ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲା ହନାନା ହମିଦଙ୍କ ଭାଗ୍ୟ। ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ରାତାରାତି ସେଲିବ୍ରିଟି ପାଲଟି ଯାଇଛନ୍ତି ହନାନ ହମିଦ।
କିଛିଦିନ ତଳେ କଲେଜ ୟୁନିଫର୍ମ ପିନ୍ଧି ମାଛ ବିକ୍ରି କରୁଥିବା ୨୧ ବର୍ଷୀୟା କଲେଜ ଛାତ୍ରୀ ହନାନ ହମିଦ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଥିଲେ। ଏବେ ରାତାରାତି ସେଲିବ୍ରିଟି ପାଲଟିଛନ୍ତି ହନାନ। ନିକଟରେ ଥିରୁଅନନ୍ତପୁରମରେ ଅନୁଷ୍ଠିତ ହୋଇଥିବା ଫ୍ୟାଶନ ସୋ’ରେ ଭାଗ ନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ହନାନ ହମିଦ।
କେରଳ ଖଦିବୋର୍ଡ ଦ୍ୱାରା ଆୟୋଜିତ ଉକ୍ତ ଫ୍ୟାଶନ ସୋ’ରେ ଏକ ଖଦି ଶାଢୀ ପିନ୍ଧି ନିଜର ଜଲଓ୍ବା ଦେଖାଇଥିଲେ ହନାନ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ।
କେରଳର ତ୍ରିସୂର ଅଞ୍ଚଳର ଛାତ୍ରୀ ହନାନ ପରିବାରର ଆର୍ଥିକ ବୋଝକୁ ହାଲ୍କା କରିବାକୁ କଲେଜରୁ ଫେରି ମାଛ ବିକ୍ରି କରୁଥିବା ବେଳର ଫଟୋ ଉଠାଇ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ଭାଇରାଲ କରିବା ସହ ହାନନଙ୍କୁ ଟ୍ରୋଲ ମଧ୍ୟ କରିଥିଲେ।
ଅସଲ ଘଟଣା ଜାଣିବା ପରେ ରାଜ୍ୟ ସରକାର ହାନନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଉଭୟ ପୋଲିସ ପ୍ରଶାସନ ଓ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କେରଳର ଇଡୁକ୍କି ଜିଲ୍ଲା ଅନ୍ତର୍ଗତ ଅଲ ଅଜହର କଲେଜ ଅଫ୍ ଆର୍ଟସ ଆଣ୍ଡ ସାଇନ୍ସର ତୃତୀୟ ବର୍ଷ ବିଜ୍ଞାନ ଛାତ୍ରୀ ହନାନ ହାମିଦ। ଜୀବନ ସଂଘର୍ଷକୁ ନେଇ ଏବେ ସେ ଚର୍ଚ୍ଚାରେ। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ହମିଦଙ୍କ ଜୀବନଚର୍ଯ୍ୟା ଏହିପରି।
ଏର୍ଣ୍ଣାକୁଲମ ଜିଲ୍ଲା ମଡ଼ବନାରେ ରହନ୍ତି। ପ୍ରତିଦିନ ଭୋର ତିନିଟାରୁ ଉଠି ଘଣ୍ଟାଟିଏ ପାଠ ପଢ଼ନ୍ତି ହମିଦ। ପରେ ସାଇକେଲରେ ପ୍ରାୟ ୧୨ କିଲୋମିଟର ଦୂର ଚମ୍ବକାରାର ହୋଲ୍ସେଲ ମାଛ ମାର୍କେଟକୁ ଯାଇ ମାଛ କିଣନ୍ତି। ମାଛ ଓ ସାଇକେଲକୁ ଅଟୋରେ ରଖି ତମନ୍ନମ ଜଙ୍କସନ୍କୁ ଯାଆନ୍ତି। ଜଣେ ପରିଚିତ ଲୋକଙ୍କ ଘରେ ମାଛ ରଖି ଘରକୁ ଫେରି ବସ୍ରେ ପ୍ରାୟ ୬୦ କିଲୋମିଟର ଦୂର କଲେଜକୁ ପଢ଼ିବାକୁ ଯାଆନ୍ତି। କଲେଜରୁ ଫେରି ସନ୍ଧ୍ୟାରେ ତମନ୍ନମ ଜଙ୍କସନ୍ରେ ମାଛ ବିକନ୍ତି ହମିଦ୍। ମାଛ ବିକି ରାତିରେ ଘରକୁ ଫେରନ୍ତି।
ଘରେ ମାନସିକ ରୋଗୀ ମାଆ। ବାପାଙ୍କର ଖୋଜଖବର ନାହିଁ। ମାଛ ବିକିବା ସହିତ ପିଲାଙ୍କୁ ଟ୍ୟୁସନ କରନ୍ତି। ଏସବୁ ଭିତରେ ବି ଅଭିନୟ କରିବା, କବିତା ଲେଖିବା ଏବଂ ସାମରିକ କଳା କଲାରିପାୟାଟ୍ଟୁରେ ତାଙ୍କର ରୁଚି ରହିଛି।
ଗତ ବୁଧବାର ଦିନ ସ୍ଥାନୀୟ ଏକ ଖବରକାଗଜରେ ହମିଦଙ୍କ ସଂଘର୍ଷମୟ ଜୀବନ କାହାଣୀ ପ୍ରକାଶିତ ହେଲା ପରେ ସୋସିଆଲ ମିଡିଆରେ ଏହା ବେଶ ପ୍ରସାରିତ ହେଲା। ନେତା, ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସମେତ ହଜାର ହଜାର ଲୋକ ତାଙ୍କୁ ପ୍ରଶଂସା କଲେ। ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲେ। ନିର୍ଦ୍ଦେଶକ ଅରୁଣ ଗୋପୀ ତାଙ୍କର ପରବର୍ତ୍ତୀ ସିନେମାରେ ଅଭିନୟ କରିବାର ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଲେ।
ପ୍ରଶଂସାର ସୁଅ ଭିତରେ ସାମିଲ ହେଲେ ଅନେକ ନିନ୍ଦୁକ। ହମିଦଙ୍କ ବେଶଭୂଷାକୁ ନେଇ ପ୍ରଶ୍ନ ଉଠାଇଲେ। ଏମିତିକି ସୁନାର କାନଫୁଲ ପାଇଁ ସେ କେଉଁଠୁ ପଇସା ଆଣିଲେ ବୋଲି ବି ପଚାରିଲେ। ହମିଦଙ୍କ ଜୀବନ କାହାଣୀରେ ଛଳନାର ଗନ୍ଧ ବାରିଲେ ଏବଂ ସିନେମାରେ ଅଭିନୟ କରିବାର ସୁଯୋଗ ପାଇବାକୁ ସେ ନିଜ ସଂପର୍କରେ ଏଭଳି କାହାଣୀ ଗଢ଼ିଛନ୍ତି ବୋଲି ବି ମନ୍ତବ୍ୟ ଦେଲେ। ଟ୍ରୋଲିଂରେ ବ୍ୟତିବ୍ୟସ୍ତ ହୋଇ ନିଜ ଫେସ୍ବୁକ୍ ଆକାଉଣ୍ଟକୁ ବନ୍ଦ କରିଦେଲେ ହମିଦ୍। ତଥାପି ଚର୍ଚ୍ଚାରେ ରହିଲେ ହନାନ ହମିଦ।
ପରିସ୍ଥିତି ଏମିତି ହେଲା ଯେ ପରଦିନ ତମନ୍ନମ ଜଙ୍କସନ୍ରେ ସେ ମାଛ ବିକା ଆରମ୍ଭ କଲା ମାତ୍ରେ ତାଙ୍କ ଚାରିପଟେ ଗହଳି ଲାଗିଗଲା। ସାଧାରଣ ଲୋକେ ତାଙ୍କୁ ଦେଖିବା ପାଇଁ ପହଞ୍ଚିଲେ। ସାମ୍ବାଦିକମାନେ ପ୍ରଶ୍ନ କରିବା ଆରମ୍ଭ କରିଦେଲେ। କିଏ ସେଲ୍ଫି ନେଲେ ତ କିଏ ମୋବାଇଲରେ ଭିଡିଓ ରେକର୍ଡିଂ କଲେ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପହଞ୍ଚି ଭିଡ଼ ଭିତରୁ ହାମିଦଙ୍କୁ ଉଦ୍ଧାର କଲା। ସେଦିନ ତାଙ୍କ ମାଛ ବିକା ବନ୍ଦ ରହିଲା। କିନ୍ତୁ ଆଶ୍ୱାସନାର କଥା ଯେ ହାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ କେଜେ ଆଲ୍ଫନ୍ସ।
ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯିବା ଘଟଣାକୁ ନିନ୍ଦା କରିଛନ୍ତି। ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ହାତ ବଢ଼ାଇଛନ୍ତି ଅନେକ ରାଜନେତା, ସାମାଜିକ ସଂଗଠନ ଓ କର୍ମକର୍ତ୍ତା। ହାନନ ବି ସାହସ ହରାଇ ନାହାନ୍ତି। ଆଗକୁ ଏମବିବିଏସ୍ ପଢ଼ି ଡାକ୍ତର ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ହନାନ।

















