ଓଡ଼ିଶାଲାଇଭ୍ ବ୍ୟୁରୋ

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଗୁରୁବାର ଦିନ ଆଉ ୨ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୦ ଫୁଟ ରହିଛି।

ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡକୁ ୧ ଲକ୍ଷ ୫୯ ହଜାର ୭୨୪ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬୭, ୮୬୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଗତ ଜୁଲାଇ ୨୩ ତାରିଖରେ ୫ଟି ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଥିଲା। ଏହା ପରେ ପର୍ଯ୍ୟାୟ କ୍ରମେ ଆଉ ୪ଟି ଗେଟ ଖୋଲାଯାଇଥିଲା। ୧୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଥିଲା।

ଉପର ମୁଣ୍ଡରେ ବର୍ଷା ଏବଂ ହୀରାକୁଦରୁ ନିଷ୍କାସିତ ହେଉଥିବା ବନ୍ୟାଜଳ ପ୍ରଭାବରେ ମହାନଦୀ ଏବେ ଫୁଲିବା ଆରମ୍ଭ କରିଛି। ମହାନଦୀରେ ବନ୍ୟା ଜଳ ଆସିବା କାରଣରୁ ମୁଣ୍ଡୁଳିରେ ଏବେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଗୁରୁବାର ସକାଳ ୯ଟା ସୁଦ୍ଧା ୭ ଲକ୍ଷ ୯୮ ହଜାର କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହେଉଥିଲା।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରଭାବିତ ଆଶଙ୍କା ଥିବା ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ୮ଟି ଏନଡିଆରଏଫ୍ ଓ ୧୩ଟି ଓଡ୍ରାଫ୍ ଟିମକୁ ସଜାଗ ରହିଥିବାବେଳେ ଅଗ୍ନିଶମ ବାହିନୀର ଅତିରିକ୍ତ ୨୩ଟି ଟିମ ମୁତୟନ ହୋଇଛନ୍ତି।

ରାଜ୍ୟରେ ବର୍ଷା ଏବଂ ବନ୍ୟା ସ୍ଥିତି ଯୋଗୁଁ ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼,ବରଗଡ଼ ଏବଂ ରାୟଗଡ଼ା ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ଯାଜପୁର ଜିଲ୍ଲାର କୋରେଇ, ଯାଜପୁର, ବଞ୍ଝାରପୁର ଏବଂ ଦଶରଥପୁର ତଥା କେନ୍ଦ୍ରାପଡ଼ାର ୩ଟି ବ୍ଲକରେ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି।

Tags: #HirakudGate #FloodWather #Odisha #FloodAlert

Comment