ଓଡ଼ିଶାଲାଇଭ୍‌ ବ୍ୟୁରୋ

ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ଘଟଣାରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।

ଆଗୁଆ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ସକାଳ ୧୦ଟା ବେଳେ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି।

ପଟିଆଲା କୋର୍ଟ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦାୟୀ କରିଛନ୍ତି। ଏହି ମାମଲାରେ କୋର୍ଟ ପକ୍ଷରୁ ଶଶି ଥରୁରଙ୍କୁ ସମନ କରିବା ସହ ତାଙ୍କୁ ଜୁଲାଇ ୭ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଶଶି ଥରୁରଙ୍କ ବିରୋଧରେ ମାମଲା ପରିଚାଳନା କରିବ ନିମନ୍ତେ କୋର୍ଟ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ ବିଚାରପତି ସମର ବିଶାଳ ତାଙ୍କ ରାୟରେ ପ୍ରକାଶ କରିଛନ୍ତି।

ଏହି ମାମଲାରେ ତଦନ୍ତ କରୁଥିବା ଦିଲ୍ଲୀ ପୁଲିସର ଏସଆଇଟି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପତ୍ନୀଙ୍କୁ ଆତ୍ମହତ୍ୟା କରିବା ନିମନ୍ତେ ପ୍ରୋତ୍ସାହିତ କରିଥିବା ଦର୍ଶାଇଛନ୍ତି।

ଶଶି ଥରୁରଙ୍କ ବିରୋଧରେ ଧାରା ୩୦୬ ଓ ୪୯୮(କ) ଅନୁଯାୟୀ ମୋକଦ୍ଦମା ଚଳାଇବା ପାଇଁ ଯଥେଷ୍ଟ ପ୍ରମାଣ କୋର୍ଟଙ୍କ ପାଖରେ ଉପସ୍ଥାପିତ କରାଯାଇଛି।

୪ବର୍ଷ ପୂର୍ବେ ୧୭ଜାନୁୟାରୀ ୨୦୧୪ ଦିଲ୍ଲୀ ସ୍ଥିତ ଲୀଲା ପ୍ୟାଲେସ ନାମକ ଏକ ପଞ୍ଚ ତାରକା ହୋଟେଲରେ ୫୭ବର୍ଷିୟା ସୁନନ୍ଦାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ପ୍ରାରମ୍ଭରେ ଏହାକୁ ଏକ ଆତ୍ମହତ୍ୟା ମାମଲା ପରି ଲାଗୁଥିଲେ ମଧ୍ୟ ଅଧିକ ତଦନ୍ତ ପରେ ପୁଲିସ କାହାରି ନାମ ଉଲ୍ଲେଖ ନକରି ମଧ୍ୟ ଏହାକୁ ହତ୍ୟାକାଣ୍ଡ ବୋଲି ଚାର୍ଜସିଟରେ ଉଲ୍ଲେଖ କରିଥିଲା।

ଉଭୟଙ୍କ ବିବାହ ୨୦୧୦ରେ ହୋଇଥିଲେ ମଧ୍ୟ ୨୦୧୪ ଜାନୁୟାରୀ ୧୫ରେ ପାକିସ୍ତାନର ମେହେର ତାରାର ନାମକ ଜନୈକା ସାମ୍ବାଦିକଙ୍କ ସହ ଶଶି ଥରୁରଙ୍କ ଟ୍ୱିଟରରେ ବାର୍ତ୍ତାଳାପ ବିବାଦର କାରଣ ପାଲଟିଥିଲା।

ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ସେପଟେ ପାକିସ୍ତାନୀ ସାମ୍ବାଦିକ ଶଶିଙ୍କ ସହ ତାଙ୍କ ସମ୍ପର୍କକୁ ଅସ୍ୱୀକାର କରିଥିଲେ। ଏପଟେ ଶଶି ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‍ ହୋଇ ଯାଇଥିବା ଅଭିଯୋଗ କରିଥିଲେ। ତେବେ ଘଟଣାକୁ ନେଇ ଉଭୟଙ୍କ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବା ସହ ସୁନନ୍ଦାଙ୍କ ହଠାତ୍‍ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇ ଯାଇଥିଲା।

Comment