ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟବ୍ୟାପୀ ଲଗାଣ ବର୍ଷା ଯୋଗୁଁ ରାଜଧାନୀ ରାଜ୍ୟର ବିଭିନ୍ନ ବନ୍ୟା ସ୍ଥିତି ସୃଷ୍ଟି କରିଛି। ଫଳରେ ଟୁଇନ୍ ସିଟି କଟକ-ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଅଞ୍ଚଳ ଜଳମଗ୍ନରେ ରହିଛି।

ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି। ଫଳରେ ଟୁଇନ୍ ସିଟି କଟକ-ଭୁବନେଶ୍ୱର ସମେତ ଅନ୍ୟାନ୍ୟ ଅଞ୍ଚଳ ଜଳମଗ୍ନରେ ରହିଛି। ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ଘରୁ ବାହାରିବା ସମ୍ଭବ ହେଉନାହିଁ। ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।

ଭୁବନେଶ୍ୱର ଗୋଟିଏ ଲଗାଣ ବର୍ଷା ଯେ ସହିବାକୁ ଅସମର୍ଥ ତାହା ଆଜି ଧରାପଡ଼ିଯାଇଛି। ସହରର ଏ ମୁଣ୍ଡରୁ ଆରମ୍ଭ କରି ସେ ମୁଣ୍ଡ ଯାଏ ସବୁଆଡ଼େ ଜଳବନ୍ଦୀର ଚିତ୍ର। କେଉଁଠି ଘର ଭିତରେ ପାଣି ପଶିଗଲାଣି ତ କେଉଁଠି ରାସ୍ତା ବୁଡ଼ି ଯାଇଥିବାରୁ ଲୋକେ ପଦାକୁ ବାହାରି ପାରୁ ନାହାଁନ୍ତି।

ଭୁବନେଶ୍ୱର ସହରର ପୁରୁଣା ଭୁବନେଶ୍ୱର, ଚନ୍ଦ୍ରଶେଖରପୁର, ଡମଣା. ରସୁଲଗଡ଼, ପଳାଶୁଣିଠାରୁ ଆରମ୍ଭ କରି ଜୟଦେବ ବିହାର, ନୂଆପଲ୍ଲୀ ସବୁ ଅଞ୍ଚଳରେ ବର୍ଷା ପାଣି ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି।

ଲଗାଣ ବର୍ଷା ଯୋଗୁଁ ସୋମବାରଦିନ କଟକର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। କଟକର ରକ୍ସି ଲେନ୍, ରାଜାବଗିଜା, ମେରିଆ ସାହି, ପଟାପୋଲ ସହ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ପାଣି ନିଷ୍କାସନ ପାଇଁ ୧୧୫ଟି ପମ୍ପ ନିୟୋଜିତ ହୋଇଛି।

ରାୟଗଡ଼ା ବିଷମକଟକ ବ୍ଲକ୍‌ ପାଇକ ଡାକୁଲୁଗୁଡ଼ା ଓ ଥୁଆପାଡ଼ି ପଞ୍ଚାୟତର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଥୁଆପାଡ଼ି ପଞ୍ଚାୟତର ଭେଜିପଦର କାଣିଯୋଡ଼ି ବ୍ରିଜ୍‌ ଉପରେ ୪ ଫୁଟ ଉଚ୍ଚରେ ପାଣି ଚାଲୁଛି।

ସେପଟେ ଗୁଣପୁର-ଗୁମୁଡ଼ା ରାସ୍ତାର ସେରମା ନିକଟରେ କଲଭର୍ଟ ଧୋଇଯିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛିା ଗୁଣପୁରଠାରେ ବଂଶଧାରା ନଦୀରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି।

ସେହିପରି କଳାହାଣ୍ଡି ଜିଲ୍ଲାର ମଧ୍ୟ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ପାଣି ପଶି ଜୀବନଯାତ୍ରା ପ୍ରଭାବିତ ହୋଇଛି। ଡାକ୍ତରଖାନାରେ ପାଣି ପଶିବାରୁ ରୋଗୀ ହଇରାଣ ହୋଇଛନ୍ତି। ମୁଖ୍ୟ ବସ୍‌ଷ୍ଟାଣ୍ଡରେ ବର୍ଷା ପାଣି ଜମିବାରୁ ଯାତ୍ରୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଯାହାଫଳରେ ଲାଞ୍ଜିଗଡ଼ ବ୍ଲକ୍‌ର ପ୍ରାୟ ୧୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି।

ଅନ୍ୟପକ୍ଷରେ ନାଗାବଳୀରେ ନଦୀରେ ଜଣେ ଭାସିଯାଇଥିବା ଜଣାପଡ଼ିଛି। ଦୁଇ ଦିନର ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାର ଆସ୍କା ଏବଂ କବିସୂର୍ଯ୍ୟନଗର ଅଞ୍ଚଳର ଚାଷ ଜମିରେ ପାଣି ମାଡ଼ିଯାଇଛି। ଆସିକା ପଞ୍ଚାୟତ ଗୌଡ଼ଗୋଠ ଗାଁ ନିକଟରେ ଘାଇ ସୃଷ୍ଟି ହୋଇଥିବାରୁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି।

Comment