ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ୍‌ଭି ୭୯ ଏବଂ ଲାଛିପେଟାର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଆଜି ଦେଖିବାକୁ ମିଳିଛି। ଗୋଟିଏ ପଟେ ମାଓବାଦୀମାନେ ଗତ ୨୮ ତାରିଖରୁ ସହିଦ ସପ୍ତାହ ପାଳନ କରୁଥିବା ବେଳେ ମାଓବାଦୀଙ୍କୁ ବିରୋଧ କରି ପୋଷ୍ଟର ଲାଗିବା ଘଟଣା ଗୁରୁତ୍ୱ ବହନ କରୁଛ। ଏହି ପୋଷ୍ଟରରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିବା ବେଳେ ଖୋଲାଖୋଲି ଚ୍ୟାଲେଞ୍ଜ କରାଯାଇଛି।

ଆଜି ଏମ.ଭି.୭୯ ଗ୍ରାମର ଯାତ୍ରୀ ପ୍ରତୀକ୍ଷାଳୟରେ ଏବଂ ଲାଛିପେଟା ଛକରେ ପୋଷ୍ଟର ଲାଗିଛି। ପୋଷ୍ଟରରେ ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ବୋଲି ଉଲ୍ଲେଖ ରହିଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ନକ୍ସଲ ନିନ୍ଦା ସପ୍ତାହ ପାଳନ କରିବା ପାଇଁ ଏଥିରେ ଆହ୍ୱାନ କରାଯାଇଛି। ସହିଦ ସପ୍ତାହ ପାଳନ ଅବସରରେ ମାଓବାଦୀମାନେ ଦୋକାନ ବଜାର, ଯାନବାହନ ଚଳାଚଳ, ଆମ୍ବୁଲାନ୍ସ, ସ୍କୁଲ କଲେଜ ବନ୍ଦ କରିବା ଘଟଣାକୁ ନିନ୍ଦା କରାଯାଇଛି।

ଗରିବ ଲୋକଙ୍କୁ ହଇରାଣ କରି ମାଓ ସଂଗଠନ କଣ ଉନ୍ନତି କରିଛି ବୋଲି ପ୍ରଶ୍ନ କରାଯାଇଛି। ସହିଦ ସପ୍ତାହକୁ ସମର୍ଥନ ନକରିବା ସହ ଦେଶବ୍ୟାପି ନକ୍ସଲ ନିନ୍ଦା ସପ୍ତାହକୁ ସଫଳ କରିବାକୁ ନିବେଦନ କରାଯାଇଛି। ମାଓ ବିରୋଧି ପୋଷ୍ଟର ନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ପ୍ରକାଶ।

Comment