ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଏସେକ୍ସ ବିପକ୍ଷ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ରେ ୪ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି।

ଘରୋଇ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ଅଭ୍ୟାସ ମ୍ୟାଚ୍‌ ଆରମ୍ଭ କରିଛି। ବୁଧବାରଠାରୁ କାଉଣ୍ଟି କ୍ଲବ ଏସେକ୍ସ ବିପକ୍ଷରେ ଖେଳାଯାଇଥିବା ଏହି ୩ ଦିବସୀୟ ଅଭ୍ୟାସ ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ଭାରତ ଷ୍ଟମ୍ପ୍ସ ଅପସାରଣ ବେଳକୁ ୬ ଉଇକେଟ୍‌ ହରାଇ ୩୨୨ ରନ ସଂଗ୍ରହ କରିଛି।

ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ପ୍ରଥମ ଓଭରରେ ଓପନର ଶିଖର ଧାୱନ (୦)ଙ୍କ ଉଇକେଟ୍‌ ହରାଇଥିଲା। ଧାୱନ ଇନିଂସର ୩ୟ ବଲରେ ମ୍ୟାଟ୍‌ କୋଲେସଙ୍କ ବଲରେ ଆଉଟ୍‌ ହୋଇଥିଲେ। ଏହାପରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ମାତ୍ର ଏକ ରନ କରିଥିବାବେଳେ ତୃତୀୟ ଓଭରରେ କୋଲେସଙ୍କ ୨ୟ ଶିକାର ହୋଇଥିଲେ। ଅଜିଙ୍କ୍ୟ ରାହାଣେ (୧୭ ରନ) ଧୌର୍ଯ୍ୟର ସହ ବ୍ୟାଟିଂ କରିଥିଲେ ମଧ୍ୟ ଦଳୀୟ ସ୍କୋର ୪୪ ହୋଇଥିବାବେଳେ ୩ୟ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଥିଲେ। ତେବେ ଅନ୍ୟତମ ଓପନର ବିଜୟ ଓ କୋହଲି ୪ର୍ଥ ଉଇକେଟ୍‌ରେ ୯୦ ରନର ଭାଗୀଦାରି କରି ଇନିଂସ ସୁଧାରିଥିଲେ।

ତେବେ ଉଭୟ ବିଜୟ ଓ କୋହଲି ନିଜ ନିଜର ଅର୍ଦ୍ଧଶତକ ହାସଲ କରି କ୍ରିଜରେ ଜମି ଆସୁଥିବାବେଳେ ବାମହାତୀ ମଧ୍ୟଗତିର ବୋଲର ପଲ୍‌ ଓ୍ବାଲ୍ଟର ୧୩ ରନ ବ୍ୟବଧାନରେ ଏହିଦୁହିଁଙ୍କୁ ଆଉଟ୍‌ କରି ଭାରତକୁ ପୁଣି ସଙ୍କଟକୁ ଠେଲି ଦେଇଥିଲେ। ବିଜୟ ୫୩ (୧୧୩ ବଲ, ୭ ଚୌକା) ଓ କୋହଲି ୬୮ (୯୩ ବଲ, ୧୨ ଚୌକା) ରନ କରିଥିଲେ। ଭାରତ ୧୪୭ ରନରେ ୫ଟି ଉଇକେଟ୍‌ ହରାଇଥିବାବେଳେ ଦୁଇ ନବାଗତ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଓ ଦୀନେଶ କାର୍ତ୍ତିକ ୬ଷ୍ଠ ଉଇକେଟ୍‌ରେ ଶତକୀୟ ଭାଗୀଦାରି କରି ସ୍ଥିତି ସୁଧାରିଥିଲେ। ଦଳୀୟ ସ୍କୋର ୨୬୧ ରନ ହୋଇଥିବାବେଳେ ରାହୁଲ ବ୍ୟକ୍ତିଗତ ୫୮ ରନ (୯୨ ବଲ, ୧ବ ଚୌକା) କରି ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବାପୂର୍ବରୁ ଉଭୟଙ୍କ ମଧ୍ୟରେ ୬ଷ୍ଠ ୧୧୪ ରନର ଭଗୀଦାରି ହୋଇଥିଲା। ଏହାପରେ କର୍ତ୍ତିକଙ୍କୁ ସହ ମିଶି ୮ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ଆଉ କୌଣସି କ୍ଷତି ହେବାକୁ ନ ଦେଇ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ।

ଖେଳ ଶେଷବେଳକୁ କାର୍ତ୍ତିକ ୯୪ ବଲରୁ ୧୫ ଚୌକା ସହାୟତାରେ ୮୨ ଓ ପାଣ୍ଡ୍ୟା ୫୮ ବଲରୁ ୬ ଚୌକା ସହାୟତାରେ ୩୨ ରନ କରି ଅପରାଜିତ ରହିଛନ୍ତି। ଏସେକ୍ସ ପକ୍ଷରୁ ମ୍ୟାଟ୍‌ କୋଲ୍ସ ଓ ପଲ୍‌ ଓ୍ଵାଲ୍‌ଟର ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

Comment