ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳରେ ବନ୍ୟା ପରିସ୍ଥିତି ଭୟଙ୍କର ହେଉଛି। ରାଜ୍ୟର ୧୩ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ୮୦ଟି ଡ୍ୟାମ ଖୋଲାଯାଇଥିବା ବେଳେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ୨ ଲକ୍ଷ ୩୩ ହଜାର ୧୩୯ ଲୋକଙ୍କୁ ଉଦ୍ଧାର କରି ୧୫ ହଜାର ରିଲିଫ୍ କ୍ୟାମ୍ପରେ ଥଇଥାନ କରାଯାଇଛି।

୧୦୦ ବର୍ଷ ଭିତରେ କେରଳରେ ସବୁଠୁ ବଡ଼ ବନ୍ୟା ଦେଖାଦେଇଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଗତ ୯ ଦିନ ହେଲା ବର୍ଷା ଲାଗି ରହିଛି। ରାସ୍ତା ଏବଂ ଘରେ ବନ୍ୟା ପାଣି ପସି ଯାଇଛି। ଚାଷଜମି ଜଳମଗ୍ନ ହୋଇଯାଇଛି। ଫସଲ ବୁଡ଼ି ଯାଇଛି। ବନ୍ୟା ଯୋଗୁ ୨୮୫୭ ଘର ଏବଂ ୩୩୯୩ ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ଜଣାପଡ଼ିଛି। ଓ୍ବାଟର ପ୍ଲାଣ୍ଟରେ ବନ୍ୟା ପାଣି ପସି ଯାଇଥିବାରୁ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ନୌସେନା ପକ୍ଷରୁ ୨ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ମୁମ୍ବାଇରୁ କୋଚିକୁ ନିଆଯାଇଛି।

ବନ୍ୟା ପାଣିରେ ରାସ୍ତା ଧୋଇ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେନା, ଅଗ୍ନିଶମ ବିଭାଗ ଏବଂ ଏଡ଼ଡିଆର୍‌ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସଡ଼କପଥ, ରେଳପଥ ଏବଂ ବିମାନ ବନ୍ଦର ପାଣିଘେରରେ ରହିଛି। କୋଚି ବିମାନ ବନ୍ଦର ପାଣିଘେରରେ ରହିଥିବାରୁ ୨୪ ତାରିଖ ଯାଏଁ ବିମାନ ଚଳାଚଳ ବାତିଲ୍ କରାଯାଇଛି।

କେନ୍ଦ୍ର ସରକାର କେରଳକୁ ୧୦୦ କୋଟି ଟଙ୍କାର ସହାୟତା ଦେଇଛନ୍ତି। ପଞ୍ଜାବ ସରକାର ୧୦ କୋଟି ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ୫ କୋଟି ଟଙ୍କାର ସହାୟତା ଦେବା ଲାଗି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here