ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବୁଧବାରଦିନ ଗ୍ୟାଙ୍ଗଷ୍ଟର ଟିଟୋକୁ ହାଜର କରିଛି ଏସଟିଏଫ୍ ଟିମ୍।
ଠିକାଦାର, ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇଥିବା କୁଖ୍ୟାତ ଅପରାଧୀ ବୁଧବାରଦିନ କେନ୍ଦ୍ରାପଡା ଜିଲ୍ଲା ରାଜନଗର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଗ୍ୟାଙ୍ଗଷ୍ଟର ଟିଟୋକୁ ହାଜର କରିଛି ଏସଟିଏଫ୍ ଟିମ୍।
କଡ଼ା ସୁରକ୍ଷା ବଳୟରେ ଟିଟୋଙ୍କୁ ରାଜନଗରସ୍ଥ ଗ୍ରାମ ନ୍ୟାୟାଳୟ ତଥା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଛି। ବିଚାରପତି କୃଷ୍ଣଚନ୍ଦ୍ର ନାୟକ ଏହାର ବିଚାର କରୁଛନ୍ତି।
ଟେଣ୍ଡର ଫିକ୍ସିଂ ମାମଲାରେ ଟିଟୋ ଓ ତାର ସହଯୋଗୀ ମାନଙ୍କ ବିରୋଧରେ ଏସଟିଏଫ୍ ଟିମ୍ ଏକ ମାମଲା ଋଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଟିଟୋର ୪ ଜଣ ସହଯୋଗୀ ମାନଙ୍କୁ ଗତ ୧୮ ତାରିଖରେ ଗିରଫ କରି ଏହି କୋର୍ଟରେ ହାଜର କରିଥିଲା।
ରାଜନଗର ଅଞ୍ଚଳରେ ଡ୍ରେନେଜ ବିଭାଗର ୭କୋଟି ଟଙ୍କାର ଏକ ଠିକା କାମରେ ରାଜନଗରର ବୁଢା ଲେଙ୍କା ନାମକ ଜଣେ ଠିକାଦାରଙ୍କ ଠାରୁ ୭୦ ଲକ୍ଷ ଟଙ୍କାର ଦାଦା ବଟି ଟିଟୋ ଓ ତାର ସହଯୋଗୀ ମାନେ ମାଗି ଧମକ ଚମକ ଦେଇଥିବା ଠିକାଦାର ବୁଢା ଲେଙ୍କା ଏ ନିକଟରେ ଅଭିଯୋଗ କରିଥିଲେ।
ଏହି ଘଟଣାରେ ପୁର୍ବରୁ ଗିରଫ ଟିଟୋର ୪ ଜଣ ସହଯୋଗୀଙ୍କ ଜାମିନୀ ଆବେଦନକୁ ରାଜନଗର ପ୍ରଥମ ଶ୍ରେଣୀ ବିଚାରବାଭାଗିୟ ମାଜିଷ୍ଟ୍ରେଟ ଖାରଜ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ଟେଣ୍ଡର ଫିକ୍ସିଂର ମାଷ୍ଟର ମାଇଣ୍ଡ ଟିଟୋକୁ ବୁଧବାରଦିନ କଡ଼ା ସୁରକ୍ଷା ବଳୟରେ କୋର୍ଟକୁ ଆଣିଥିଲା ଏସଟିଏଫ୍ ଟିମ୍।
ଗ୍ୟାଙ୍ଗଷ୍ଟର ଟିଟୋର ଆୟ ସମ୍ପର୍କରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଜିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ପୌରପାଳିକା କାର୍ଯ୍ୟାଳୟ, ସବ୍ରେଜିଷ୍ଟ୍ରାର ଅଫିସ, କେନ୍ଦ୍ରାପଡ଼ା ତହସିଲ, ଡେରାବିଶ ତହସିଲ ଓ ଗରଦପୁର ତହସିଲରେ ଏକକାଳୀନ ୩ଟି ଟିମ୍ ଦ୍ୱାରା ଚଢାଉ ଜାରି ରହିଛି।
ଭିଜିଲାନ୍ସ ବିଭାଗ ଡିଏସ୍ପି ପିକେ ନାୟକଙ୍କ ନେତୃତ୍ୱରେ ଆସିଥିବା ଏହି ୩ ଟିମ୍ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ କ୍ରାଇମ୍ବ୍ରାଞ୍ଚ ଦ୍ୱାରା ଜବତ ହୋଇଥିବା ୨୬ଟି ଗାଡ଼ିର ତଥ୍ୟ ମାଗିଛନ୍ତି।
ସେହିପରି ପୌରାଞ୍ଚଳରେ ଥିବା ଟିଟୋଙ୍କ ପେଟ୍ରୋଲ ଟାଙ୍କି ଓ ବିଭିନ୍ନ ବାଲି ଖାଦାନ ସମ୍ପର୍କରେ ଟିମ୍ଗୁଡିକ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି। ଏହି ଚଢାଉରେ ଡିଏସ୍ପି ଶ୍ରୀକାନ୍ତ କୁମାର ବେହେରା, ଇନ୍ସପେକ୍ଟର ବ୍ରଜ କିଶୋର ସାହୁ ପ୍ରମୁଖ ସାମିଲ ଅଛନ୍ତି।














