ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ ବଢ଼ିଲା ଉତ୍ପାଦନ 
  • ଆଲୁମିନା ଉତ୍ପାଦନରେ ୧୦.୭୪ ପ୍ରତିଶତ ବୃଦ୍ଧି
  • ଆଲୁମିନିୟମ୍ ଉତ୍ପାଦନରେ ୮.୮୫ ପ୍ରତିଶତ
  • ବିଦ୍ୟୁତ ଉତ୍ପାଦନରେ ୫.୧୪ ପ୍ରତିଶତ

ନବରତ୍ନ କମ୍ପାନି ନାଲ୍‌କୋ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ ୬୮୭ କୋଟି ଟଙ୍କାର ଲାଭ ପାଇ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକୀର ଲାଭ ୨୫୭ କୋଟି ଟଙ୍କା ତୁଳନାରେ ଏହା ୧୬୭ ପ୍ରତିଶତ ଅଧିକ। ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ ହୋଇଥିବା ୧୨୯ କୋଟି ଟଙ୍କାର ଲାଭ ତୁଳନାରେ ଏହା ୪୩୩ ପ୍ରତିଶତ ଅଧିକ ହୋଇଛି।

୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକୀରେ ହୋଇଥିବା ୩୬୨ କୋଟି ଟଙ୍କାର ଅପରେଟିଂ ଲାଭ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ ଦ୍ୱିଗୁଣିତ ହୋଇ ୮୮୯ କୋଟି ଟଙ୍କା ହୋଇଛି। କମ୍ପାନିର ଇ.ବି.ଆଇ.ଡି.ଟି.ଏ. ମାର୍ଜିନ୍ ୧୮ ପ୍ରତିଶତରୁ ୩୬ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ତ୍ରୈମାସିକୀ ତୁଳନାରେ ଇନ୍‌ପୁଟ ବ୍ୟୟ ୧୫ ରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଏହି ସଫଳତା ପାଇଁ ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ମିଳିତ ଉଦ୍ୟମ, ଦୃଢ ମିତବ୍ୟୟିତା ଓ ବିଶେଷ ଯୋଜନାକୁ ଶ୍ରେୟ ଦେଇଛନ୍ତି।

୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ ହୋଇଥିବା ନିଟ୍ ଲାଭ ୬୮୭ କୋଟି ଟଙ୍କା। ୨୦୧୩-୧୪ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ନିଟ୍ ଲାଭ ୬୪୨ କୋଟି ଟଙ୍କାଠାରୁ ଅଧିକ ହୋଇଛି। ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ଦାମନଯୋଡ଼ିର ଆଲୁମିନା ରାଜସ୍ୱ ବର୍ଗରୁ ହୋଇଛି।

ଉତ୍ପାଦନ କ୍ଷେତ୍ରରେ ମଧ୍ୟ ନାଲ୍‌କୋ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ତ୍ରୈମାସିକୀରେ, ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ ଉତ୍ପାଦିତ ୧୮.୮୧ ଲକ୍ଷ ଟନ୍ ବକ୍ସାଇଟ୍ ତୁଳନାରେ ୧୮.୫୯ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦିତ ହୋଇଛି। ଆଲୁମିନା ଉତ୍ପାଦନ କ୍ଷେତ୍ରରେ ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକୀରେ ହୋଇଥିବା ୫.୨୬ ଲକ୍ଷ ଟନ୍ ଆଲୁମିନା ତୁଳନାରେ ୧୦.୭୪ ପ୍ରତିଶତ ବୃଦ୍ଧି ପାଇ ୫.୮୩ ଲକ୍ଷ ଟନ୍ ଉତ୍ପାଦିତ ହୋଇଛି।

ଏହି ତ୍ରୈମାସିକୀରେ ୧.୧୦ ଲକ୍ଷ ଟନ୍ ଆଲୁମିନିୟମ୍ ଉତ୍ପାଦିତ ହୋଇଛି। ଯାହା କି ଗତ ବର୍ଷର ୧.୦୧ ଲକ୍ଷ ଟନ୍ ତୁଳନାରେ ୮.୮୫ ପ୍ରତିଶତ ଅଧିକ। ପ୍ରଥମ ତ୍ରୈମାସିକୀରେ ୧୬୮୨ନିୟୁତ ୟୁନିଟ୍ ହୋଇଛି। ଗତ ବର୍ଷର ପ୍ରଥମ ୧୫୯୯ ନିୟୁତ ୟୁନିଟ୍ ତୁଳନାରେ ଏହା ୫.୧୪ ପ୍ରତିଶତ ଅଧିକ। ଏହାସହ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରଥମ ତିନି ମାସରେ କମ୍ପାନି ୧୦୪ ନିୟୁତ ୟୁନିଟ୍ ଶକ୍ତି ଉତ୍ପାଦନ କରିଛି।

ପ୍ରଥମ ତ୍ରୈମାସିକୀରେ ସମୂଦାୟ ଆଲୁମିନା ବିକ୍ରୟ ୩.୨୦ ଲକ୍ଷ ଟନ୍ ହୋଇଛି ଏବଂ ଆଲୁମିନିୟମ୍ ବିକ୍ରୟର ପରିମାଣ ୧.୦୫ ଲକ୍ଷ ଟନ୍ ହୋଇଛି।

Comment