାବେଳେ ପୀଡ଼ିତାର ଦୁଇ ଥର ଅସ୍ତ୍ରୋପଚାର କରାଯାଇଛି। ସମ୍ବେଦନ ଶୀଳ ଅଙ୍ଗରେ ଗୁରୁତର କ୍ଷତ ହୋଇଥିବାରୁ ପେଟରେ ଏକ ଗର୍ତ୍ତ କରିବାକୁ ପଡ଼ିଛି।
ସମସ୍ତ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଦାବି କରି ୧୦ ହଜାରରୁ ଅଧିକ ଲୋକ ମନ୍ଦସୁର ପୁଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଅଭିଯୁକ୍ତଙ୍କର ମାମଲା କୌଣସି ଓକିଲ ନ ଲଢିବାକୁ ରାଜ୍ୟ ଓକିଲ ସଂଘ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି, “ଏଭଳି ଅପରାଧ କରିଥିବା ବ୍ୟକ୍ତି ସମାଜ ପାଇଁ ବୋଝ, ସେମାନଙ୍କର ବଞ୍ଚିବାର ଅଧିକାର ନାହିଁ। ଅପରାଧୀଙ୍କୁ ଫାଶୀ ଦଣ୍ଡ ଦେବାକୁ ସରକାର ସୁପ୍ରିମ୍ କୋର୍ଟ ଏବଂ ହାଇକୋର୍ଟରେ ନିବେଦନ କରିବେ ବୋଲି ସେ କହିଛନ୍ତି।”
ଏହାକୁ ନେଇ ସହରରେ ବିଭିନ୍ନ ସଂଗଠନ, ମହିଳା ସଂଗଠନ, ସେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଏବଂ ସାଧାରଣ ଜନତା ଏକାଠି ହୋଇ ପ୍ରଦର୍ଶନ କରିଛନ୍ତି ଓ ଜିଲାରେ ବନ୍ଦ ଡାକରା ଦିଆଯାଇଛି।
















