ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ କ’ଣ କରିବ ବିଜେଡି? କାହାକୁ ସମର୍ଥନ କରିବ ନା ସମଦୂରତ୍ୱ କାର୍ଡ ଖେଳିବ ତାକୁ ନେଇ ବଢ଼ିଛି ଚର୍ଚ୍ଚା।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌। ଅଗଷ୍ଟ ୯ ରେ ହେବ ନିର୍ବାଚନ। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ନିର୍ବାଚନ ସମ୍ପର୍କରେ ଘୋଷଣା କରିବା ପରେ ତତ୍ପର ହୋଇ ଉଠିଛନ୍ତି ସବୁ ରାଜନୀତିକ ଦଳ। ୨୦୧୯ ପୂର୍ବରୁ ଏହି ଆସନ ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ସମ୍ମାନ ରକ୍ଷା କରୁଥିବାରୁ ଲଢ଼େଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି।

ହେଲେ ଏହି ପଦବୀଟି ହାତେଇବା ପାଇଁ ବିଜେପି ଏବଂ କଂଗ୍ରେସ ହାତରେ ମ୍ୟାଜିକ ସଂଖ୍ୟା ନାହିଁ। ଏଣୁ ଛୋଟ ଦଳଗୁଡ଼ିକ ଉଭୟ କଂଗ୍ରେସ ଏବଂ ବିଜେପି ଭରସା କରିବାକୁ ପଡ଼ିବ। ଏପରିସ୍ଥଳେ ବିଜେଡି ଉପରେ ଦୁଇ ଦଳର ନଜର ରହିଛି। ତେବେ ବିଜେଡି କାହାକୁ ସମର୍ଥନ କରିବ ନା ମତଦାନରୁ ଦୂରେଇ ରହିବ ତା’ ଉପରେ ସମସ୍ତଙ୍କ ନଜର।

ରାଜ୍ୟସଭାରେ ବର୍ତ୍ତମାନ ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୪୫। ଉପାଧ୍ୟକ୍ଷ ପଦବୀ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୫। ଏଣୁ ଉଭୟ ଦଳ ପାଖରେ ଏହି ମ୍ୟାଜିକ ନମ୍ବର ନାହିଁ। ବିଜେପି ପାଖରେ ମାତ୍ର ୬୯ ଜଣ ସାଂସଦ ଅଛନ୍ତି। ଏନଡିଏକୁ ମିଶାଇଲେ ସାଂସଦଙ୍କ ସଂଖ୍ୟା ହେଉଛି ୧୧୫। ଏଣୁ ଏହି ଦଳକୁ ମ୍ୟାଜିକ ନମ୍ବର ଛୁଇଁବାକୁ ହେଲେ ଆଉ ୧୦ ଜଣ ସାଂସଦଙ୍କର ସମର୍ଥନ ଆବଶ୍ୟକ।

ସେହିପରି କଂଗ୍ରେସ ପାଖରେ ଅଛନ୍ତି ୫୦ ଜଣ ସାଂସଦ। ଉପା ମେଣ୍ଟକୁ ମିଶାଇଲେ ହେଉଛନ୍ତି ୧୧୩ ଜଣ ସାଂସଦ। ଏଣୁ ମ୍ୟାଜିକ ନମ୍ବର ପାଇଁ ଉପାକୁ ୧୨ ଜଣ ସାଂସଦଙ୍କର ସମର୍ଥନ ଆବଶ୍ୟକ। ଏଣୁ ଉଭୟ ଦଳ ସମର୍ଥନ ଯୋଗାଡ଼ରେ ଲାଗିବେ। କାରଣ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ।

ଏପର୍ଯ୍ୟନ୍ତ ଉପା ଏବଂ ଏନଡିଏର ପ୍ରାର୍ଥୀ କିଏ ହେବେ ତାହା ସ୍ଥିର ହୋଇପାରି ନାହିଁ। ଜେଡି(ୟୁ) ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ଏନଡିଏ ପ୍ରାର୍ଥୀ କରବା ପାଇଁ ଚାହୁଁଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି। ହେଲେ ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ।

ସେହିପରି ଉପା ମଧ୍ୟ ତାର ପ୍ରାର୍ଥୀ ଏଯାଏଁ ଘୋଷଣା କରିନି। ପୂର୍ବରୁ କଂଗ୍ରେସ ଚାହୁଁଥିଲା ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିବାକୁ। ହେଲେ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ଦିଆଗଲା ନାହିଁ। ଏପଟେ ବିଜେଡି କ’ଣ କରିବ ସେନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି।

ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ଅଛନ୍ତି। ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜେଡି ଭୁରୁଗତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ବିଜେଡିର ୯ ଜଣ ସାଂସଦଙ୍କ ଭୋଟ ପାଇବା ପାଇଁ ଉଭୟ ଉପା ଏବଂ ଏନଡିଏ କସରତ କରିପାରନ୍ତି। ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସମୟରେ କି ଆଭିମୁଖ୍ୟ ପୋଷଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ବିଜେଡି ୨୦୧୪ରୁ ଆଜିଯାଏଁ ସମଦୁରତ୍ବ କାର୍ଡ ଖେଳି ଆସୁଛି। ଉଭୟ ଉପା ଏବଂ ଏନଡିଏଠାରୁ ବିଜେଡି ସମଦୂରତା ରଖୁଥିବା ନବୀନ ବାରମ୍ବାର କହି ଆସୁଛନ୍ତି। ନିକଟରେ ଲୋକସଭାରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ବେଳେ ବିଜେଡି ସମଦୁରତ୍ୱ କାର୍ଡ ଖେଳିଥିଲା। ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବା ପୂର୍ବରୁ ବିଜେଡି ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

ଏବେ ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି କେଉଁ ଦଳକୁ ସମର୍ଥନ କରିବ ତାକୁ ନେଇ କଳ୍ପନା ଜଳ୍ପନା ଜାରୀ ରହିଛି। ଯଦି ବିଜେପି ସମଦୂରତ୍ୱ କଥା କହି ଭୋଦାନରୁ ଦୁରେଇ ଯାଏ ତାହାଲେ ଏନଡିଏ ପାଇଁ ଏହା ଫାଇଦା ହେବ ବୋଲି କୁହାଯାଉଛି।

Comment