ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଖମଳ ଛକ ନିକଟରେ ଜଣେ ମଦ ବ୍ୟବସାୟୀଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଛଡ଼ାଇ ନେବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି ଲୁଟେରା। ସେମାନଙ୍କ ନିକଟରୁ ସମସ୍ତ ଲୁଟ ଟଙ୍କାକୁ ଉଦ୍ଧାର କରି ପୋଲିସ ଜିମା ଦେଇଛନ୍ତି ଲୋକେ। ଆଜି ଅପରାହ୍ନରେ ଘଟିଛି ଏହି ଘଟଣା।

ସୁରେଶ ସାହୁ ନାମକ ଜଣେ ବ୍ୟବସାୟୀ ସ୍ଥାନୀୟ ଚାନ୍ଦୋଳ ବଜାରରୁ ବାଲିଆସ୍ଥିତ ଆଇଡିବିଆଇ ବ୍ୟଙ୍କକୁ ଦୁଇ ଲକ୍ଷ ଟଙ୍କା ଜମା କରିବାକୁ ବାଇକରେ ଯାଉଥିଲେ। ଏହି ସମୟରେ କଳା ପଲସର ବାଇକରେ ୩ ଜଣ ଲୁଟେରା ତାଙ୍କୁ ପିଛା କରି ଖମଳ ଛକ ନିକଟରେ ସୁରେଶଙ୍କ ବାଇକକୁ ଠେଲି ଦେଇଥିଲେ।

ବାଇକ ଡିକିରେ ଥିବା ୨ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ହୋଇ ଯାଉଥିବା ବେଳେ ତାଙ୍କ ବାଇକଟି ସ୍ଲିପ୍ କରିବାରୁ ଦୁର୍ବୃତ୍ତମାନେ ତଳେ ପଡ଼ି ଯଇଥିଲେ। ପାଖରେ ଥିବା ଲୋକେ ସେମାନଙ୍କୁ ମାଡ଼ି ବସିଥିଲେ। ସେମାନେ ହେଲେ ନିକଟସ୍ଥ ପରବାରୀ ଗାଁର ସୁମନ ଜେନା ଓ ମାର୍ଶାଘାଇ ଥାନା ବଡକୁଳ ଗାଁର ଅଶ୍ୱିନୀ ଲେଙ୍କା। ଅନ୍ୟ  ଜଣେ ଲୁଟେରା ମୁନୁ ଘଟଣା ସ୍ଥଳରୁ ଦୌଡି ପଳାଇଥିଲା। ପୋଲିସ ମୁନୁକୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି।

Comment