ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଗୋଠପାଟଣାଠାରେ ନ୍ୟାସନାଲ ଡାଟା ରିପୋଜିଟରିର ସେକେଣ୍ଡାରୀ ଡାଟା ସେଣ୍ଟର ଏବଂ ଏସଟିପିଆଇ-ଏଲିଟ୍ ଉଦଘାଟନ କରିବେ କେନ୍ଦ୍ର ପେଟ୍ରୋଲିୟମ୍ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେବେ କେନ୍ଦ୍ର ସୂଚନା, ପ୍ରଯୁକ୍ତି ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

ଏସଟିପିଆଇ ଏବଂ ଡାଇରୋକ୍ଟରେଟ ଜେନେରାଲ ଅଫ୍ ହାଇଡ୍ରୋକାର୍ବନ୍ସ (ଡିଜିଏଚ୍) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

୨୮ ଜୁନ ୨୦୧୭ରେ ଭାରତ ସରକାରଙ୍କ ପକ୍ଷରୁ  ପେଟ୍ରୋଲିୟମ  ଅନ୍ୱେଷଣ ଓ ଉତ୍ପାଦନ ସମ୍ପର୍କିତ ତଥ୍ୟକୁ ସଂରକ୍ଷଣ କରିବା ପାଇଁ  ଇଣ୍ଟିଗ୍ରେଟେଡ ସେଣ୍ଟ୍ରାଲାଇଜଡ ଡାଟା ରିପୋଜିଟରି ଆରମ୍ଭ କରାଯାଇଥିଲା। ନୋଇଡାରେ ଥିବା ପ୍ରାଥମିକ ଡାଟା ସେଣ୍ଟରର ଡିଜାଷ୍ଟର ରିକୋଭରି ସେଣ୍ଟର ଏସଟିପିଆଇ ଗୋଠପାଟଣାରେ ଥିବା  ସେକେଣ୍ଡାରୀ ଡାଟା ସେଣ୍ଟର(ଏସଡିସି) ଭାବେ କାମ କରିବ।

ଭୁବନେଶ୍ୱରରେ ଥିବା ଏହି କେନ୍ଦ୍ର ଛାତ୍ର,  ଗବେଷକ, ଏକାଡେମିକ କ୍ଷେତ୍ରରେ କାମ କରୁଥିବା ଲୋକ ତଥା କମ୍ପାନିମାନଙ୍କୁ ମଧ୍ୟ ସାହାଯ୍ୟ କରିବ। ସେମାନେ ଏଠାରେ ଦେଶର ପେଟ୍ରୋଲିୟମ ଅନ୍ୱେଷଣ ଓ ଉତ୍ପାଦନର ବିପୁଳ ତଥ୍ୟକୁ ନେଇ ଡାଟା  ଆନାଲିଟିକ୍ସ ଓ   ଅନୁସନ୍ଧାନ କାମ କରିପାରିବେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ  ଚନ୍ଦ୍ର ସାରଥୀ ବେହେରା,  ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, କେନ୍ଦ୍ର ସରକାରଙ୍କ ସୂଚନା ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ସଚିବ ଏ ପି ସାହାଣୀ ପ୍ରମୁଖ ଉପସ୍ଥିତ ରହିବେ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଜୁରିସଡିକ୍ସନାଲ ନିର୍ଦ୍ଦେଶକ ମାନସ ରଂଜନ ପଣ୍ଡା, ଏସଟିପିଆଇ ଏବଂ ଡିଜିଏଚ୍‌ର ଜେନେରାଲ ମ୍ୟାନେଜର (ଏଚଆର୍) ଶିଲାଦିତ୍ୟ ଭଟ୍ଟାଚାର୍ଯ୍ୟ ଓ କନସଲଟାଣ୍ଟ (ଏନଡିଆର) ଏଚ୍ କେ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏସ୍‌ଟିପିଆଇର ମୂଳ ଲକ୍ଷ୍ୟ

ସିଙ୍ଗିଲ ୱିଣ୍ଡୋ ବୈଧାନିକ ସେବା ମଞ୍ଜୁରୀ ଦ୍ୱାରା ଭାରତ ବର୍ଷରେ ସଫ୍ଟୱେୟାର ରପ୍ତାନୀକୁ ଦ୍ରୁତ ପ୍ରୋତ୍ସାହନ, ପ୍ରସାରଣ ଏବଂ ଅଭିବୃଦ୍ଧି କରିବା, ଷ୍ଟାର୍ଟ୍ ଅପ୍ ସଂସ୍ଥାମାନଙ୍କୁ ଇନକ୍ୟୁବେସନ ସୁବିଧା ପ୍ରଦାନ କରିବା ଏବଂ ତଥ୍ୟ ଯୋଗାଯୋଗ ସୁବିଧାକୁ ଆଇଟି/ ଆଇଟିଇଏସ୍ ଉଦ୍ୟୋଗ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା  ହେଉଛି ଏସ୍‌ଟିପିଆଇର ମୂଳ ଲକ୍ଷ୍ୟ।  ଗତ ଦୁଇ ଦଶନ୍ଧି ମଧ୍ୟରେ  ଏସ୍‌ଟିପିଆଇ ଭାରତକୁ ବିଶ୍ୱ ପ୍ରଯୁକ୍ତି ବିଦ୍ୟା ମାନଚିତ୍ରରେ ଅଗ୍ରଣୀ ଦେଶ ଭାବରେ ସ୍ଥାନୀତ କରିବାରେ ସଫଳତା ହାସଲ କରିଛି।

ଏସ୍‌ଟିପିଆଇ ସାରା ଭାରତ ବର୍ଷରେ ୫୮ଟି କେନ୍ଦ୍ର ସ୍ଥାପନ କରିଛି। ଓଡିଶାର ଭୁବନେଶ୍ୱର, ରାଉରକେଲା ଏବଂ ବ୍ରହ୍ମପୁରଠାରେ ଏସ୍‌ଟିପିଆଇ ତିନୋଟି କେନ୍ଦ୍ର ରହିଛି। ବାଲେଶ୍ୱର, ଅନୁଗୁଳ, ଯାଜପୁର, କୋରାପୁଟ ଏବଂ ସମ୍ବଲପୁରଠାରେ ଏସ୍‌ଟିପିଆଇ ୫ ଗୋଟି ନୂତନ କେନ୍ଦ୍ର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି।

ସେହିପରି ଆଇଟି ଏବଂ ଆଇଟିଇଏସ ଶିଳ୍ପ କ୍ଷେତ୍ରରେ ନୂତନ ଉଦ୍ଭାବନ ତଥା ଆବଶ୍ୟକ ପ୍ରଯୁକ୍ତି ସମ୍ବନ୍ଧୀୟ ଇନକ୍ୟୁବେସନ, ଫ୍ୟାବ୍ରିକେସନ ଲ୍ୟାବ୍, ଇଏସଡିଏମ ଇନକ୍ୟୁବେସନ, ଡାଟା ସେଂଟର ଆଦି ବ୍ୟବସ୍ଥା ଉପଲବ୍ଧ କରିବା ପାଇଁ ଏସ୍‌ଟିପିଆଇ ଏଲିଟ୍ ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲାଯାଉଛି।

ଏହି ଶାଖା ନେଟୱର୍କ ଅପରେସନ ସେଣ୍ଟର, ହାଇ ସ୍ପିଡ୍ ଡାଟା କମ୍ୟୁନିକେସନ, କ୍ଲାଉଡ ସର୍ଭିସ୍, ପ୍ଲଗ୍ ଆଣ୍ଡ ପ୍ଲେ, କନଭେନସନ ହଲ, କନଫରେନ୍ସ, ବିଜନେସ ଲାଉଞ୍ଜ, ଆମ୍ପିଥେଟର ଆଦି ଯୋଗାଇଦେବ।

Comment