ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ରାଜ୍ୟରେ ବର୍ଷାର ତାଣ୍ଡବ। ଗତ ଦୁଇଦିନ ଧରି ପ୍ରବଳ ବର୍ଷା ହେବାରୁ ଉପାନ୍ତରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ନାହିଁ ନଥିବା ପରିସ୍ଥିତି। କେଉଁଠି ଗାଡ଼ି ଭାସୁଛି ତ ଆଉ କେଉଁଠି ଟ୍ରେନ୍ ଫସିଯାଇଛି। ବିଶେଷକରି ରାୟଗଡ଼ା, କଳାହାଣ୍ଡି ଏବଂ ମାଲକାନଗିରିରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ହାତୀ, ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
କଟକ-ଭୁବନେଶ୍ୱର ଉବୁଟୁବୁ
ଲଘୁଚାପ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଖାପାଖି ୧୨ ଘଣ୍ଟା ଧରି ବର୍ଷା ଲାଗି ରହିବା ଫଳରେ ଟ୍ଵିନସିଟିର ରାସ୍ତାଘାଟ, ତଳିଆ ଅଞ୍ଚଳ, ସାହି ଏବଂ ବସ୍ତି ଆଦି ଜଳାର୍ଣ୍ଣବ ହୋଇଛି।ଲଘୁଚାପ ଯୋଗୁଁ ରାଜଧାନୀ ଭୁବନେଶ୍ୱର ଓ କଟକର ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ଅହରହ ବର୍ଷାରେ ରାଜଧାନୀ ଓ କଟକର ବିଭିନ୍ନ ରାସ୍ତା ପାଣିରେ ବୁଡ଼ି ଯାଇଥିବାରୁ ଏହି ଦୁଇଟି ସହରର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଥିଲା।
ରାତି ତମାମ ପ୍ରବଳ ବର୍ଷାରେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳ ସହ ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ, ଶୈଳଶ୍ରୀ ବିହାର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନୟାପଲ୍ଲୀ ଅଞ୍ଚଳରେ ଅଣ୍ଟାଏ ଉଚ୍ଚରେ ପାଣି ରହିଥିବାବେଳେ ଅନେକ ସ୍ଥାନରେ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କଟକର ବକ୍ସିବଜାର, ପଟ୍ଟାପୋଲ, ରକ୍ସିଲେନ୍, ବାଦାମବାଡ଼ିରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା। ଭୁବନେଶ୍ବରର ଜୟଦେବ ବିହାରରେ କାର୍ ଭାସି ଯାଇଥିବା ବେଳେ ଜାଗମରା ଅଞ୍ଚଳରେ ପାଚେରୀ ଭୁଶୁଡ଼ି ପଡ଼ିଥିଲା।
ପାଣିଘେରରେ ହୀରାଖଣ୍ଡ ଏକ୍ସପ୍ରେସ୍
କଟକ-ଭୁବନେଶ୍ୱରଠୁ ବଳି ଯାଇଛି ରାୟଗଡ଼ା ଏବଂ ମାଲକାନଗିରି ଜିଲ୍ଲାର ଦୁଃଖ। ପ୍ରବଳ ବର୍ଷାରେ ସଡ଼କ ଏବଂ ରେଳପଥ ହୋଇଯାଇଛି ଜଳାର୍ଣ୍ଣବ। ରେଳ ଧାରଣାରେ ଆଣ୍ଠୁଏ ଉାର ପାଣି ଲହଡ଼ି ଭାଙ୍ଗିଥିଲା। ଫଳରେ ବର୍ଷା ପାଣିରେ ଫସି ଯାଇଥିଲା ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍। ରାୟଗଡ଼ାର ଭାଲୁମସ୍କା ଷ୍ଟେସନରେ ଅଟକି ରହିଥିଲା ଟ୍ରେନ୍। ଯାତ୍ରୀମାନେ ପାଣିଘେରରେ ୪ ଘଣ୍ଟା ପର୍ଯ୍ୟନ୍ତ ରହିଥିଲେ। ପାଣି ଛାଡ଼ିବା ପରେ ଟ୍ରେନ୍ ଯାତ୍ରା କରିଥିଲା।
ପୁରୀ, କୋଣାର୍କ ବି ବାଦ୍ ପଡ଼ିନି
ରାତି ପାହିଲେ ବାହୁଡ଼ାଯାତ୍ରା। ହେଲେ ବାହୁଡ଼ା ପୂର୍ବରୁ ପୁରୀ ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି। ଗୁଣ୍ଡିଚା ମନ୍ଦିର ପାଖରେ ଥିବା ତିନି ରଥ ଜଳବନ୍ଦୀ ଭିତରେ ରହିଛନ୍ତି। ପାଣି ନିଷ୍କାସନ ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ହେଲେ ଆଜି ରାତିରେ ଯଦି ବର୍ଷା ହୁଏ ତାହାଲେ ବାହୁଡ଼ାଯାତ୍ରା କେମିତି ହେବ ତାକୁ ନେଇ ଚିନ୍ତା ଦେଖାଦେଇଛି। ଏପଟେ କୋଣାର୍କ ସୂର୍ଯ୍ୟମନ୍ଦିର ବି ବର୍ଷାପାଣି ଘେରରୁ ମୁକୁଳି ପାରିନି। ବେଢ଼ା ଚାରିପଟେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି।
ନଦୀରେ ବଢ଼ୁଛି ଜଳସ୍ତର
ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଉଛି। ନିମାପଡ଼ାରେ କୁଶଭଦ୍ରା ନଦୀର ଜଳ ସ୍ତର ବଢ଼ିଥିବା ବେଳେ ବଢ଼ାବଳଙ୍ଗ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି। ପୁରୁଷୋତ୍ତମପୁରଠାରେ ଋଷିକୁଲ୍ୟା ନଦୀରେ ବନ୍ୟା ଦେଖାଦେଇଛି। ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ମଧ୍ୟ ବନ୍ୟା ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।
ବନ୍ୟା ମୁକାବିଲା ପାଇଁ ସରକାର ତତ୍ପର
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଶନିବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଜରୁରୀ ବୈଠକ ଡକାଇଥିଲେ। ମୁଖ୍ୟମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ରବିବାର ସରକାରୀ ଅଫିସର ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର। ବନ୍ୟା ପୂର୍ବରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ୩୧୭ ୟୁନିଟକୁ ସଜାଗ ରଖାଯାଇଛି। ଓଡ୍ରାଫର ୨୦ଟି ୟୁନିଟ୍ ଏବଂ ପୋଲିସ ବାହିନୀ ସଜାଗ ଥଇଶ ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି। ବନ୍ୟାସ୍ଥଳରେ ଏହି ଟିମ୍ ପହଞ୍ଚ ଚିକତ୍ସା ଯୋଗାଇଦେବେ। ଏହାସହ ବିଭିନ୍ନ ସ୍ଥାନରେ ହେଲ୍ଥ କ୍ୟାମ୍ପ ଏବଂ କଣ୍ଟ୍ରୋଲ ରୁମ୍ କରାଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
କେଉଁଠି କେତେ ବର୍ଷା?
ଗତ ୨୪ ଘଣ୍ଟା ଭିତରେ ମାଲକାନଗିରି, କଳାହାଣ୍ଡି, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, କଟକରେ ସର୍ବଧିକ ବର୍ଷା ହୋଇଛି। ରାଜ୍ୟର ୧୬ଟି ବ୍ଲକରେ ୨୦୦ ମିଲିମିଟର ବର୍ଷା ହୋଇଥିବା ବେଳେ ୩୫ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପୁରୀରେ ସର୍ବାଧିକ ୩୨୨ ମିଲିମିଟର ବର୍ଷା ହୋଇଛି। ମାଲକାନଗିରି କୋରୁକୋଣ୍ଡା ବ୍ଲକରେ ୨୦୮ ମିଲିମିଟର, ମାଥିଲିରେ ୧୭୪, ଭବାନୀପାଟଣାରେ ୧୧୪.୪ ମିଲିମିଟର ବର୍ଷା ହୋଇଛି। କଟକରେ ୨୧୧ ଏବଂ ଭୁବନେଶ୍ୱରରେ ୧୮୦ ମିଲିମିଟର ବର୍ଷା ହୋଇଛି।


















