ଭାସ୍କର ପରିଛା

ଅଧ୍ୟାପନା ଓ ସାହିତ୍ୟ – ଗୋଟିଏ ଅନ୍ୟଟିର ପରିପୂରକ ହେବା ଭିତରେ ଯେତେବେଳେ ସୃଜନର ପରିପ୍ରକାଶ ବ୍ୟାପକ ହୋଇଉଠେ ,ବିଶ୍ୱାସ କରିବାକୁ ହେବ ଯେ ଏହା ଏକ ଦୁର୍ବାର ଲାଳସାର ପରିପ୍ରକାଶ। ଡକ୍ଟର ମୌସୁମୀ ପରିଡ଼ା ସାମ୍ପ୍ରତିକ ସମୟରେ ଜଣେ ବହୁଲିଖିତ ଗାଳ୍ପିକା ଓ ଔପନ୍ୟାସିକା।

ବିଭିନ୍ନ ଖବରକାଗଜର ରବିବାସରୀୟ ପୃଷ୍ଠାରେ ତାଙ୍କର ଗପଗୁଡ଼ିକ ପ୍ରକାଶ ପାଇଥାଏ ଓ ସେ ନିରବଛିନ୍ନ ଭାବରେ ଲେଖି ଚାଲିଛନ୍ତି। ଏ ପର୍ଯ୍ୟନ୍ତ ପନ୍ଦର ପାଖାପାଖି ଗଳ୍ପ, ଉପନ୍ୟାସ ଓ କବିତା ପ୍ରକାଶ କରିସାରିଛନ୍ତି ସେ। ଏଣୁ ତାଙ୍କୁ ଯୁବଲେଖିକା ଭାବରେ ଗଣତି କରିବାର କୌଣସି ଅବକାଶ ଦେଖାଯାଉନାହିଁ। ସେହି ପାହାଚଟିକୁ ଅତିକ୍ରମ କରି ସାରିଛନ୍ତି ସେ। ଚାକିରୀ,ଲେଖାଲେଖି ଓ ପରିବାର ଭିତରେ ସନ୍ତୁଳନ ବଜାୟ ରଖିବା ସହ ସାହିତ୍ୟର ବିଭିନ୍ନ ଦିଗକୁ ଅନ୍ୱେଷଣ କରିବା ଭିତରେ ସେ ପାଠକଙ୍କ ନିକଟରେ ବେଶ୍ ପରିଚିତ ହୋଇପାରିଛନ୍ତି।

‘ପରଶମଣି’ ତାଙ୍କର ଏକ ସଦ୍ୟ ପ୍ରକାଶିତ ଉପନ୍ୟାସ। ତାଙ୍କର ଅନ୍ୟ ତିନିଟି ଉପନ୍ୟାସ ବି ପ୍ରକାଶ ପାଇଛି। ସେଗୁଡ଼ିକ ହେଲା ‘ମୁହୂର୍ତ୍ତର ନାଦ ଓ ନିଃଶବ୍ଦ ଜୁଆର’, ‘ଓ ପକ୍ଷାନ୍ତର’ ଏବଂ ‘ଆଲବମ, ଆଇସକ୍ରିମ ଆଇନା।’

ଆଲୋଚ୍ୟ ଉପନ୍ୟାସର ପ୍ରକାଶକ ଲେଖିକାଙ୍କ ସମ୍ପର୍କରେ ଯାହା ସୂଚନା ଦେଇଛନ୍ତି ତାହା କିଛି ଏହିଭଳି:ସାଧାରଣ ଜନଜୀବନର ଘଟଣା ପ୍ରବାହକୁ ନେଇ କାଳ ପାଇଁ କଳାରେ ସାଇତିଥିବା ତାଙ୍କ ଚରିତ୍ରଗୁଡ଼ିକର ସଂଳାପ ପାଠକ ଓ ସହିତ୍ୟପ୍ରେମୀ ମାନଙ୍କ ଗଭୀରତମ ହୃଦୟକୁ ସ୍ପର୍ଶ କରିଥାଏ। ‘ପରଶମଣି’ ୧୨୦ ପୃଷ୍ଠାର ଏକ କ୍ଷୁଦ୍ର ଉପନ୍ୟାସ ହେଲେ ହେଁ ଡକ୍ଟର ପରିଡ଼ା ଯେଉଁଭଳି ବିଭିନ୍ନ ଚରିତ୍ରକୁ ଏକାଠି ବାନ୍ଧିପାରିଛନ୍ତି ତାହା ଉଲ୍ଲେଖଯୋଗ୍ୟ।

ଉପନ୍ୟାସଟି ଦୁନିଆର ସବୁ ବୈଶାଳୀମାନଙ୍କୁ ଉତ୍ସର୍ଗୀକୃତ କରାଯାଇଛି। ବୈଶାଳୀ ଏଠି ଏଭଳି ଏକ ଚରିତ୍ର ଯିଏ ପ୍ରେମ ପାଇଁ, ପରିବାର ପାଇଁ ନିଜକୁ ଜଳାଞ୍ଜଳି ଦିଅନ୍ତି। ଉପନ୍ୟାସରେ ଶ୍ରୀନିବାସ ହେଉଛନ୍ତି ମୁଖ୍ୟ ଆକର୍ଷଣ। ସେ ଜଣେ ବିବାହିତ ପ୍ରେମିକ। ବୈଶାଳୀ ତାଙ୍କ ପାଇଁ ସବୁ କିଛି, ପତ୍ନୀ ଏଲୋରା ନୁହଁନ୍ତି।

ଆକସ୍ମିକ ଭାବେ ବୈଶାଳୀ ଓ ଶ୍ରୀନିବାସଙ୍କ ଭିତରେ ଯାହା ସବୁ ଘଟିଯାଇଛି, ସେହି ଘଟଣାକ୍ରମକୁ ଉପନ୍ୟାସ ଭିତରେ ଆଗେଇନିଏ ଶ୍ରୀନିବାସଙ୍କ ପୁଅ ସାନୁ। ଅସ୍ଥି ବିସର୍ଜନ ପାଇଁ ଗୟାରୁ ଫେରିବା ବେଳେ ଟ୍ରେନରେ ବୈଶାଳୀ ଛୋଟରାୟଙ୍କ ସହ ଭେଟ। ଟ୍ରେନରେ ସାନୁକୁ ପିମ୍ପୁଡି କାମୁଡିବା, ବୈଶାଳୀ ତାହା ଆବିଷ୍କାର କରିବା, ଧନ୍ୟବାଦ ଦିଆନିଆରୁ ଏକ ଗଭୀର ସମ୍ପର୍କର ମୂଳଦୁଆ ପଡ଼ିବା, ଶ୍ରୀନିବାସ ଦିନେ ସରକାରୀ କାର୍ଯ୍ୟରେ ଖୋର୍ଦ୍ଧା ଯିବା ବାଟରେ ବୈଶାଳୀ ଓରଫ ଅନିକେତ ଛୋଟରାୟଙ୍କ ପତ୍ନୀଙ୍କ ସହ କାର-ସ୍କୁଟି ଧକ୍କା ହେବା, ବୈଶାଳୀଙ୍କ ଚିକିତ୍ସାକୁ ନେଇ ଉଭୟ ସ୍ୱାମୀ ଓ ପ୍ରେମିକଙ୍କ ଭିତରେ ପ୍ରତିଯୋଗିତା, ବୈଶାଳୀଙ୍କୁ ଶ୍ରୀନିବାସଙ୍କ ଦରଦଭରା ଚିଠି ଏବଂ ଆଜି-ଅଛି-କାଲି-ନାହିଁର ସମ୍ପର୍କ ଏଭଳି ଅସଂଖ୍ୟ ଛୋଟବଡ଼ ଘଟଣା ଭିତରେ ଦୁଇଟି ବିବାହିତ ପରିବାରର ଉତ୍ଥାନପତନକୁ ଉପନ୍ୟାସରେ ଛନ୍ଦି ଦିଆଇଯାଇପାରିଛି।

ପଢ଼ିଲେ ଲାଗିବ ଏହା ଏକ ରୋଲର-କୋଷ୍ଟର-ରାଇଡ। ଉପନ୍ୟାସର ଭାଷା କେଉଁଠି ସାବଲୀଳ ତ ଆଉ କେଉଁଠି ଆସରଟିଭ। ବିଶେଷକରି ଶ୍ରୀନିବାସ ଓ ବୈଶାଳୀଙ୍କ ଭିତରେ କଥୋପକଥନରୁ ଶବ୍ଦର ସଫଳ ପ୍ରୟୋଗକୁ ବୁଝିହେବ। ଉଦାହରଣ ସ୍ୱରୂପ(ବୈଶାଳୀଙ୍କ ସମ୍ପର୍କରେ ଶ୍ରୀନିବାସଙ୍କ ବେଦନା): ‘ଆଜିକାଲି ଏ ପବନ ବହିଲେ ମନ ମୋର ରୋମାଂଚିତ ହୁଏ, ଲାଗେ ତୁମ ଦେହ ଛୁଇଁ ଆସିଥିବ ଏହି ପାଗେଳା ପବନ। ଏ ସୂର୍ଯ୍ୟକିରଣକୁ ବି ଖୁବ୍ ମୋହ, ମନେହୁଏ ଏହି କିରଣ ତୁମ ଦେହକୁ ବି ନିମିଷକେ ଧୋଇ ଦେଉଥିବ। ଆଜିକାଲି ଧୂଳିମାନଙ୍କୁ ବି ଦେହରୁ ପୋଛେନି, କାଳେ ତୁମ ଦେହଳି ଛୁଇଁ ଉଡ଼ିଆସିଥିବ ପବନରେ। ତୁମେ ସବୁଠୁ ଅଛ ମୀରା। ମୋ ମନରେ, ବିଶ୍ୱାସରେ, ନିଃଶ୍ୱାସ ଓ ସ୍ୱପ୍ନ… ସବୁଠି ତୁମେ।’

ବୈଶାଳୀଙ୍କ ମର୍ମର କଥାକୁ ବି ଔପନ୍ୟାସିକା ଏଭଳି କିଛି ଶବ୍ଦରେ ବଖାଣିଛନ୍ତି: ‘ଶ୍ରୀନିବାସ ଗୋଟିଏ ଦାଗର ନାମ। କେମିତି ସେ ଧସେଇ ପଶିଥିଲେ ଜୀବନ ଭିତରକୁ ଶତ ବାରଣ ସତ୍ତ୍ୱେ। କିପରି ତାଙ୍କର କଥାର କୁହୁକରେ ସେ ସମୟର ବାସ୍ତବତା ଭୁଲି ହୋ‍ଇଯାଇଥିଲା। କିପରି ସେ ଜୀବନକୁ ନୂଆ କରି ବୁଝିଥିଲା। ସେଇ ଚିରାଚରିତ ଶୃଙ୍ଖଳ ଭିତରେ ଜୀବନର କିଛି ନୂଆପଣକୁ ସେ ଅନୁଭବି ଥିଲା। ହେଲେ ହଠାତ ଗୁଡ଼ି ପରି ଉଡ଼ିଯିବାକୁ ବୟସ ନଥିଲା। ସୀମାରେଖା ଲଙ୍ଘିବାର ଉଦ୍ଦାମତା ବି ତ ନଥିଲା। କିନ୍ତୁ କେହି ଜଣେ ରଂଗତୁଳୀ ଧରି ତା’ ଜୀବନର କାନଭାସରେ ରଙ୍ଗ ଭରିବାକୁ ଚେଷ୍ଟା ରୀତିମତ କରି ଚାଲିଥିଲା।’

ଉପନ୍ୟାସ ପରଶମଣିର ପରଶ ଛାଡ଼ିଯାଏ ଯେତେବେଳେ ଶ୍ରୀନିବାସ ଆବିଷ୍କାର କରନ୍ତି ଯେ ହୃଦଘାତ ପରେ ଅସୁସ୍ଥତା ଯୋଗୁଁ ଏକା ସହରରେ ରହୁଥିବା ବୈଶାଳୀଙ୍କ ଆପାର୍ଟମେଂଟ ବିକ୍ରି ହୋଇଯାଏ ଏବଂ ଶେଷରେ ସେ ଓ ତାଙ୍କ ସ୍ୱାମୀ ଅନିକେତ ପୁଅ ପାଖକୁ ବେଙ୍ଗଳୁରୁ ଚାଲିଯାନ୍ତି। ଶ୍ରୀନିବାସଙ୍କ ଏହି ସ୍ୱୀକାରୋକ୍ତି ବି ଖୁବ୍ ଚମତ୍କାର: ‘କେବେକେବେ ମନ ଭିତରର ଯନ୍ତ୍ରଣାକୁ ବଞ୍ଚିବା ଦରକାର..! ତା’ର ତୀବ୍ରତାକୁ ଅନୁଭବିବା ବି ଦରକାର! ନିଜ କ୍ଷତର ଲହୁ କେତେ ଉତ୍ତପ୍ତ ମାପିବା ବି ଲୋଡ଼ା। ତା’ର ସତେଜପଣକୁ ସହିବା ବି ଜରୁରୀ।’

ପରଶମଣି ସବୁ ଦୃଷ୍ଟିରୁ ଏକ ସଫଳ ଉପନ୍ୟାସ। ଖାସ୍ ଏଥିପାଇଁ ଯେ ଔପନ୍ୟାସିକା ଏକ ଭିନ୍ନ ସମୟର ଘଟଣା ଓ ଚରିତ୍ରକୁ ପ୍ରାସଙ୍ଗିକ କରିବା ପାଇଁ ଉଦ୍ୟମ କରିଛନ୍ତି। ଉପନ୍ୟାସରେ ପାରମ୍ପରିକତା ରହିଛି, ଆଧୁନିକତା ବି ରହିଛି।ଭା ଷା ଓ ଭାବର ପରିପ୍ରକାଶ ମଧ୍ୟ ଖୁବ୍ ବଳିଷ୍ଠ ଓ ସ୍ୱଚ୍ଛନ୍ଦ।

ଦୁଇଟି ପିଢ଼ିର ଓ ଦୁଇଟି ପରିବାରର ପରସ୍ପର-ବିରୋଧୀ ଚରିତ୍ରକୁ ସମୁଚିତ ଭାବରେ ଗୁନ୍ଥିବାରେ ଔପନ୍ୟାସିକା ସଫଳତା ହାସଲ କରିଛନ୍ତି, ଏଥିରେ ଦ୍ୱିମତ ଥାଇନପାରେ।

ପରଶମଣି(ଉପନ୍ୟାସ)

ଡକ୍ଟର ମୌସୁମୀ ପରିଡ଼ା

ପ୍ରକାଶକ: କାବ୍ୟଲୋକ

୨୯୭୪, ଗ୍ୟାରେଜ ଛକ ଲୁଇସ ରୋଡ, ଭୁବନେଶ୍ୱର-୨

ମୂଲ୍ୟ ୧୨୦ ଟଙ୍କା

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

1 COMMENT

Comment