ଓଡ଼ିଶାଲାଇଭ୍‍ ବ୍ୟୁରୋ

ବନ୍ଧୁତା ଦିବସ ଉପଲକ୍ଷେ ବିଲଡର ବାପାଙ୍କ ଆଲମିରାରୁ ୪୬ ଲକ୍ଷ ଟଙ୍କା ଆଣି ସାଙ୍ଗମାନଙ୍କୁ ବାଣ୍ଟି ଦେଇଥିଲା ପୁଅ

ବନ୍ଧୁତା ଦିବସ ଉପଲକ୍ଷେ ବନ୍ଧୁମାନଙ୍କୁ ଉପହାର ଦେବାକୁ ସ୍ଥିର କଲା ଜଣେ ଦଶମ ଶ୍ରେଣୀ ଛାତ୍ର। ହେଲେ ଉପହାର ଥିଲା ଅସାଧାରଣ ଏବଂ ଅକଳ୍ପନୀୟ। ବିଲଡର ବାପାଙ୍କ ଆଲମିରାରୁ ୪୬ ଲକ୍ଷ ଟଙ୍କା ଆଣି ସାଙ୍ଗମାନଙ୍କୁ ବାଣ୍ଟି ଦେଇଥିଲା ପୁଅ। ଜଣେ ଦିନ ମଜୁରିଆଙ୍କ ପୁଅକୁ ୧୫ ଲକ୍ଷ ଏବଂ ହୋମୱାର୍କ କରିଦେଇଥିବା ଜଣେ ସାଙ୍ଗକୁ ଦେଇଥିଲା ୩ ଲକ୍ଷ ଟଙ୍କା।

ମଧ୍ୟପ୍ରଦେଶର ଜବଲପୁରରେ ରହୁଥିବା ଜଣେ ବିଲଡରଙ୍କ ପୁଅ ଦଶମ ଶ୍ରେଣୀରେ ପଢ଼େ। ଗରିବ ବନ୍ଧୁମାନଙ୍କୁ ଟଙ୍କା ବାଣ୍ଟିଏ ବର୍ଷ ବନ୍ଧୁତା ଦିବସକୁ ଅଭିନବ ଢଙ୍ଗରେ ପାଳିବାକୁ ସ୍ଥିର କଲା ଏହି ଛାତ୍ର ଜଣକ। ଜଣେ ଗ୍ରାହକଙ୍କୁ ଘର ବିକି ବାପା ପାଇଥିଲେ ନଗଦ ୬୦ଲକ୍ଷ ଟଙ୍କା। ଆଲମିରାରେ ଥିବା ଏହି ଟଙ୍କାରୁ ୪୬ଲକ୍ଷ ଟଙ୍କା ନେଇଆସିଲା।

ସ୍କୁଲ୍‌ରେ ଏବଂ କୋଚିଂ ସେଣ୍ଟରରେ ସାଙ୍ଗମାନଙ୍କୁ ଟଙ୍କା ବାଣ୍ଟିଥିଲା। ସବୁଠୁ ଅଧିକ ଟଙ୍କା ପାଇଥିଲା ଜଣେ ଦିନ ମଜୁରିଆଙ୍କ ପୁଅ। ୧୫ଲକ୍ଷ ଟଙ୍କା। ସେହିଭଳି ହୋମୱାର୍କ କରିଥିବା ଜଣେ ସାଙ୍ଗକୁ ମିଳିଥିଲା ୩ ଲକ୍ଷ ଟଙ୍କା। ଅନ୍ୟ ସାଙ୍ଗମାନେ ମଧ୍ୟ ଲକ୍ଷାଧିକ ଟଙ୍କା ପାଇଥିଲେ। କେବଳ ସେତିକି ନୁହେଁ, ସ୍ମାର୍ଟଫୋନ୍‌ ଆଉ ରୂପାର ବ୍ରେସଲେଟ୍‌ କିଣି ବି ସାଙ୍ଗମାନଙ୍କୁ ବାଣ୍ଟିଥିଲା ବିଲଡରଙ୍କ ପୁଅ। ସେ ଦେଇଥିବା ଟଙ୍କାରେ ଜଣେ ସାଙ୍ଗ ତ କାର୍‌ କିଣି ଦେଇଥିଲା। ବିଲଡରଙ୍କ ପୁଅ ଏତେ ଟଙ୍କା କେଉଁଠୁ ଆଣିଲା, କାହିଁକି ବାଣ୍ଟିଲା କେହି ପଚାରି ନଥିଲେ।

ଟଙ୍କାଚୋରି ସଂପର୍କରେ ଥାନାରେ ଖବର ଦେଇଥିଲେ ବିଲଡର। ତଦନ୍ତ ବେଳେ ପୋଲିସ ଜାଣିପାରିଥିଲା ଯେ ଘରେ ପଶି ଟଙ୍କା ଚୋରି କରିନେବା ସମ୍ଭବ ନୁହେଁ। ତେଣୁ ଘରଲୋକଙ୍କ ମଧ୍ୟରୁ କେହି ଟଙ୍କା ନେଇଥିବା ସନ୍ଦେହ କରୁଥିଲା ପୋଲିସ। ପରେ ବିଲଡରଙ୍କ ପୁଅ ସଂପର୍କରେ ତଦନ୍ତ କରି ସ୍କୁଲ୍‌ ଓ କୋଚିଂ ସେଣ୍ଟରରେ ପହଞ୍ଚି ଥିଲା ପୋଲିସ। ସେଠାରେ ସେ ସାଙ୍ଗମାନଙ୍କୁ ଟଙ୍କା ବାଣ୍ଟିବା କଥା ପଦାକୁ ଆସିଥିଲା।

ଯେଉଁମାନେ ଟଙ୍କା ନେଇଥିଲେ ସେମାନଙ୍କ ତାଲିକା କରି ଟଙ୍କା ଉଦ୍ଧାର କରିବାରେ ଲାଗିଛି ପୋଲିସ। ସମସ୍ତଙ୍କୁ ଡାକି ପାଞ୍ଚ ଦିନ ଭିତରେ ଟଙ୍କା ଫେରାଇ ଦେବାକୁ କୁହାଯାଇଥିଲା। ହେଲେ ଯେଉଁ ପିଲାଟି ୧୫ ଲକ୍ଷ ପାଇଥିଲା ସେ ଏବେ ନିଖୋଜ। ବାପା-ମା’ଙ୍କ ସହଯୋଗରେ ତାକୁ ଠାବ କରିବା ଲାଗି ଉଦ୍ୟମ କରାଯାଉଛି। ଅନ୍ୟମାନଙ୍କଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୧୫ଲକ୍ଷ ଟଙ୍କା ଉଦ୍ଧାର ହୋଇଛି। ସବୁ ପିଲା ନାବାଳକ ହୋଇଥିବାରୁ କାହାରି ନାଁରେ ମାମଲା ରୁଜୁ ହୋଇନାହିଁ। ପୁଅ ଦେଇଥିବା ଉପହାର ଫେରାଇ ଆଣିବାରେ ଲାଗି ପଡ଼ିଛନ୍ତି ବାପା।

Comment