ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନୀ ବର୍ଷରେ ଲୋକଙ୍କ ମନ ଜିତିବା ପାଇଁ ଯୋଜନା ଯୋଜନା ମଧ୍ୟରେ ଟକ୍କର। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ନା କହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ପଡେସ୍କ ଏବଂ ଲାଗୋ ଉନ୍ମୋଚିତ କରିଥିଲେ।
ଏହି ଯୋଜନାରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ପରିବାରର ୩.୫ କୋଟି ଲୋକ ଉପକୃତ ହେବେ। ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ। ହିତାଧିକାରୀ ପରିବାରର ମହିଳାଙ୍କୁ ବାର୍ଷିକ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ।
ଫଳରେ ରାଜ୍ୟର ୧.୫ କୋଟି ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ। ରାଷ୍ଟ୍ରୀୟ ବୀମା ଯୋଜନା (ଆରଏସ୍ବିୱାଇ) ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ)ରେ ପଞ୍ଜିକୃତ ସମସ୍ତ ହିତାଧିକାରୀ ବିଏସ୍କେୱାଇର ସାମିଲ ହୋଇଛନ୍ତି।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ରାଜ୍ୟର ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏବଂ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ପ୍ରଦାନ କରାଯିବ।
ଏହି ଯୋଜନାର ହିତାଧିକାରୀଙ୍କୁ ଡାକ୍ତରଖାନାରେ ଓଟି, ଅସ୍ତ୍ରୋପଚାର, ଆଇସିୟୁ ସେବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହାସହ ବୁଧବାରଠାରୁ ଜିଲା ମୁଖ୍ୟଚିକିତ୍ସାଳୟ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍ପଡେସ୍କ କାର୍ଯ୍ୟକ୍ଷମ ହୋଇଛି।
ଆୟୁଷ୍ମାନ ଭାରତ
ସ୍ୱାଧିନ ଭାରତର ସବୁଠୁ ବଡ ଜନ କଲ୍ୟାଣ ଯୋଜନା କୁହାଯାଉଥିବା ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ସଂପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ସେପ୍ଟେମ୍ବର ୨୫ରୁ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନରେ ଏହି ଯୋଜନା ଲାଗୁ ହେବ। ଏଥିରେ ଉପକୃତ ହେବେ ଦେଶର ୧୦ କୋଟି ପରିବାର। ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବ। ଏହାଦ୍ୱାରା ୧୦ କୋଟି ପରିବାରର ୫୦ ଲକ୍ଷ ଲୋକେ ଉପକୃତ ହେବ।