ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେଉଁ କଲ୍‌ମା ବ୍ୟାରେଜକୁ ନେଇ ଖରାଦିନେ ହୋ-ହଲ୍ଲା ଚାଲିଥିଲା ଏବେ ସେହି କଲ୍‌ମା ବ୍ୟାରେଜର ସମସ୍ତ ଗେଟ୍ ଖୋଲି ଦେଇଛନ୍ତି ଛତିଶଗଡ଼ ସରକାର। ଫଳରେ ଓଡ଼ିଶାରେ ବଡ଼ ବନ୍ୟାର ଆଶଙ୍କା କରାଯାଉଛି।

  • କଲ୍‌ମା ବ୍ୟାରେଜର ୬୬ଟି ଗେଟ୍ ଖୋଲା
  • ହୀରାକୁଦ ଜଳଭଣ୍ଡାର ଉବୁଟୁବୁ
  • ମଙ୍ଗଳବାର ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ
  • ମୁଣ୍ଡୁଳିରେ ମାଡ଼ ହେଉଛି ୭ ଲକ୍ଷ ୩୦ ହଜାର କ୍ୟୁସେକ୍ ପାଣି
  • ଗାଁ, ଚାଷଜମିରେ ମାଡ଼ିଲାଣି ବନ୍ୟାପାଣି

କଲ୍‌ମା ବ୍ୟାରେଜ ଗେଟ୍ ବନ୍ଦକୁ ନେଇ କେତେ ହୋ-ହଲ୍ଲା ନହୋଇଛି। କଥା କେନ୍ଦ୍ର ସରକାରଙ୍କ ନିକଟକୁ ମଧ୍ୟ ଯାଇଛି। ଓଡ଼ିଶାରେ ଶାସକ ବିଜେଡି ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାର ବିରୋଧରେ ଜୋରଦାର ଆନ୍ଦୋଳନ ମଧ୍ୟ କରିଛି। ହେଲେ ଛତିଶଗଡ଼ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଖରାଦିନେ କଲ୍‌ମା ବ୍ୟାରେଜର ଗୋଟିଏ ବି ଗେଟ୍‌ ଖୋଲିଲେ ନାହିଁ। ଫଳରେ ଖରାଦିନେ ଓଡ଼ିଶାର ଜୀବନରେଖା ମହାନଦୀ ମରୁଭୂମିରେ ପରିଣତ ହୋଇଯାଇଥିଲା।

ଖରାଦିନ ପରେ ଏବେ ବର୍ଷାଦିନ ଆସିଛି। ମହାନଦୀର ଉପରମୁଣ୍ଡରେ ନୁର୍ଧୁମ ବର୍ଷା ହୋଇଛି। ଛତିଶଗଡ଼ ପ୍ରତି ବିପଦ ଆଶଙ୍କା କରି ଏବେ ରମଣ ସିଂଙ୍କ ସରକାର କଲ୍‌ମାର ୬୬ଟି ଗେଟ୍ ଖୋଲିଦେଇଛନ୍ତି। ଏବେ ଏହି ଗେଟ୍‌ ଦେଇ କଲ୍‌ମା ବ୍ୟାରେଜରୁ ପାଣି ହୀରାକୁଦରେ ପଡ଼ୁଥିବାରୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ କଟକର ମୁଣ୍ଡୁଳି ବ୍ୟାରେଜରେ ୭ ଲକ୍ଷ ୩୦ ହଜାର ୮୧୭ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି। ଆସନ୍ତା କାଲି ହୀରାକୁଦ ପ୍ରଥମ ବନ୍ୟାଜଳ ନିଷ୍କାସନ କରିବାକୁ ଥିବାରୁ ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି।

କେବଳ ମହାନଦୀ ନୁହେଁ, ଏହାର ଶାଖା ନଦୀରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି। ବୈତରଣୀ ନଦୀରେ ବି ଜଳ ସ୍ତର ବୃଦ୍ଧି ପାଇଛି। କାଠଯୋଡ଼ି, କୁଆଖାଇ ବି ଉଛୁଳିବା ଅବସ୍ଥାରେ। ବଡ଼ ବନ୍ୟା ହେବନାହିଁ ବୋଲି ରାଜ୍ୟ ସରକାର କହୁଥିଲେ ମଧ୍ୟ ନଦୀକୂଳିଆ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଖରାଦିନେ ପାଣି ଟୋପେ ପାଇଁ ମହାନଦୀ ଅବବାହିକାର ଲୋକେ ଆଉଟୁପାଉଟୁ ହେଉଥିଲେ। ଖରାଦିନିଆ ଫସଲ ପାଇଁ ପାଣିର ଅଭାବ ଦେଖାଦେଇଥିଲା। କିନ୍ତୁ ସେତେବେଳେ ଓଡ଼ିଶାର ଚାଷୀଙ୍କ ଗୁହାରି ଶୁଣି ନଥିଲା ଛତିଶଗଡ଼। ଏବେ ବନ୍ୟା ପାଣି ବିଭିନ୍ନ ଗାଁ ଏବଂ ଚାଷଜମିରେ ମାଡ଼ିଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଖରାଦିନେ ପାଣି ନଛାଡ଼ି ଛତିଶଗଡ଼ ଓଡ଼ିଶାର ଚାଷୀଙ୍କ ରୋଷର ଶିକାର ହୋଇଥିବା ବେଳେ ଏବେ ଅଧିକ ପାଣି ଛାଡ଼ି ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।

କଲ୍‌ମା ବ୍ୟାରେଜର ୬୬ଟି ଗେଟ୍ ଖୋଲା ରହିଛି। ଫଳରେ ୨ ଲକ୍ଷ ୫ ହଜାର ୩୫୨ କ୍ୟୁସେକ୍ ଜଳ ହୀରାକୁଦରେ ପ୍ରବେଶ କରୁଛି। ହୀରାକୁଦରେ ଜଳଧାରଣର କ୍ଷମତା ୬୩୦ ଫୁଟ ରହିଥିବା ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ୬୧୫.୪୩ ଫୁଟ୍ ରହିଥିବା ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।  ମଙ୍ଗଳବାର ସକାଳ ୧୦ଟାରୁ ୧୧ ଭିତରେ ହୀରାକୁଦରୁ ପ୍ରଥମଳ ବନ୍ୟାଜଳ ଛଡ଼ାଯିବ। ଯଦି ଆଜି ରାତିକ ଭିତରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୁଏ ତାହାଲେ ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କାକୁ ଏଡ଼ାଇ ଦେଇ ହେଉନି।

ଖରାଦିନେ ମହାନଦୀ ଶୁଖିଲା ପଡ଼ିଥିଲା ବେଳେ ଛତିଶଗଡ଼କୁ ଦାୟୀ କରାଯାଉଥିଲା। କଲ୍‌ମା ବ୍ୟାରେଜ ଗେଟ୍ ବନ୍ଦ ହୋଇଥିବାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଟାର୍ଗେଟ କରିଥିଲା ବିଜେଡି। ଏବେ ଯେଉଁ ବନ୍ୟା ପରିସ୍ଥିତି ଦେଖାଦେଇଛି ସେଥିପାଇଁ କାହାକୁ ଦାୟୀ କରାଯିବ ବୋଲି ବିଭିନ୍ନ ମହଲରେ ସୃଷ୍ଟି ହୋଇଛି।

Comment