ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅଗଷ୍ଟ ୬ରେ ସମ୍ମାନର ସହ ପୁଣି ଅଣାଯିବ ମାଟି
  • ରାଜକନିକାରେ ହେବ ଶୋଭାଯାତ୍ରା
  • ରାଜକନିକାରୁ କେନ୍ଦ୍ରାପଡ଼ା ଯାଏଁ ହେବ ତୋରଣ
  • ୮ ତାରିଖରେ ମାଟି ଭୁବନେଶ୍ୱରରେ ପହଞ୍ଚିବ
  • ଅନଶନ ଭାଙ୍ଗିଲେ ଶ୍ରୀକାନ୍ତ

କେନ୍ଦ୍ରାପଡ଼ା: ରାଜକନିକାର  ସହିଦ ବାସୁ ବିସୁନିଙ୍କ ସ୍ମୃତି ସ୍ତମ୍ଭ ନିକଟରୁ ମାଟି ଉଠାଣ ବେଳେ ସହିଦଙ୍କୁ  ସମ୍ମାନ ଦିଆଯାଇ ନାହିଁ  ବୋଲି ରାଜ୍ୟ ସହିଦ ସ୍ମୃତି କମିଟି ଅନୁଭବ କରିଛି। ଏଣୁ ପୁଣି ଥରେ ସହିଦ ସ୍ମୃତି ସ୍ତମ୍ଭରୁ ସମ୍ମାନର ସହ ମାଟି ଉଠାଣ ପାଇଁ  ରାଜ୍ୟ ସହିଦ ସ୍ମୃତି କମିଟି ନିଷ୍ପତ୍ତି ନେଇଛି। ଏହି ବାର୍ତ୍ତା ନେଇ  ରାଜ୍ୟ ଶହିଦ ସ୍ମୃତି କମିଟି ସଭାପତି ଭବାନୀ ଶଙ୍କର ପଟ୍ଟନାୟକଙ୍କ ପ୍ରତିନିଧି ତଥା ଗାନ୍ଧିବାଦୀ ନେତା ରମାକାନ୍ତ ମଣ୍ଡଳ କେନ୍ଦ୍ରାପଡ଼ା ଆସିଛନ୍ତି।

ଏନେଇ ରାଜ୍ୟ ସହିଦ ସ୍ମୃତି କମିଟିର ସଭାପତି କନିକା ସହିଦ ସ୍ମୃତି ସଂସଦର ସଦସ୍ୟମାନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଫଳରେ ମାଟି ଉଠାଣକୁ ନେଇ ଯେଉଁ ବିବାଦ ଲାଗିଥିଲା ସେଥିରେ ରୋକ ଲାଗିଛି।

ରମାକାନ୍ତ ମଣ୍ଡଳ କେନ୍ଦ୍ରାପଡ଼ାରେ ପହଞ୍ଚି ଗାନ୍ଧି ପ୍ରତିମୂର୍ତ୍ତି ତଳେ ଆମରଣ ଅନଶନରେ ବସିଥିବା ସ୍ୱେଚ୍ଛାସେବୀ ଶ୍ରୀକାନ୍ତଙ୍କୁ ଭେଟି ଫଳରସ ପିଆଇ ଅନଶନ ଭାଙ୍ଗିଥିଲେ।

ରାଜ୍ୟ ସହିଦ ସ୍ମୃତି କମିଟି ନିଷ୍ପତ୍ତି ଅନୁସାରେ ଆସନ୍ତା ୬ ତାରିଖରେ ବାସୁ ବିସୁନିଙ୍କ ସ୍ମୃତି ପୀଠରୁ ପୁନରାୟ ମାଟି ଉତ୍ତୋଳନ କରିବେ ବୋଲି ଜଣାପଡ଼ିଛି।  ଏହି ମାଟିକୁ ମର୍ଯ୍ୟାଦାର ସହିତ ରାଜକନିକା ବ୍ଲକରେ ଶୋଭାଯାତ୍ରାରେ ପରିକ୍ରମା କରାଯିବ। ୭ ତାରିଖରେ ରାଜକନିକାରୁ ଶୋଭାଯାତ୍ରା ବାହାରି  ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦେଇ ଭୁବନେଶ୍ୱର ସହିଦ ସ୍ମୃତି ଭବନକୁ ନିଆଯିବ। ବିଭିନ୍ନ ସ୍ଥାନରେ ସହିଦଙ୍କ ମାଟିକୁ ସମ୍ମାନ ଦେବା ପାଇଁ ବ୍ୟବସ୍ଥା କରାଯିବ। ରାଜକନିକାଠାରୁ କେନ୍ଦ୍ରାପଡ଼ା ଯାଏଁ ବିଭିନ୍ନ ସ୍ଥାନରେ ତୋରଣ କରାଯିବ। ୮ ତାରିଖରେ ରାଜ୍ୟ ସହିଦ ସ୍ମୃତି ଭବନରେ ରାଜ୍ୟ ସଭାପତି ଭବାନି ଶଙ୍କର ପଟ୍ଟନାୟକ ଏହି ବୀର ମାଟିକୁ ଗ୍ରହଣ କରିବେ।

ଗତ ୧ ତାରିଖରେ ଏହି ପୀଠରୁ ମାଟି ସଂଗ୍ରହ କରି କେନ୍ଦ୍ରାପଡ଼ା ଜିଲ୍ଲା ସହିଦ ସ୍ମୃତି କମିଟି ରାଜ୍ୟ ସହିଦ ସ୍ମୃତି ଭବନରେ ପହଞ୍ଚାଇଥିଲା। ଏହାକୁ ନେଇ ବିବାଦ ଦେଖାଦେଇଥିଲା।

ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ସହିଦ ସ୍ମୃତି କମିଟିର ଅଭିଯୋଗକୁ କନିକା ସହିଦ ସ୍ମୃତି ସଂସଦ ଖଣ୍ଡନ କରିଛି। ମାଟି ଉଠାଇବା ପାଇଁ କନିକା ସହିଦ ସ୍ମୃତି କମିଟି ଅଧିକ ଅର୍ଥ ଦାବି କରିଥିଲା ବୋଲି ଗତକାଲି ଜିଲ୍ଲା ସହିଦ ସ୍ମୃତି କମିଟି ଅଭିଯୋଗ କରିଥିଲା।

LEAVE A REPLY

Please enter your comment!
Please enter your name here