ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ। ଚିକିତ୍ସା ଅବହେଳା ଅଭିଯୋଗ କରି ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ପିଟିଲା ପୋଲିସ।
- ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ
- ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
- ଟାୟାର ଜାଳି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ
- ପୋଲିସ ଗୋଡ଼େଇ ପିଟିଲା
ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା। ଏହି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ। ଚିକିତ୍ସା ଅବହେଳାର ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ୫୭ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତା ଅବରୋଧ ହଟି ନଥିଲା। ଶେଷରେ ପୋଲିସ ରାସ୍ତା ଅବରୋଧକାରୀଙ୍କ ଉପରେ ଲାଠିମାଡ଼ କରିଥିଲା।
ନୟାଗଡ଼ ସଦର ଥାନା ଅନ୍ତର୍ଗତ ଗୋଳଗୋଳା ଗାଁର ଶଙ୍କର୍ଷଣ ପ୍ରଧାନଙ୍କ ୮ମାସର ଶିଶୁପୁତ୍ର ସ୍ୱସ୍ତିକ ଏକ ବୋତଲ ଠିପି ଗିଳି ଦେବାରୁ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ଅଣାଯାଇ ଥିଲା। ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଫଳରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।
ଶେଷରେ ଉତ୍ତ୍ୟକ୍ତ ଲୋକେ ଏବଂ ପରିବାରବର୍ଗ ମେଡିକାଲ ସାମ୍ନାରେ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଟାୟାର ଜାଳି ରବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଶିଶୁର ଶ୍ୱାସ ନଳୀରେ ବୋତଲ ଠିପି ଅଟକି ଯାଇଥିଲା। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଜଣ ଡାକ୍ତର ଶିଶୁର ଶ୍ୱାସ ନଳୀରୁ ଠିପିଟି କାଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ଠିପିଟି ନବାହାରିବାରୁ ଶିଶୁର ମୃତ୍ୟୁ ହୋଇଥିଲା। ଅସୁସ୍ଥ ଶିଶୁଙ୍କ ପାଇଁ କାଡିଓ ଥେରାସି ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। ନୟାଗଡ଼ରେ ଏହି ସୁବିଧା ଉପଲବ୍ଧ ନଥିବାରୁ ଶିଶୁର ମୃତ୍ୟୁ ଘଟିଛି। ଚିକିତ୍ସାରେ କୌଣସି ଅବହେଳା ହୋଇନାହିଁ।


















