କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

  • ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥାରୂଢ଼ ହେଲେ ଶ୍ରୀବଳଦେବଜୀଉ
  • ଧାଡ଼ି ପହଣ୍ଡିରେ ଆସିଲେ ତିନି ଠାକୁର
  • ରାଜପୁରୋହିତ କଲେ ଛେରା ପହଁରା
  • ବ୍ରହ୍ମତାଳଧ୍ୱଜ ରଥକୁ ଟାଣିଲେ ଶ୍ରଦ୍ଧାଳୁ
  • ରବିବାର ମାଉସୀମା’ ମନ୍ଦିରରେ ଲାଗିବ ରଥ

ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଘୋଷଯାତ୍ରା ଅବସରରେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଉତ୍ସବମୁଖର ହୋଇ ଉଠିଛି। ମହାପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ଦେଖିବା ପାଇଁ ଆଜି କେନ୍ଦ୍ରାପଡ଼ାରେ ପ୍ରବଳ ଜନସମାଗମ ହୋଇଥିଲା।

ଶୁକ୍ରବାର ଦିନ ତୁଳସୀକ୍ଷେତ୍ରରେ ନେତ୍ରଉତ୍ସବ ଅନୁଷ୍ଠିତ ହେବା ପରେ ଶନିବାର ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଥିଲା। ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ବଳଦେବଜୀଉ ଭାଇ ଜଗନ୍ନାଥ ଓ ଭଉଣି ସୁଭଦ୍ରାଦେବୀଙ୍କୁ ସାଙ୍ଗରେ ଧରି ଯାତ୍ରା କରିଥାନ୍ତି।

ଶନିବାର ସକାଳୁ ବଳଦେବଜୀଉଙ୍କ ଜୟମଙ୍ଗଳା ଆରତୀ, ନିତିସ୍ନାନ, ବଲ୍ଲଭ, ଖେଚୁଡ଼ି ଧୁପ, ସେନାପଟ୍ଟା ଲାଗି ଓ ମଙ୍ଗଳାର୍ପଣ କରିବା ପରେ ପହଣ୍ଡି ଆରମ୍ଭ ହୋଇଥିଲା।

ଧାଡ଼ି ପହଣ୍ଡିରେ ତିନି ଠାକୁରଙ୍କୁ ବିଜେପଣ୍ଡାମାନେ ରଥାରୂଢ଼ କରିଥିଲେ। ଘଣ୍ଟଘଣ୍ଟା, ତୁରୀ ଭେରୀ, କାହାଳୀ, ଝାଞ୍ଜ ମୁର୍ଦଙ୍ଗ, ହରିବୋଲ ହୁଳହୁଳିରେ କମ୍ପିଥିଲା ତୁଳସୀ କ୍ଷେତ୍ର। ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ଗହଣରେ ତିନି ଠାକୁର ବ୍ରହ୍ମ ତାଳଧ୍ୱଜ ରଥରେ ବିଜେ କରିଥିଲେ।

ପ୍ରଥା ଅନୁସାରେ ମହାପ୍ରଭୁଙ୍କର ରାଜ ପୁରୋହିତ ରଥରେ ଛେରାପହଁରା କରିଥିଲେ। ରଥରେ ଘୋଡ଼ା ଯୋଖା ହେବା ପରେ ଶ୍ରଦ୍ଧାଳୁ ରଥ ଟାଣିଥିଲେ।

ହେଲେ ପ୍ରଥା ଅନୁସାରେ ତୁଳସୀ କ୍ଷେତ୍ରରେ ଦୁଇ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଥମ ଦିନ ବ୍ରହ୍ମତାଳଧ୍ୱଜ ରଥ ମନ୍ଦିର କାର୍ଯ୍ୟାଳୟ ନିକଟରେ ଅଟକିଯାଏ। ପରଦିନ ପୁଣି ରଥଟଣା ହୋଇ ମାଉସୀମା ମନ୍ଦିରକୁ ଯାଇଥାଏ।

ବିଶ୍ୱାସ ରହିଛି ଯେ ପୁରୀ ରଥ ଟାଣିଥିବା ଶ୍ରଦ୍ଧାଳୁ ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉଙ୍କ ରଥକୁ ନଟାଣିଲେ ଧର୍ମ ଅର୍ଜନ ହୋଇ ନଥାଏ। ଏଣୁ ପୁରୀରେ ରଥ ଟାଣିଥିବା ଶ୍ରଦ୍ଧାଳୁମାନଙ୍କୁ ବ୍ରହ୍ମତାଳଧ୍ୱଜ ରଥ ଗୋଟିଏ ଦିନ ଅପେକ୍ଷା କରିଥାଏ।

ତୁଳସୀ କ୍ଷେତ୍ରରେ କେବେଠୁ ରଥଯାତ୍ରା?

କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ରାଧୀପତି ମହାପ୍ରଭୁ ବଳଦେବଜୀଉଙ୍କ ଆବିର୍ଭାବ ୩ୟ ଶତାବ୍ଦୀରୁ ହୋଇଥିବା ଜଣାଯାଏ। ତତ୍କାଳୀନ ଗଙ୍ଗ ବଂଶର ମହାରାଣୀ ଗଙ୍ଗରାଣୀ କଲ୍ୟାଣୀ ଦେବୀ କେନ୍ଦ୍ରାପଡ଼ାର ପୁରୁଣା ମଟରଷ୍ଟାଣ୍ଡ ନିକଟରେ ଏକ ମଣ୍ଡପ ନିର୍ମାଣ କରି ଶ୍ରୀବଳଦେବଜୀଉଙ୍କ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଏହି ମଣ୍ଡପର ନାମ ରଖିଥିଲେ ଚତୁରତ୍ର ମଣ୍ଡପ। ପରେ ଗଙ୍ଗରାଜା ଏଠାରେ ମନ୍ଦିର ନିର୍ମାଣ କରିଥିଲେ। ସେହି ସମୟରେ ରଥଯାତ୍ରା ଆରମ୍ଭ ହୋଇ ଆସୁଛି।

ପୁରୁଣା ମଟରଷ୍ଟାଣ୍ଡ ନିକଟରୁ ଏକ ଛୋଟ ରଥରେ ଶ୍ରୀଜୀଉମାନଙ୍କୁ ରଥାରୂଢ଼ କରାଯାଇ ସାଆନ୍ତସାହି ନିକଟସ୍ଥ ମାଉସୀମା ମନ୍ଦିରକୁ ନିଆଯାଉଥିଲା।

ମୋଗଲ ଶାସନ ସମୟର ୧୬୬୩ ଖ୍ରୀଷ୍ଟାବ୍ଦରେ ବଳଦେବଜୀଉଙ୍କର ଏହି ମନ୍ଦିର ମୋଗଲ ସମ୍ରାଟମାନଙ୍କ ଦ୍ୱାରା ଧ୍ୱଂସ ହେବାପରେ ଏହି ରଥଯାତ୍ରା ବନ୍ଦ ହୋଇଯାଇଥିଲା। ହେଲେ ସେତେବେଳର ପଣ୍ଡା ପୂଜକମାନେ ନିକଟରେ ଥିବା ଲୁଣା ନଦୀପଠାରେ ଘଞ୍ଚ ବଟ ବୃକ୍ଷ ଜଙ୍ଗଲରେ ଶ୍ରୀଜୀଉଙ୍କୁ ଲୁଚାଇ ରଖିଥିଲେ। ଏବେ ସେହି ସ୍ଥାନର ନାମ ସଖୀବଟ ନାମରେ ପରିଚିତ। ସେଠାରେ ମହାପ୍ରଭୁଙ୍କୁ ଦଶ ବର୍ଷ ପୂଜା କରାଯିବା ପରେ କେନ୍ଦ୍ରାପଡ଼ା ସହରର ଇଛାପୁରକୁ ସ୍ଥାନାନ୍ତର କରାଯାଇଥିଲା।

ଇଚ୍ଛାପୁରରେ ୧୬୭୩ ଖ୍ରୀଷ୍ଟାବ୍ଦରେ କୁଜଙ୍ଗ ଷଣ୍ଢ ରାଜା ଓ ଛେଦରା ରାଜାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ବଲଦେବଜୀଉଙ୍କ ମନ୍ଦିର ନିର୍ମାଣ।

ରଥର ନାମ କାହିଁକି ବ୍ରହ୍ମ ତାଳଧ୍ୱଜ?

୧୭୮୦ ଖ୍ରୀଷ୍ଟାବ୍ଦରେ ମରହଟ୍ଟା ଶାସନ କାଳରେ ସମ୍ରାଟ ରଘୁଜୀ ଭୋଂସଲାଙ୍କ ପୁତୁରା ସନ୍ଥ ଗୋପି ଦାଶ ବଳଦେବଜୀଉଙ୍କର ଏକ ବିଶାଳ ରଥ ନିର୍ମାଣ କରି ରଥଯାତ୍ରାର ଆରମ୍ଭ କରିଥିବା “ଓଡିଆ ଧର୍ମ ସଂସ୍କୃତିରେ ତୁଳସୀକ୍ଷେତ୍ର” ସନ୍ଧର୍ଭରେ ଉଲ୍ଲେଖ କରିଛନ୍ତି ଡକ୍ଟର ବାସୁଦେବ ଦାସ।

ସେତେବେଳେ ଏହି ବିଶାଳ ରଥକୁ ଟାଣିବାକୁ ଭକ୍ତମାନଙ୍କର ଅଭାବ ହେଉଥିବାରୁ ରଥ ଟାଣିବାରେ ହାତୀମାନଙ୍କୁ ବ୍ୟବହାର କରାଯାଉଥିଲା। ଏହି ବିଶାଳ ରଥର ନାମ  “ବ୍ରହ୍ମ ତାଳଧ୍ୱଜ” ରଖାଯାଇଥିଲା। ତାଳ ବନରେ ମହାପ୍ରଭୁ ବଳଦେବଜୀଉଙ୍କୁ ସ୍ୱୟଂ ବ୍ରହ୍ମା ଏହି ରଥ ଉପହାର ପ୍ରଦାନ କରିଥିବାରୁ ଏହାର ନାମ ବ୍ରହ୍ମ ତାଳଧ୍ୱଜ ହୋଇଥିବା କୁହାଯାଏ। ଆଉ କିଛି ଲୋକ ମତ ଦିଅନ୍ତି ଯେ ସ୍ୱୟଂ ଶ୍ରୀବଳଦେବଙ୍କ ବ୍ରହ୍ମ ଏହି ରଥରେ ବିଦ୍ୟମାନ ହୋଇଥିବାରୁ ଏହାର ନାମ ‘ବ୍ରହ୍ମ ତାଳଧ୍ୱଜ’।

ସବୁଠାରୁ ବଡ଼ ରଥ

କେନ୍ଦ୍ରାପଡାର ତୁଳସୀକ୍ଷେତ୍ରର ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ଏହି ପ୍ରାଚୀନ ରଥର କିମ୍ବଦନ୍ତି ନିଆରା। ଏହି ରଥ ପୃଥିବୀର ସବୁଠାରୁ ବଡ଼ ବୋଲି କୁହାଯାଏ। ଏହି ରଥର ଉଚ୍ଚତା ୪୩ ହାତ ୧୦ ଆଙ୍ଗୁଳି ବା ୬୫ ଫୁଟ ୬ ଇଞ୍ଚ।

ରଥର ନିର୍ମାଣ କାର୍ଯ୍ୟ ପ୍ରତି ବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରୁ ଅନୁକୂଳ ହୋଇଥାଏ। ନେତ୍ର ଉତ୍ସବରେ ରଥ ନିର୍ମାଣ ଶେଷ ହୋଇଥାଏ। ମହାପ୍ରଭୁ ଚଉଦ ଭୁବନର ରଜା ହୋଇଥିବାରୁ ତାଙ୍କ ରଥର ଚକ ସଂଖ୍ୟା ୧୪। ପ୍ରତି ଚକର ଉଚ୍ଚତା ୬ଫୁଟ ୬ ଇଞ୍ଚ। ଏହା ୭ ଗୋଟି ଅଖ ସହିତ ସଂଯୋଗ ହୋଇଥାଏ। ରଥରେ ମୋଟ ୧୦୧୩ ଖଣ୍ଡ କାଠ ବ୍ୟବହାର କରାଯିବା ବିଧି ରହିଛି। ମହାପ୍ରଭୁଙ୍କ ରଥରେ ବିଜେ ସିଂହାସନ ଭୁମିଠାରୁ ୧୨ ଫୁଟ ୬ ଇଞ୍ଚ ଉପରେ ରହିଥାଏ। ରଥରେ ଦୁଇଟି ଧଳା ଓ ଦୁଇଟି କଳା ଘୋଡ଼ାଙ୍କୁ ଯୋଖା ଯାଇଥାଏ।  ରଥରେ ୭ଟି ଦଉଡି ସଂଯୋଗ କରାଯାଏ। ଏହି ଦଉଡ଼ିର ନାମ ରଖାଯାଇଛି ବାସୁକୀ ନାଗ ଓ ଲମ୍ବ ୪୦ ଫୁଟ ଲେଖାଏଁ।

ରଥ ଉପରି ଭାଗରେ ଉଡ଼ୁଥିବା ପତାକାକୁ ନେତ କୁହାଯାଏ। ରଥର ସମ୍ମୁଖ ଭାଗରେ ଗରୁଡ଼ ଓ ହନୁମାନ ବିଜେ କରୁଥିବା ବେଳେ ସୁର୍ଯ୍ୟ ଓ ଚନ୍ଦ୍ର ଦ୍ୱାରପାଳ ଭାବରେ ବିଜେ କରିଥାନ୍ତି। ଏହାଛଡ଼ା ରୁଦ୍ର ଦ୍ୱାରଦେଶରେ ବିରାଜମାନ କରିଥାନ୍ତି।

ରଥର ରକ୍ଷକ ଭାବେ ସ୍ୱୟଂ ବାସୁଦେବ ଶଙ୍କର୍ଷଣ ରହିଥିବା ବେଳେ ରଥର ଚତୁପାର୍ଶ୍ୱରେ ପାର୍ଶ୍ୱ ଦେବତା ଭବରେ ହରିହର, ତ୍ରିପୁରାରୀ, ଲକ୍ଷ୍ମଣ, ସିଦ୍ଧିବିନାୟକ, ନୃସିଂହ, ବାସୁଦେବ, ଚାମୁଣ୍ଡା, ଭଦ୍ରାକାଳି, ମଙ୍ଗଳା, ବାଣୀମଙ୍ଗଳା, ଭୈରବି, ଚକ୍ରବାସୁଳାଇ, ଦୁର୍ଗା ଓ ଶେଷଦେବ ଆଦି ଦେବତାଗଣ ସ୍ଥାନ ପାଇଥାନ୍ତି।

LEAVE A REPLY

Please enter your comment!
Please enter your name here