ଓଡ଼ିଶାଲାଇଭ୍‍ ବ୍ୟୁରୋ

ଦେଶରେ ପ୍ରଥମଥର ପାଇଁ ହାଜତ ମୃତ୍ୟୁ ମାମଲାରେ ଦୁଇ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ଅଦାଲତ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ତିରୁବନନ୍ତପୁରମ୍‌ର ସ୍ୱତନ୍ତ୍ର ସିବିଆଇ ଅଦାଲତ

ହାଜତ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ଦୁଇ ପୋଲିସ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି କେରଳ ତିରୁବନନ୍ତପୁରମର ସ୍ୱତନ୍ତ୍ର ସିବିଆଇ ଅଦାଲତ। ଅନ୍ୟ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ତିନିବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି। ସମ୍ଭବତଃ ଦେଶରେ ପ୍ରଥମଥର ପାଇଁ ହାଜତ ମୃତ୍ୟୁ ମାମଲାରେ ଦୁଇ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ଅଦାଲତ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୃତ୍ୟୁଦଣ୍ଡାଦେଶ ପାଇଥିବା ଦୁଇ ପୋଲିସ ଅଧିକାରୀଙ୍କ ମଧ୍ୟରୁ ଜଣେ ଏଏସ୍‌ଆଇ ଏବଂ ଅନ୍ୟ ଜଣେ ସିଭିଲ ପୋଲିସ ଅଫିସର। କାରାଦଣ୍ଡାଦେଶ ପାଇଥିବା ତିନି ଅଧିକାରୀଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ଏସ୍‌ପି ଏବଂ ଅନ୍ୟ ଦୁଇଜଣ ଡିଏସ୍‌ପି।

୧୩ ବର୍ଷ ତଳର ଘଟଣା। ୨୦୧୫ ମସିହା ସେପ୍‌ଟେମ୍ବର ମାସରେ ଉଦୟ କୁମାର ଓ ସୁରେଶ ନାମକ ଦୁଇଜଣ ଯୁବକଙ୍କୁ ପୋଲିସ ଏକ ପାର୍କରୁ ଧରିଥିଲା। ସେତେବେଳେ କନେଷ୍ଟବଳ ଭାବେ କାର୍ଯ୍ୟରତ କେ. ଜିତ୍‌କୁମାର ଓ ଏସ୍‌.ଭି. ଶ୍ରୀକୁମାର ଉଭୟଙ୍କୁ ଗିରଫ କରି ତିରୁବନନ୍ତପୁରମର ଫୋର୍ଟ ଥାନାକୁ ଆଣିଥିଲେ। ସୁରେଶ ଜଣେ ପେସାଦାର ଅପରାଧୀ। ଉଦୟ କୁମାର ସ୍କ୍ରାପ୍‌ ଡିଲର। ଦୁହିଁଙ୍କୁ ଚୋରି ମାମଲାରେ ଗିରଫ କରାଯାଇଥିଲା।

ଉଦୟ କୁମାରଙ୍କ ପାଖରୁ ପୋଲିସ ଚାରି ହଜାର ଟଙ୍କା ଉଦ୍ଧାର କରିଥିଲା। ସେ ନିର୍ଦ୍ଦୋଷ ବୋଲି ଜାଣିବା ପରେ ପ୍ରଥମେ ତାଙ୍କୁ ଛାଡ଼ି ଦିଆଯାଇଥିଲା। କିନ୍ତୁ ଉଦୟ କୁମାର ନିଜର ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ପୁଣି ହାଜତରେ ପୂରାଇ ଦିଆଯାଇଥିଲା। ହାଜତରେ ଦୁଇ କନେଷ୍ଟବଳ ଜିତ୍‌କୁମାର ଓ ଶ୍ରୀକୁମାର ଉଦୟ କୁମାରଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ।

ସାକ୍ଷୀଙ୍କ ବୟାନ ଅନୁସାରେ ତାଙ୍କୁ ଏକ ବେଞ୍ଚରେ ଲମ୍ବ କରି ଶୁଆଇ ଦିଆଯାଇଥିଲା। ଗୋଡ଼ହାତ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିଲା। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରଦିନ ସକାଳେ ଉଦୟଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଜଙ୍ଘ ଓ ତଳିପେଟରେ ଚାଳିଶିରୁ ଅଧିକ କ୍ଷତଚିହ୍ନ ରହିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ଏହି ମାମଲାକୁ ଚପାଇବା ପାଇଁ ଉଦ୍ୟମ ହୋଇଥିଲା ଏବଂ ଅଦାଲତରେ ବହୁ ସାକ୍ଷୀ ନିଜ ବୟାନରୁ ଓହରି ଯାଇଥିଲେ। ୨୦୦୮ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା।

ଏହି ମାମଲାରେ ପାଞ୍ଚଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ସିବିଆଇ ଅଦାଲତ। ଚୂଡ଼ାନ୍ତ ରାୟରେ କେ. ଜିତ୍‌କୁମାର ଓ ଏସ୍‌.ଭି. ଶ୍ରୀକୁମାରଙ୍କୁ ହତ୍ୟା ଅଭିଯୋଗରେ ଫାଶୀଦଣ୍ଡ ସହିତ ଦୁଇଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଏବଂ ତିନି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପ୍ରମାଣ ନଷ୍ଟ କରିବା ଏବଂ ମାମଲା ଚପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ତିନିବର୍ଷ ଲେଖାଏଁ ଜେଲଦଣ୍ଡ ଆଦେଶ ଦେଇଛନ୍ତି।

ରାୟ ଶୁଣାଇବା ବେଳେ ସିବିଆଇ ସ୍ୱତନ୍ତ୍ର ଅଦାଲତର ବିଚାରପତି ଜେ. ନାଜର ଏହି ଅପରାଧକୁ ବିରଳତମ ରୂପେ ଅଭିହିତ କରିବା ସହିତ ଏହା ଏକ ଜଘନ୍ୟ ଓ ନୃଶଂସ ହତ୍ୟାକାଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି। ଏଭଳି ଘଟଣା ଦ୍ୱାରା ଆଇନକୁ କାର୍ଯ୍ୟକାରୀ କରୁଥିବା ପୋଲିସ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ ଏବଂ ଏହା ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହିତ ଏକ ବିପଜ୍ଜନକ ସ୍ଥିତି ସୃଷ୍ଟି କରିବ ବୋଲି ବିଚାରପତି ଦର୍ଶାଇଛନ୍ତି।

ବିଚାରପତି ରାୟ ଶୁଣାଇବା ବେଳେ ଅଦାଲତରେ ଉପସ୍ଥିତ ଥିଲେ ପୋଲିସ ନିର୍ଯାତନାରେ ପ୍ରାଣ ହରାଇଥିବା ଉଦୟ କୁମାରଙ୍କ ମା’ ପ୍ରଭାବତୀ ଆମ୍ମା। ମୃତ ପୁଅକୁ ନ୍ୟାୟ ଦେବା ପାଇଁ ୧୩ ବର୍ଷ ହେଲା ଏକାକୀ ସଂଘର୍ଷ କରିଆସିଥିବା ୬୮ ବର୍ଷୀୟା ପ୍ରଭାବତୀ ଯୋଡ଼ହସ୍ତରେ ଅଦାଲତଙ୍କ ରାୟକୁ ସମ୍ମାନ ଜଣାଇଥିଲେ। କହିଥିଲେ, “ଏତେ ବର୍ଷ ହେଲା କେବଳ ଏହି ରାୟ ଶୁଣିବା ପାଇଁ ହିଁ ମୁଁ ବଞ୍ଚିଛି। ଅନ୍ୟ କୌଣସି ମା’କୁ ଏଭଳି ଦଶା ଭୋଗିବାକୁ ନ ପଡୁ”।

Comment