ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ‘ସ୍ୱାବଲମ୍ବୀ ଭବୋ’ କାର୍ଯ୍ୟକ୍ରମରେ ଯୋଗଦେଲେ ରାମଦେବ
  • ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ
  • ଗତ ବର୍ଷକ ଭିତରେ ୧୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ପତଞ୍ଜଳି ଗ୍ରୁପ୍
  • ଦୁଇ ମାସ ଭିତରେ ଆଉ ୨୦ ହଜାର ନିଯୁକ୍ତି ନିଆଯିବ: ରାମଦେବ

ଶୁକ୍ରବାର ଦିନିକିଆ ଗସ୍ତରେ ଯୋଗ ଗୁରୁ ବାବା ରାମଦେବ ଭୁବନେଶ୍ୱର ଆସିଥିଲେ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ସ୍ୱାବଲମ୍ବୀ ଭବୋ’ କାର୍ଯ୍ୟକ୍ରମରେ ଯୋଗଦେଇ ବାବା ରାମଦେବ ସନ୍ଧ୍ୟାରେ ଦିଲ୍ଲୀ ଫେରି ଯାଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ ହେବାର ମନ୍ତ୍ର ଦେଇଛନ୍ତି।

ଭୁବନେଶ୍ୱର ଗସ୍ତ ଅବସରରେ ବାବା ରାମଦେବ ଯୁବକ ଯୁବତୀମାନଙ୍କ ନିଯୁକ୍ତି ଉପରେ ପ୍ରତିକ୍ରିୟା ଦେଇଥିଲେ। ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପତଞ୍ଜଳି ଗ୍ରୁପ୍ ଅନେକ ପଦକ୍ଷେପ ନେଇଥିବା ସେ କହିଛନ୍ତି।

“ପତଞ୍ଜଳି ଗ୍ରୁପରେ ଭାରତର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦିଆଯାଉଛି। ଗତ ବର୍ଷକ ଭିତରେ ପ୍ରାୟ ୧୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦୁଇ ମାସ ଭିତରେ ଆଉ ୨୦ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ। ଭାରତର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆମେ ଉଦ୍ୟମ ଆରମ୍ଭ କରିଛୁ”, କହିଛନ୍ତି ବାବା ରାମଦେବ।

ରାମଦେବ ଆହୁରି କହିଛନ୍ତି ଯେ ଯେଉଁ ଯୁବକମାନେ ସେମାନଙ୍କ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି ଆମେ ସେମାନଙ୍କୁ ସୁଯୋଗ ଦେବାକୁ ଚାହୁଁଛୁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସବୁ ବର୍ଗର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉଛୁ।

ସକାଳ ୯ ଟା୫ରେ ବାବା ରାମଦେବ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ। ପତଞ୍ଜଳି ଗ୍ରୁପ୍‌ର ସଦସ୍ୟମାନେ ରାମଦେବଙ୍କୁ ସ୍ୱାଗତ କରିବାପାଇଁ ଏୟାରପୋର୍ଟରେ ଉପସ୍ଥିତ ଥିଲେ। ସେମାନେ ରାମଦେବଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ପାଛୋଟି ଆଣିଥିଲେ।

LEAVE A REPLY

Please enter your comment!
Please enter your name here