ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛିଦିନ ଧରି ମେସେଜିଂ ଆପ୍ଲିକେସନ୍ ହ୍ଵାଟ୍ସଆପ୍ ଜରିଆରେ ପିଲାଚୋରି ଗୁଜବ ଖବର ବ୍ୟାପିବାରେ ଲାଗିଛି। ଏହାର କୁପରିଣତି ସ୍ୱରୂପ ଦେଶରେ ମୋଟ ୩୦ଟି ହତ୍ୟାକାଣ୍ଡ ଘଟିସାରିଲାଣି।
ଏ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ହ୍ଵାଟ୍ସଆପ୍କୁ ଚେତାବନୀ ଦେଇଥିଲେ। ହ୍ଵାଟ୍ସଆପ୍ ଦ୍ୱାରା ମିଥ୍ୟା ଖବର ଓ ଗୁଜବ ପ୍ରସାର ବନ୍ଦ କରିବା ପାଇଁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ।
ହ୍ଵାଟ୍ସଆପ୍ କମ୍ପାନି ଏହାର ଜବାବ ରଖିଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଆପ ମାଧ୍ୟମରେ ମିଥ୍ୟା ଖବର ଓ ଗୁଜବ ପ୍ରସାର ବନ୍ଦ କରିବା କଷ୍ଟକର। ଏଥିପାଇଁ ଭାରତ ସରକାର ଏବଂ ହ୍ଵାଟ୍ସଆପ୍ କମ୍ପାନି ମଧ୍ୟରେ ସହଭାଗୀତାର ଆବଶ୍ୟକତା ରହିଛି।
ଜୁଲାଇ ୩ରେ ହ୍ଵାଟ୍ସଆପ୍ କମ୍ପାନି ପକ୍ଷରୁ ଆଇଟି ମନ୍ତ୍ରାଳୟକୁ ପଠାଯାଇଥିବା ପତ୍ରରେ ଏହା ଉଲ୍ଲେଖ ରହିଛି। ପତ୍ରରେ ଲେଖାଯାଇଛି ଯେ ଏ କ୍ଷେତ୍ରରେ ହ୍ଵାଟ୍ସଆପ୍ କାର୍ଯ୍ୟ କରୁଛି, ଗ୍ରୁପ୍ ଚାଟରେ ପରିବର୍ତ୍ତନ କରାଯାଉଛି ଓ ଏହାଦ୍ୱାରା ମିଥ୍ୟା ବାର୍ତ୍ତା ଓ ଗୁଜବ ପ୍ରେରଣ କେତେକାଂଶରେ ରୋକା ଯାଇପାରିବ ବୋଲି କମ୍ପାନି ଆଶା ରଖିଛି।
ଲୋକଙ୍କ ସୁରକ୍ଷା ପାଇଁ କମ୍ପାନି ଲେବଲ ପରୀକ୍ଷା କରୁଛି। ଏହି ଲେବଲ ଦ୍ୱାରା ହ୍ଵାଟ୍ସଆପ୍ ବ୍ୟବହାରକାରୀ କେଉଁ ସମୟରେ ବାର୍ତ୍ତା ପଠାଇଲେ, କ’ଣ ଲେଖିଲେ ଓ କାହାକୁ ବାର୍ତ୍ତା ପଠାଇଲେ ତାହା ଜାଣିହେବ। ଖୁବଶୀଘ୍ର ଭାରତରେ ଏହି ଫିଚର ବ୍ୟବହାର କରାଯିବ ଓ ଏହାଦ୍ୱାରା କେତେକାଂଶରେ ମିଥ୍ୟା ବାର୍ତ୍ତା ପ୍ରସାରଣ ବନ୍ଦ ହୋଇପାରିବ।
ହ୍ଵାଟ୍ସଆପ୍ ମାଧ୍ୟମରେ ପିଲା ଚୋରି ଗୁଜବକୁ ନେଇ ୧୫ ଦିନ ମଧ୍ୟରେ ପ୍ରାୟ ୩୦ ଲୋକଙ୍କ ହତ୍ୟା ହୋଇସାରିଛି। ଏହି ଗୁଜବ ସମଗ୍ର ଦେଶରେ ଏକ ଭୟର ବାତାବରଣ ସୃଷ୍ଟି କରିଛି।
ଭାରତରେ ପାଖାପାଖି ୨୦ କୋଟି ଲୋକ ହ୍ଵାଟ୍ସଆପ୍ର ବ୍ୟବହାର କରୁଛନ୍ତି। ମିଥ୍ୟା ବାର୍ତ୍ତାକୁ ଚିହ୍ନିବା ପାଇଁ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ଓ ଏ କ୍ଷେତ୍ରରେ କମ୍ପାନି କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଛି।
ଗତ ରବିବାରଦିନ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ପିଲାଚୋର ସନ୍ଦେହରେ ୫ ଜଣ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏଥିରେ ୧୫ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଲୋକଙ୍କୁ ଗିରଫ କରାଯାଇଥିଲା।

















