ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱାଟର ଏରୋଡ୍ରମକୁ ବିରୋଧ କରୁଥିବା ବିଜେଡି ନେତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜବାବ ଦେବା ପରେ ଆଜି ତାଙ୍କ ଦଳରୁ ଉଠିଛି ବିରୋଧର ସ୍ୱର। ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ବିଜେଡି ନେତାଙ୍କ ଭଳି ଚିଲିକାର ଜୈବ ବିବିଧତା ବିପଦରେ ପଡ଼ିପାରେ ବୋଲି କହିଛନ୍ତି।

ଚିଲିକାରେ ପ୍ରସ୍ତାବିତ ୱାଟର ଏରୋଡ୍ରମକୁ ବିଜେଡି ନେତା ବିରୋଧ କରିବା ପରେ ଆଜି ବିଜେପି ବିଧାୟକ ଦିଲ୍ଲୀପ ରାୟ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆରେ କହିଛନ୍ତି ଯେ ୱାଟର ଏରୋଡ୍ରମ ହେଲେ ଚିଲିକାର ଜୈବ ବିବିଧତା ନଷ୍ଟ ହେବାର ସମ୍ଭାବନା ରହିଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଦିଲ୍ଲୀପ କହିଛନ୍ତି।

“ଚିଲିକାରେ ଯନ୍ତ୍ର ଚାଳିତ ବୋଟ୍ ଚାଲୁଥିବାରୁ ନଏଜ ପଲ୍ୟୁସନ ହେଉଛି। ଡଲଫିନ୍‌ମାନଙ୍କ ପ୍ରତି ବିପଦ ଦେଖାଦେଇଛି। ୱାଟର ଏରୋଡ୍ରମ ହେବା ପରେ ଚାଲିବାକୁ ଥିବା ଆମ୍ଫିବିଆନ୍ ହେଲିକପ୍ଟର ଚିଲିକାର ଜୈବ ବିବିଧତାକୁ ଆହୁରି ନଷ୍ଟ କରିବ। ଫଳରେ ପରିସ୍ଥିତି ଜଟିଳ ହୋଇଯିବ”, କହିଛନ୍ତି ଦିଲ୍ଲୀପ ରାୟ।

ଦିଲ୍ଲୀପ ରାୟ ଆହୁରି କହିଛନ୍ତି ଯେ ପ୍ରତିବର୍ଷ ଚିଲିକାକୁ ବିଦେଶରୁ ପକ୍ଷୀମାନେ ଆସିଥାନ୍ତି। ପକ୍ଷୀଙ୍କୁ ଦେଖିବା ପାଇଁ ଜନସମାଗମ ହୋଇଥାଏ। ତେବେ ଚିଲିକାରେ କମ୍ ଉଚ୍ଚତାରେ ହେଲିକପ୍ଟର ଉଡ଼ିଲେ ପକ୍ଷୀମାନଙ୍କ ପ୍ରତି ବିପଦ ଦେଖାଦେଇପାରେ। ଏହାସହ ପକ୍ଷୀ ବିମାନରେ ମାଡ଼ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଯଦି ପକ୍ଷୀ ହେଲିକପ୍ଟରରେ ମାଡ଼ ହୁଅନ୍ତି ତାହାଲେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ରହିଛି।

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ୱାଟର ଏରୋଡ୍ରମ ସ୍ୱାଗତଯୋଗ୍ୟ। କିନ୍ତୁ ଏହା ନିର୍ମାଣ କରିବା ପୂର୍ବରୁ ବିଭିନ୍ନ ଦିଗ ପ୍ରତି ଅନୁଧ୍ୟାନ କରିବା ଦରକାର ବୋଲି ଶ୍ରୀ ରାୟ କହିଛନ୍ତି।

ଚିଲିକାରେ ୱାଟର ଏରୋଡ୍ରମକୁ କେନ୍ଦ୍ର ବେସାମରିକ ବିମାଳ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠିଛି। ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସମେି ସାଂସଦ ତଥାଗତ ସତପଥୀ ଆଙ୍ଗୁଳି ଉଠାଇଥିଲେ। ଏହି ଏରୋଡ୍ରମ ନିର୍ମାଣ ହେଲେ ଚିଲିକା ଜୈବ ବିବିଧତା ନଷ୍ଟ ହେବ ବୋଲି ସେମାନେ ମତ ଦେଇଥିଲେ।

ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବ ଦେଇଥିଲେ। ୱାଟର ଏରୋଡ୍ରମ ନିର୍ମାଣ ହେଲେ ରାଜ୍ୟକୁ ବହୁ ପର୍ଯ୍ୟଟକ ଆସିବେ। ଓଡ଼ିଶା ବିଷୟରେ ଦେଶ ବିଦେଶର ଲୋକେ ଅଧିକ କିଛି ଜାଣିବାକୁ ପାଇବେ। ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଧର୍ମେନ୍ଦ୍ରଙ୍କର ଏହି ପ୍ରତିକ୍ରିୟା ପରେ ଆଜି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ପୁଣି ପ୍ରଶ୍ନ ଉଠାଇଛନ୍ତି।

Comment